କେରଳ ବିଜେପି ସଭାପତିଙ୍କୁ ଅପରାଜିତାଙ୍କ ଶୁଭେଚ୍ଛା
ଭୁବନେଶ୍ୱର : ବହୁ ସମୟର ଅପେକ୍ଷା କର୍ମୀଙ୍କ ସହ ଆଲୋଚନା ପରେ ଶେଷରେ କେରଳ ମୁଖିଆ ଭାବେ ମୋହର ବାଜିଛି ରାଜୀବ ଚନ୍ଦ୍ରଶେଖରଙ୍କ ଉପରେ । ରାଜୀବ ଚନ୍ଦ୍ରଶେଖର ହେଉଛନ୍ତିି ରାଜ୍ୟର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ । ସୋମବାର କେରଳର ତିରୁଅନନ୍ତପୂରମରେ ବିଜେପିର ଜାତୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଘୋଷଣା କରିଛନ୍ତି । ବୌଠକରେ କେରଳ ବିଜେପି ପ୍ରଭାରୀ ପ୍ରକାଶ ଜାଭଡକର ଏବଂ ସହ ପ୍ରଭାରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ୩୦ଟି ବିଜେପି ଜିଲ୍ଲା ଏବଂ ୨୮୦ଟି ମଣ୍ଡଳର ତିନି ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଗତ ତିନିଦିନ ଧରି କେରଳର ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତାଙ୍କ ଙ୍କୁ ନେଇ ମାନସ ମନ୍ଥନ କରିଚାଲିଥିଲେ ପ୍ରଭାରୀ ଏବଂ ସହ ପ୍ରଭାରୀ । ଆଉ ଶେଷରେ ସମସ୍ତଙ୍କ ନିଷ୍ପତ୍ତି ଅନୁସାରେ ଦଳର କୋର୍ କମିଟି ବୈଠକରେ ରାଜୀବ ଚନ୍ଦ୍ରଶେଖରଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଭୁବନେଶ୍ୱର ସାଂସଦ ତଥା କେରଳ ବିଜେପି ସହପ୍ରଭାରୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି କେରଳ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ବର୍ଷ ବାକି ରହିଛି । ସହପ୍ରଭାରୀ ହେବା ପରେ ପ୍ରତି ମାସରେ କେରଳ ଯାଇ ତୂଣମୂଳ ସ୍ତରର କର୍ମକର୍ତ୍ତାଙ୍କୁ ଭେଟୁଛନ୍ତି । କେରଳରେ କିଭଳି ଓଡ଼ିଶା ମଡେଲ୍ ପ୍ରୟୋଗ କରି ସେଠାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଗଢ଼ିହେବ ତା ଉପରେ ଗୁରୁତ୍ୱାରୋପ କରାଯାଉଛି । ଆଗକୁ କେରଳ ବିଜେପି କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନାଭିମୁଖୀ ଯୋଜନାକୁ କିଭଳି ଲୋକଲୋଚନରେ ପହଞ୍ଚାଇପାରିବ ତାଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିସହ କେରଳ ବିଜେପିର ନୂତନ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।