୨୦ରୁ ଖୋଲିବ ସ୍କୁଲ୍
ଭୁବନେଶ୍ୱର: ଖରା ଛୁଟି ସରିଯିବ । ଆସନ୍ତା ୨୦ରୁ ବିଦ୍ୟାଳୟ ଖୋଲିବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ସ୍କୁଲ ଖୋଲିବା ଦିନ ଠାରୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ସେହିପରି ଏବେ କେତେକ ଜିଲ୍ଳାରେ ଡାଇରିଆ ବ୍ୟାପିଥିବାରୁ ସ୍ୱଚ୍ଛତା ଓ ବିଶୁଦ୍ଧ ପାନୀୟ ଜଳ ଉପରେ ବି ଗୁରୁତ୍ୱ ଦିଆଯାଇଛି । ସ୍କୁଲରେ ତାହାକୁ ନିଶ୍ଚିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ବିଦ୍ୟାଳୟ ୨୦ରେ ଖୋଲିବାର ଥିଲେ ମଧ୍ୟ ଦିନକ ପୂର୍ବରୁ ଶିକ୍ଷକ, କର୍ମଚାରୀ, ପାଚିକା ଓ ସହାୟିକାମାନେ ସ୍କୁଲ୍ ଯିବେ । ସେମାନେ ସ୍କୁଲର ପରିମଳ ଓ ଅନ୍ୟାନ୍ୟ ଦିଗ ଅନୁଧ୍ୟାନ କରିବେ । ସେହିପରି ଏବେ ବର୍ଷା ଦିନ ହୋଇଥିବାବେଳେ କେତେକ ରାଜ୍ୟରେ କରୋନା ବି ବ୍ୟାପିଛି । ଥଣ୍ଡା ଭଳି ଲକ୍ଷଣ ଥିଲେ ପିଲାମାନଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯିବ । ଶ୍ରେଣୀଗୃହ ଓ କ୍ୟାମ୍ପସ ପରିଷ୍କାର କରାଯିବା ସହ ଓଭର ହେଡ଼ ଟାଙ୍କି ବି ସଫା କରାଯିବ । ଏହାଛଡ଼ା କିଚେନ, ବାସନକୁସନ ସହ ଅନ୍ୟ ରୋଷେଇ ଉପକରଣ ବି ଭଲଭାବେ ପରିଷ୍କାର କରିବାକୁ କୁହାଯାଇଛି ।