କୁଖ୍ୟାତ ଅପରାଧୀ ଦିଲ୍ଲୀପ୍କୁ ୫ ବର୍ଷ ସଜ୍ଜା

ଭୁବନେଶ୍ୱର,୫ ।୯ : ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ସାଇ ସ୍ୱରୁପା ତ୍ରିପାଠୀ ଗତ ୨୦୨୨ ମସିହାରେ ସହିଦନଗର ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ସିନ୍ଧୀ ଚୋରି ମାମଲାର ବିଚାର କରି ସିନ୍ଧୀ ଚୋର ଦିଲ୍ଲୀପ ନାୟକକୁ ୫ ବର୍ଷର କାରାଦଣ୍ଡର ସଜ୍ଜା ଶୁଣାଇଛନ୍ତି ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ସତ୍ୟମ ବାରିକ ୟୁନିଟ୍-୯ ଅନ୍ତର୍ଗତ ଏକ ବିଦେଶୀ ମଦ ଦୋକାନରେ ମ୍ୟାନେଜର ଭାବେ କାର୍ଯ୍ୟରତ । ଘଟଣା ଦିନ ତଥା ଗତ ୨୦୨୨ ମସିହା ଅକ୍ଟୋବର ମାସ ୧୯ ତାରିଖ ରାତି ପ୍ରାୟ ୨ଟା ସମୟରେ ଦୋକାନର ସିକୁ୍ୟରିଟି ଆଲରାମ ବାଜିବାରୁ, ଦୁଇ ଜଣ ଦୁର୍ବୃତ୍ତ ଦୋକାନର କ୍ୟାସ କାଉଣ୍ଟର ଭାଙ୍ଗି ସେଥିରୁ ଟଙ୍କା ଚୋରି କରୁଥିବାର ଜାଣିବାକୁ ପାଇଥିଲେ । ସେ ତୁରନ୍ତ ସେଠାରେ ପହଞ୍ଚି ବାରୁ ଜଣେ ଅଭିଯୁକ୍ତ ଟଙ୍କା ନେଇ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତକୁ କାବୁ କରିବା ସହ କିଛି ଟଙ୍କା ଜବତ କରାଯାଇଥିଲା । ପରେ ସହିଦନଗର ଥାନା ପିସିଆର ଭ୍ୟାନକୁ ଡାକି ଅଭିଯୁକ୍ତକୁ ଜିମା ଦେଇଥିଲେ । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ସହିଦନଗର ଥାନା କେସ ନମ୍ବର ୪୯୩/୨୦୨୨, ଦଫା- ୪୫୭/୩୮୦/୩୪ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହାର ତଦନ୍ତ ଦାଇତ୍ୱ ଏସଆଇ ପର୍ଶୁରାମ ସାହୁଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଶ୍ରୀ ସାହୁ ଏହି ମାମଲାକୁ ସଠିକ ଭାବେ ତଦନ୍ତ ଚଳାଇ ଅଭିଯୁକ୍ତ ଦିଲ୍ଲୀପ୍ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନିର୍ଦ୍ଧାରିତ ସମୟରେ ସେମାନଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜ ସିଟ୍ ଦାଖଲ କରିଥିଲେ । ଏହି ମାମଲାର ବିଚାର କରି ଅଦାଲତ ୫ ଜଣ ସାକ୍ଷୀ ଓ ୧୦ଟି ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଅଭିଯୁକ୍ତ ଦିଲ୍ଲୀପ୍ ନାୟକକୁ ୫ ବର୍ଷ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୬ ମାସ ଲାଗି କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକୁ୍ୟଟର ଚିରସ୍ମିତା ସାହସମଲ୍ଲ ପରିଚାଳନା କରିଥିଲେ । ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ବଚନ ନାୟକ ଫେରାର ଥିବାରୁ ତା ନାମରେ ଜାମିନ ବିହିନ ଗିରଫ ପରୱାନା ଅଦାଲତ ଜାରି କରିଛନ୍ତି ।