୧୯ ବର୍ଷରୁ କମ୍‌ ଏସିଆ କପ୍‌ : ପାକିସ୍ତାନକୁ ୯୦ ରନରେ ହରାଇଲା ଭାରତ

ନୂଆଦୀଲ୍ଲୀ : ପହଲଗାମର ପ୍ରତିଶୋଧ ମନରୁ ଲିଭୁନି । ଭାରତୀୟ କ୍ରିକେଟ୍‌ରମାନେ ପାକିସ୍ତାନ ଉପରେ ପ୍ରତିଶୋଧ ଉପରେ ପ୍ରତିଶୋଧ ନେଉଛନ୍ତି । ବିଜୟୀ ଭାରତ। ପରାଜିତ ପାକିସ୍ତାନ । କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତ ତାର ବିଜୟ ଅଭିଯାନ ଜାରି ରଖିଛି । ମହିଳା ଦଳ ହେଉ, ପୁରୁଷ ଦଳ ହେଉ କିମ୍ବା ଜୁନିୟର ଦଳ ହେଉ ଭାରତ ପାକିସ୍ତାନ ଉପରେ ନିଜର ଦବ୍‌ଦବା ଜାରି ରଖିଛି । ୧୯ ବର୍ଷର କମ୍‌ ଏସିଆ କପରେ ଭାରତ ପାକିସ୍ତାନକୁ  ୯୦ରନରେ ହରାଇ ପୁଣି ପ୍ରତିଶୋଧ ନେଇଛି ।


    ଦୁବାଇ ଠାରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ହରାଇଥିଲା । କିନ୍ତୁ ଅଧିନାୟକ ଆୟୁଷ ମାହାତ୍ରେ ଓ ଆରୋନ ଗର୍ଗ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ । ଆୟୁଷ ୨୫ ବଲରେ ୩୮ରନ କରି ଆଉଟ ହୋଇଥିବା ବେଳେ ଗର୍ଗ ମୂଲ୍ୟବାନ ୮୫ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିନିଷ୍କ ଚୌହାନ ୪୬ ଓ ମଭିଗ୍ୟାନ କୁଣ୍ଡୁ ୨୨ ରନ କରିଥିଲେ । ଭାରତ ୪୬.୧ ଓଭରରେ ୨୪୦ ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ସାୟାନ ଓ ଅବଦୁଲ ଶୁବନ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ନିକବ ସଫିକ୍‌ ୨ଟି ଟ୍ୱିକେଟ ନେଇଥିଲେ ।


    ୨୪୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୨୧ ରନରେ ତାର ପ୍ରଥମ ୱିକେଟ ହରାଇଥିବା ବେଳେ ୩୦ରନରେ ୪ଟି ୱିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ହୁଯାଫିଆ ଆଶାନ ଧର୍ଯ୍ୟପୂର୍ଣ୍ଣ ୭୦ରନର ଇନିଂସ ଖେଳିଥିଲେ ମଧ୍ୟ ପାକିସ୍ତାନ ୪୧.୨ ଓଭରରେ ମାତ୍ର ୧୫୦ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଏହି ମ୍ୟାଚକୁ ୯୦ ରନରେ ଜିତି ଟୁର୍ଣ୍ଣାମେଣ୍ଟରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ଓ କନିଷ୍କ ଚୌହାନ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ କିଷନ କୁମାର ୨ଟି ଓ ଖିଲନ କୁମାର ଓ ବୈଭବ ସୂର୍ଯ୍ୟବଂଶୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । କନିଷ୍କ ଚୌହାନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା ।