ମୁମ୍ବାଇରେ ୨୨ କୋଟି ଚିଟ୍ଫଣ୍ଡ ଦୁର୍ନୀତିର ମାଷ୍ଟରମାଇଣ୍ଡ ୨ ୟୁକ୍ରେନୀୟ
ମୁମ୍ବାଇ : ମୁମ୍ବାଇରେ ବହୁକୋଟି ଟଙ୍କା ଚିଟ୍ଫଣ୍ଡ ଦୁର୍ନୀତି ଘଟଣାର ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ୨ ଜଣ ୟୁକ୍ରେନୀୟ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଚିଟ୍ଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖିଲେ ଅଧିକ ସୁଧ ମିଳିବାର ପ୍ରତିଶ୍ରୁତି ଦେଇ ସେମାନେ ମୁମ୍ବାଇର ଅନେକ ଶହ ଲୋକଙ୍କଠାରୁ ୨୨ କୋଟି ଟଙ୍କା ଠକିଥିଲେ। ଟୋରେସ୍ ଜେଓ୍ବେଲେରି ସ୍କାମ୍ର ତଦନ୍ତ କରୁଥିବା ମୁମ୍ବାଇ ପୋଲିସର ଆର୍ଥତ୍କ ଅପରାଧ ଶାଖା ୟୁକ୍ରେନୀୟ ନାଗରିକ ଆର୍ଥେମ୍ ଏବଂ ଓଲେନା ଷ୍ଟୋଇନ୍ଙ୍କୁ ମାଷ୍ଟରମାଇଣ୍ଡ ଚିହ୍ନଟ କରିଛି। ସୁନା, ରୁପା ଓ ରତ୍ନପଥରରେ ପୁଞ୍ଜିନିବେଶ କରାଇ ଅଧିକ ଟଙ୍କା ଫେରସ୍ତ ଦେବା ନାମରେ ଲୋକଙ୍କୁ ସେମାନେ ଠକୁଥିଲେ। ଜମାକାରୀଙ୍କୁ ୧୪ଟି ଦାମୀ କାର୍ ପୁରସ୍କାର ଦିଆଯାଇଥିଲା। ଚିଟ୍ଫଣ୍ଡକୁ ଅଧିକ ଜମାକାରୀଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ କାର୍ ପୁରସ୍କାର ଦିଆଯାଇଥିଲା। ଆର୍ଥେମ୍ ଏବଂ ଓଲେନା ଦେଶ ଛାଡ଼ି ପଳାଇଥିବା ବିଶ୍ୱାସ କରାଯାଉଛି। ସେମାନଙ୍କ ବିରୋଧରେ ଖୁବ୍ଶୀଘ୍ର ଲୁକ୍-ଆଉଟ୍ ସର୍କୁଲାର ଜାରି ହେବ ବୋଲି ଜଣାପଡ଼ିଛି॥