ସ୍ୱଚ୍ଛ ସହର ଇନ୍ଦୋର ପାଣିରେ ବିଷ : ୮ ମୃତ, ୧୦୦ ଚିକିତ୍ସାଧୀନ
-
ଦୁଇ ଅଧିକାରୀ ନିଲମ୍ବିତ
-
ଜନସ୍ୱାସ୍ଥ୍ୟ ଇଞ୍ଜିନିୟରଙ୍କୁ ବହିଷ୍କାର
ଇନ୍ଦୋର : ଦେଶର ସବୁଠୁ ସ୍ୱଚ୍ଛ ସହର ଭାବେ ପରିଚିତ ମଧ୍ୟପ୍ରଦେଶର ଇନ୍ଦୋର ସହର ପାନୀୟ ଜଳରେ ବିଷ । ଦୂଷିତ ପାନୀୟ ଜଳ ଯୋଗୁଁ ୮ଜଣଙ୍କ ମୃତ୍ୟୁ ହେବା ସହ ଶହେରୁ ଉଦ୍ଧ୍ୱର୍ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ଆଜି ଇନ୍ଦୋର ମେୟର ପୁଷ୍ୟମିତ୍ର ଭର୍ଗଭା ନିଶ୍ଚିତ କରିଛନ୍ତି । ଯେତେବେଳେ ବାନ୍ତି, ଡାଇରିଆ ଓ ଡିହାଇଡ୍ରେସନ ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ ଦାବି ଯେ ମୃତକଙ୍କ ସଂଖ୍ୟା ଅଧିକ ହୋଇପାରେ । ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି ଯେ ପୌରପାଳିକାର ପାଣି ପାଇପଲାଇନରେ ସମ୍ଭବତଃ ଲିକେଜ୍ କିମ୍ବା ନର୍ଦ୍ଦମା ମିଶ୍ରଣ ଯୋଗୁଁ ପ୍ରଦୂଷଣ ହେଉଛି । ଏହି ଘଟଣା ପରେ ଜରୁରୀକାଳୀନ ଡାକ୍ତରୀ ଦଳ ନିୟୋଜିତ କରାଯାଇଛି । ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରାଯାଇ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଇ ଜଣ ପୌର ଅଧିକାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେବା ସହ ଜଣେ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଇନ୍ଦୋର ଭାଗୀରଥପୁରା ଘଟଣା ଦୁଃଖଦ । ଜୋନାଲ ଅଧିକାରୀ ସାଲିଗ୍ରାମ ସିତୋଲେ ଓ ସହକାରୀ ଇଞ୍ଜିନିୟର ଯୋଗେଶ ଜୋଶୀଙ୍କୁ ନିଲମ୍ବିତ କରାଯାଇଛି । ପିଏଚ୍ଇର ଅଧୀକ୍ଷକ ଇଞ୍ଜିନିୟର ଶୁଭମ ଶ୍ରୀବାସ୍ତବଙ୍କୁ ତୁରନ୍ତ ତାଙ୍କ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଯାଦବ ବିଳମ୍ବିତ ରାତିରେ ଏକ ବିବୃତ୍ତିରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଚିକିତ୍ସାଧୀନ ଲୋକଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେ ଶୋକସନ୍ତପ୍ତ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ଘୋଷଣା କରିଛନ୍ତି ଓ ରାଜ୍ୟ ସରକାର ସମସ୍ତ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ କ୍ରମାଗତ ଭାବେ ୮ ବର୍ଷ ହେଲା ଦେଶର ସବୁଠୁ ସ୍ୱଚ୍ଛ ସହରର ମାନ୍ୟତା ପାଇ ଆସୁଛି ଇନ୍ଦୋର ।
Samir Kumar Rout