୧୫ ଘଣ୍ଟାର ମାରାଥନ୍ ଆଲୋଚନା ଅପରାହ୍ନରୁ ଆରମ୍ଭ ସକାଳେ ଶେଷ
ଭୁବନେଶ୍ୱର : ଦୀର୍ଘ ୨୨ ବର୍ଷ ପରେ ସାରା ରାତି ଚାଲିଲା ବିଧାନସଭା । ରାତି ଅନିଦ୍ରା ହୋଇ ବିଧାୟକମାନେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଓ ରାଜ୍ୟ ସଡ଼କ ପ୍ରାଧିକରଣ ବିଲ୍ ଉପରେ ମାରାଥନ ଆଲୋଚନା କରିଥିଲେ । ଅପ୍ରେଲ ୨ ତାରିଖ ଅପରାହ୍ନ ୪ଟାରୁ ବିଧାନସଭା ଅଧିବେଶନ ଅପ୍ରେଲ ୩ ସକାଳ ୭ଟା ୬ ପର୍ଯ୍ୟନ୍ତ ଚାଲିଥିଲା । ଅପ୍ରେଲ ୨, ଅପରାହ୍ନ ୪ଟା ୬ । ଆରମ୍ଭ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଆଲୋଚନା । ସମସ୍ତେ ଭାବିଥିଲେ ଆଲୋଚନା ଅତିବେଶୀରେ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । କିନ୍ତୁ ସେମିତି କିଛି ହେଲା ନାହିଁ । ରାତି ପ୍ରାୟ ୪ଟା ୩୧ରେ ବିଶ୍ୱବିଦ୍ୟାଳୟ ବିଲ୍ ଆଲୋଚନା ଶେଷ ହେଲା । ଦୀର୍ଘ ୧୨ ଘଣ୍ଟା ୨୫ ମିନିଟ୍ କାଳ ବିଲ୍ ଉପରେ ଆଲୋଚନା ହେବା ସହ ପାରିତ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ରାଜ୍ୟ ସଡ଼କ ପ୍ରାଧିକରଣ ବିଲ୍ ଆଲୋଚନା । ପାଖାପାଖି ୨ ଘଣ୍ଟା ୧୫ ମିନିଟର ଆଲୋଚନା ପରେ ବିଲ୍ ପାରିତ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ରାତି ସାରା ବିଧାନସଭା ଚାଲିବାର ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଶତାଧିକ ବିଧାୟକ ଗୃହରେ ଉପସ୍ଥିତ ଥିଲେ । ଶାସକ ବିଜେପି ଓ ବିରୋଧୀ ବିଜେଡ଼ି ବିଧାୟକଙ୍କ ଆସନ ସାରା ରାତି ପରିପୂର୍ଣ୍ଣ ରହିଥିଲା । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ବି ଉପସ୍ଥିତ ରହିଥିଲେ । ପ୍ରେସ୍ ଗ୍ୟାଲେରୀରେ ମଧ୍ୟ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରାୟ ତିରିଶ ସରିକି ପ୍ରତିନିଧି ସେମିତି ବିଧାନସଭାର ରିପୋର୍ଟିଂ କରୁଥିଲେ ।
ସକାଳ ୬ଟା ୪୬ରେ ବଜେଟ୍ ଅଧିବେଶନ ଶେଷ କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବାଚସ୍ପତି ସୁରମା ପାଢ଼ୀ ସମସ୍ତଙ୍କୁ ଗୃହ ପରିଚାଳନା ପାଇଁ ଧନ୍ୟବାଦ ଦେଇଥିଲେ । ଏହା ପରେ ବନ୍ଦେ ଉତ୍କଳ ଜନନୀ ଗାନ ସହ ସତ୍ରବସାନ ହୋଇଥିଲା । ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ୨୫ଟି କାର୍ଯ୍ୟଦିବସ ରହିଥିଲା ।