ଆଜି ଭାରତ-ନୁ୍ୟଜିଲାଣ୍ଡ ମହାମୁକାବିଲା
ନୂଆଦିଲ୍ଲୀ : ଭାରତ-ନୁ୍ୟଜିଲାଣ୍ଡ ମହା ମୁକାବିଲା । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟାଇଟଲ୍ ହାତେଇବା ପାଇଁ ଉଭୟ ଦଳ ଭିନ୍ନ ରଣନୀତି ଆପଣାଇଛନ୍ତି । ଭାରତ ନିଜ ବୋଲିଂ ଅର୍ଡରରେ ସାମାନ୍ୟ ପରିବର୍ତ୍ତନ ଆଣିବା ସହ ନୁ୍ୟଜିଲାଣ୍ଡ ବିପକ୍ଷରେ ସ୍ପିନର୍ମାନଙ୍କୁ ପ୍ରାଥମିକତା ଦେଇଛି । ସେହିପରି କ୍ଷେତ୍ରରକ୍ଷଣ (ଫିଲ୍ଡିଂ)କୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ନୁ୍ୟଜିଲାଣ୍ଡ ଏଥର ମଧ୍ୟ ଫିଲ୍ଡିଂ କ୍ଷମତାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛି । ସେପଟେ ଭାରତ-ନୁ୍ୟଜିଲାଣ୍ଡ ଫାଇନାଲ୍ ପାଇଁ ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଉଭୟ ଦଳର ଅଧିନାୟକ ପିଚ୍ ପରଖିଛନ୍ତି । କ୍ରିକେଟ ସମୀକ୍ଷକଙ୍କ ମତ ଅନୁସାରେ ଦୁବାଇର ଏହି ଷ୍ଟାଡିୟମ୍ଟି ବୋଲିଂ ପିଚ୍ ହୋଇଥିବାରୁ ଏଠାରେ ଉଭୟ ଦଳର ସର୍ବାଧିକ ସ୍କୋର୍ କରିବା ଆଶା ମଉଳିପାରେ । ଅତିବେଶୀରେ ଏହି ପିଚ୍ରେ ୨୭୦ କିମ୍ବା ୨୮୦ ପର୍ଯ୍ୟନ୍ତ ଲକ୍ଷ୍ୟ ହାସଲ କରାଯାଇପାରେ । ସିଧାସଳଖ କହିବାକୁ ଗଲେ ପିଚ୍ଟି ସ୍ପିନର୍ମାନଙ୍କ ସପକ୍ଷରେ ହିଁ ରହୁଥିବା ବେଳେ ରଣନୀତି ପଲଟାଇବାରେ ସ୍ପିନର୍ମାନେ ହିଁ ମୁଖ୍ୟ ଭୂମିକା ନେଇପାରନ୍ତି । ଯେଉଁ ଦଳର ସ୍ପିନର୍ ଯେତେ ଶକ୍ତିଶାଳୀ, ସେହି ଦଳ ସେହିଭଳି ଉତ୍ତମ ପ୍ରଦର୍ଶନ କରିବ ।
ଅପରପକ୍ଷେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ, ବାଂଲାଦେଶ, ଅଷ୍ଟ୍ରେଲିଆକୁ ହରାଇ ଶେଷରେ ସେମିନଫାଇନାଲ୍ରେ ନୁ୍ୟଜିଲାଣ୍ଡକୁ ମଧ୍ୟ ପରାସ୍ତ କରିଥିଲା । ଆଉ ଫାଇନାଲ୍ରେ ମଧ୍ୟ ପୁଣି ନୁ୍ୟଜିଲାଣ୍ଡକୁ ହରାଇ ୨୦୨୫ ଟାଇଟଲ ଜିତିବା ପାଇଁ ସମସ୍ତ ରଣନୀତିରେ ଶେଷ ସ୍ପର୍ଶ ଦେଇଛନ୍ତି ଅଧିନାୟକ ରୋହିତ । ଆଉ ଦଳ ସମେତ ସମସ୍ତ ଭାରତୀୟ କ୍ରିକେଟ ପ୍ରେମୀ ଜିତିବା ନେଇ ମଧ୍ୟ ଆଶାବାଦୀ ଅଛନ୍ତି । ଦୀର୍ଘ ୧୨ ବର୍ଷ ଅନ୍ତରାଳରେ ଚାମ୍ପିଅନ୍ସ ଟ୍ରଫିରେ ପ୍ରବେଶ କରିଥିବା ଭାରତ ଏଥର ପୂର୍ବ ଭୁଲ୍କୁ ନ ଦୋହରାଇବା ପାଇଁ ନିଜ ବୋଲିଂ ଅର୍ଡର ପ୍ରତି ବିଶେଷ ଧ୍ୟାନ ଦେଇଛି । ସେହିପରି ପାକିସ୍ତାନ ଏବଂ ବାଂଲାଦେଶ ସମେତ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ହ୍ୟାଟ୍ରିକ କରିଥିବା ନୁ୍ୟଜିଲାଣ୍ଡ ମଧ୍ୟ ୨୫ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲର ନିକଟତର ହୋଇଛି । ଗତ ସେମିଫାଇନାଲ୍ରେ ଭାରତ ବିପକ୍ଷ ନୁ୍ୟଜିଲାଣ୍ଡ୍ରେ ପରାସ୍ତ ହୋଇଥିବା ନୁ୍ୟଜିଲାଣ୍ଡ୍ ଗତଥର ଏଥର ଭାରତ ବିପକ୍ଷରେ ଆଉ କ’ଣ ରଣନୀତି ଆଣୁଛି ତାହା ଆସନ୍ତାକାଲି ଜଣାପଡ଼ିବ । ସେମିଫାଇନାଲ୍ରେ କେଉଁ କାରଣ ପାଇଁ ଭାରତ ଠାରୁ ଦଳ ହାରିଲା ଏବଂ ଦଳର ଦୁର୍ବଳତା ଓ ରଣକୌଶଳ କ’ଣ ସେ ଉପରେ ଫୋକସ୍ କରିଛନ୍ତି ଅଧିନାୟକ ମିଚେଲ୍ ସାଣ୍ଟନର୍ ।
ଭାରତର ମଙ୍ଗ ଧରିଥିବା ରୋହିତ ଆସନ୍ତାକାଲି ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ନଜରରେ ରୋହିତ ଏବଂ କୋହଲି ସର୍ବାଧିକ ରନ୍ସଂଗ୍ରହକାରୀ ଭାବେ ଚର୍ଚ୍ଚିତ ଚେହେରା ହୋଇଛନ୍ତି । କିନ୍ତୁ ଏହା ବାଦ ଗିଲ୍, ଆୟର୍ ଏବଂ ରାହୁଲଙ୍କ କାନ୍ଧରେ ମଧ୍ୟ ରନ୍ ସଂଗ୍ରହର ଜୁଆଳି ପଡ଼ିଛି । ସେହିପରି ଟ୍ରମ୍ପ୍ କାର୍ଡ ଭାବେ ଭାରତ ନିଜର ସ୍ପିନର୍ କୁଲଦୀପ, ଜାଡ଼େଜା, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ବୋଲିଂ ରଣନୀତି ପ୍ରସ୍ତୁତ କରିଛି । ସେପଟେ ଭାରତକୁ ମାତ ଦେବା ପାଇଁ ନୁ୍ୟଜିଲାଣ୍ଡ୍ ଅଲରାଉଣ୍ଡର୍ ରାଚିନ ରବୀନ୍ଦ୍ର ଏବଂ ୱିଲିଅମ୍ସନ୍ଙ୍କୁ ଛାମୁଆ ଖେଳାଳି ଭାବେ ଆଗରେ ରଖିଛି । ଗତ ସେମିଫାଇନାଲ୍ରେ ଦକ୍ଷିଣଆଫ୍ରିକା ବିପକ୍ଷରେ ଦୁହେଁ ଦଳକୁ ଜିତାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଅଧିନାୟକ ସାଣ୍ଟନର୍ ଫାଇନାଲ୍ ପାଇଁ ମଧ୍ୟ ସେମାନଙ୍କ ଉପରେ ଆଶା ବାନ୍ଧିଛନ୍ତି । ସେହିପରି ନୁ୍ୟଜିଲାଣ୍ଡ ମଧ୍ୟ ବୋଲିଂ ପାଇଁ ସମାନ ରଣନୀତି ଆପଣାଇଛି । ସାଣ୍ଟନର୍, ବ୍ରେସ୍ୱେଲ୍, ରଚିନ ରବୀନ୍ଦ୍ର ଏବଂ ଗ୍ଲେନ୍ ଫିଲିପ୍ସଙ୍କୁ ବୋଲିଂ ପାଇଁ ପ୍ରସ୍ତୁତ କରିଛି ନୁ୍ୟଜିଲାଣ୍ଡ ।