ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର, ତଦନ୍ତ ଦାବି
ଖଣ୍ଡପଡ଼ା : ବଳଭଦ୍ରପ୍ରସାଦ ପଞ୍ଚାୟତ ଅଧିନ ନୂଆପଡା ଗ୍ରାମରେ "ବିକଶିତ ଗାଁ ବିକଶିତ ଓଡିଶା' ଯୋଜନାରେ ନିର୍ମାଣଧୀନ ବିଦ୍ୟାଳୟ ଗୃହ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖଣ୍ଡପଡ଼ା ବ୍ଲକ୍ ପ୍ରଶାସନର ତତ୍ତ୍ୱାବଧାନରେ ୩.୨୦ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିର୍ମାଣ କରାଯାଉଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ବ୍ଲକ ପ୍ରଶାସନ ପକ୍ଷରୁ ଡିପାର୍ଟମେଣ୍ଟାଲ ଭାବେ ଏହି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ, ଉକ୍ତ କାର୍ଯ୍ୟ ତଦାରଖ ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଉଦାସୀନତାର ସୁଯୋଗ ନେଇ କାର୍ଯ୍ୟରେ ନିୟୋଜିତ ଠିକାଦାର ମନଇଚିଛା ଶ୍ରେଣୀଗୃହ ନିର୍ମାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ନିର୍ମାଣଧୀନ ଶ୍ରେଣୀଗୃହର ସ୍ଥାୟୀତ୍ୱ ନେଇ ଗ୍ରାମବାସୀଙ୍କ ମନରେ ସନେ୍ଦହଜାତ ହୋଇଛି । ତେଣୁ ଏଥିପ୍ରତି ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ, ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।