ଓଡ଼ିଶାକୁ ମୋଦିଙ୍କ ୧୫୨୬ କୋଟିର ଉପହାର
-
ଗଜପତି, ରାୟଗଡ଼ା ଓ କୋରାପୁଟ ହେବ ଉପକୃତ
-
ଉନ୍ନତିକରଣ ହେବ ମୋହନା-କୋରାପୁଟ ରାସ୍ତା
-
ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୋହନ
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟରେ ଆଜି ଓଡ଼ିଶା ପାଇଁ ୧୫୨୬ କୋଟିର ରାସ୍ତା ଉନ୍ନତିକରଣ ପ୍ରସ୍ତାବକୁୁ ମଞ୍ଜୁରୀ ମିଳିଛି । ଇପିସି ମୋଡ଼ରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୫୨୬ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପରେ ନିର୍ମାଣ ବ୍ୟୟ ଅଟକଳ ୯୬୬ କୋଟି ୭୯ ଲକ୍ଷ ଟଙ୍କା ରହିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗଜପତି, ରାୟଗଡ଼ା ଓ କୋରାପୁଟକୁ ଗମନାଗମନ ଆହୁରି ସୁବିଧା ହୋଇପାରିବ । ଜାତୀୟ ରାଜପଥ ୩୨୬ରେ ମୋହନା-କୋରାପୁଟ ରାସ୍ତା ଅନେକ ସ୍ଥାନରେ ବକ୍ର ରହିଛି । ତେବେ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିବା ପରେ ସେହିସବୁ ସମସ୍ୟା ଦୂରୀଭୂତ ହୋଇପାରିବ । ବିଶେଷକରି ଭାରିଯାନଗୁଡ଼ିକର ଯାତାୟତ ସୁଗମ ହୋଇପାରିବ । ଏହାଛଡ଼ା ଏନଏଚ-୨୬, ଏନଏଚ-୫୯, ଏନଏଚ-୧୬ ଓ ରାୟପୁର-ବିଶାଖାପାଟଣା କରିଡ଼ର ସହ ସଂଯୋଗୀକରଣ କରାଯାଇପାରିବ । ଫଳରେ ଗୋପାଳପୁର ବନ୍ଦର, ଜୟପୁର ବିମାନବନ୍ଦର ଓ ଅନେକ ରେଳ ଷ୍ଟେସନ ସହ ଯୋଗାଯୋଗରେ ଉନ୍ନତି ପରିଲକ୍ଷିତ ହେବ ।
Samir Kumar Rout