ସ୍ପେସ୍ ଷ୍ଟେସନ୍ରେ ଶୁଭାଂଶୁ


 ନୂଆଦିଲ୍ଲୀ: ଦୀର୍ଘ ୨୮ ଘଣ୍ଟା ପରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ଡକ୍ଟିଂ ହୋଇଛି ଡ୍ରାଗନ୍ ମହାକାଶ ଯାନ । ସଫଳ ହୋଇଛି ଅକ୍ସିୟମ୍-୪ ମିଶନ୍ । ଭାରତୀୟ ସମୟ ଗୁରୁବାର ଅପରାହ୍ଣ ୪.୩୦ରେ ଏହି ଡ୍ରାଗନ୍ କ୍ୟାପସୁଲ୍ ଡକ୍ଟିଂ ହୋଇଛି । ପ୍ରଥମ ଭାରତୀୟ ଭାବେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆଇଏସ୍ଏସ୍ରେ ପାଦ ଥାପିଥିବା ବେଳେ ତାଙ୍କ ସମେତ ଅନ୍ୟ ତିନି ମହାକାଶଚାରୀ ମଧ୍ୟ ସଫଳତା ପୂର୍ବକ ଆଇଏସ୍ଏସ୍ରେ ଡକ୍ଟିଂ ହୋଇଛନ୍ତି । ପୃଥିବୀ ଠାରୁ ୪୧୮ କିମି ଉଚ୍ଚତାରେ ଆଇଏସ୍ଏସ୍ରେ ପହଞ୍ଚôଥିବା ମହାକାଶଚାରୀମାନେ ଏବେ ଘଣ୍ଟା ପ୍ରତି ୧୭ହଜାର କିମି ବେଗରେ ପୃଥିବୀ ଚତୁଃପାଶ୍ୱର୍ ପରିକ୍ରମଣ କରୁଛନ୍ତି ।
ମହାକାଶରେ ପହଞ୍ଚôବା ପରେ ଶୁଭାଂଶୁ ପ୍ରଥମେ ୧୪୦ କୋଟି ଦେଶବାସୀଙ୍କୁ ନମସ୍କାର ଜଣାଇ ନିଜର ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି, ‘ଶୂନ୍ୟରେ ଭାସିବା ପରି ମନେ ହେଉଛି । ସତରେ ଏହା ନିଆରା ଅନୁଭବ । ମିଶନ୍ ସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷ ଓ ଦେଶବାସୀଙ୍କୁ ଅନେକ ଅନେକ ଧନ୍ୟବାଦ । ବର୍ତ୍ତମାନ ମୁଁ ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତିର ମଜା ନେଉଛି । ଲାଗୁଛି ଗୋଟିଏ ଶିଶୁ ନୂଆକରି ଚାଲିବା ଶିଖୁଛି ଏବଂ ନିଜକୁ ନିୟନ୍ତ୍ରଣ କରୁଛି । ବାସ୍ତବରେ ଏହାକୁ ଭିଡିଓରେ ଦେଖିବା ଠାରୁ ଭୁକ୍ତଭୋଗୀ ଭାବେ ନିଜର ଅନୁଭବ ସବୁଠାରୁ ନିଆରା । ବର୍ତ୍ତମାନ ଆମେ ପୃଥିବୀର ସେଇ ସମୟଠାରୁ ବହୁ ଦୂରରେ । ଆଗକୁ କ’ଣ ହେଉଛି ତାହା ଦେଖିବାର କଥା ।’ ସେହିପରି ଏହି ମିଶନ୍ରେ ସାମିଲ ହୋଇଥିବା ହଙ୍ଗେରୀ ଏବଂ ପୋଲାଣ୍ଡର ମହାକାଶଚାରୀ ତଥା ସେମାନଙ୍କ ଦେଶ ପାଇଁ ଏହା ପ୍ରଥମ ବୋଲି ଜଣାପଡ଼ିଛି । ଅପରପକ୍ଷେ ଶୁଭାଂଶୁଙ୍କ ପରିବାରବର୍ଗଙ୍କ ମତାମତ ନିଆଯିବାରୁ ଜଣାପଡ଼ିଛି ଯେ, ପୁଅର ସଫଳତା ନେଇ ସେମାନେ ବେଶ୍ ଖୁସି ଅଛନ୍ତି । ତାଙ୍କ ବାପା ଶମ୍ଭୁ ଦୟାଲ କହିଛନ୍ତି ଭଗବାନଙ୍କ ଆଶୀର୍ବାଦ ମୋ ପୁଅ ସହ ଅଛି ଏବଂ ଏହି ମିଶନ ପାଇଁ ଆମ ପରିବାର ବେଶ୍ ଗର୍ବିତ । ଶୁଭାଂଶୁଙ୍କ ମା’ ଏହାର ସମସ୍ତ ଶ୍ରେୟ ନିଜ ବୋହୂ ତଥା ଶୁଭାଂଶୁଙ୍କ ପତ୍ନୀଙ୍କୁ ଦେଇଛନ୍ତି । ସେ କହିଛନ୍ତି ବୋହୂ ଯଦି ନ ଚାହିଁଥା’ନ୍ତା ତେବେ ଏହା ସମ୍ଭବ ହୋଇପାରି ନଥା’ନ୍ତା ।
ସୂଚନାଯୋଗ୍ୟ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ତିନି ମହାକାଶଚାରୀ ୧୪ ଦିନ ପର୍ଯ୍ୟନ୍ତ ମହାକାଶରେ ରହି ୬୦ଟି ମହାକାଶ ଜନିତ ବିଭିନ୍ନ ବୈଜ୍ଞାନିକ ଅନୁସନ୍ଧାନ କରିବେ । ୧୪ ଦିନ ପରେ ପୁନଃ ପୃଥିବୀ ପୃଷ୍ଠକୁ ଫେରିବେ ।