ଗ୍ରେ ଲିଷ୍ଟକୁ ଯିବ ପାକିସ୍ତାନ! ପହଲଗାମ ଆକ୍ରମଣକୁ ଏଫଏଟିଏଫର ନିନ୍ଦା
ପାକିସ୍ତାନକୁ ବଡ଼ ଝଟକା ଦେଇଛି ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) । ପହଲଗାମ ଆକ୍ରମଣକୁ ନିନ୍ଦା କରିବା ସହ ବିନା ଟଙ୍କାରେ ଏହା ସମ୍ଭବପର ନୁହେଁ ବୋଲି ଏଫଏଟିଏଫ ପକ୍ଷରୁ କୁହାଯାଇଛି । ଫଳରେ ପୁଣି ପାକିସ୍ତାନ ଗ୍ରେ ଲିଷ୍ଟକୁ ଯିବବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆତଙ୍କବାଦୀ ସଂଗଠନକୁ ଅର୍ଥ ଦେଉଥିବା ପ୍ରମାଣ ମିଳିବା ପରେ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯାଇଥିଲା । ଯାହାଫଳରେ ପାକ୍ ବିପୁଳ ଆର୍ଥିକ କ୍ଷତିର ସାମ୍ନା କରିଥିଲା । କିନ୍ତୁ ୨୦୨୨ରେ ପାକକୁ ଏହି ତାଲିକାରୁ ହଟା ଯାଇଥିଲା । ଆତଙ୍କବାଦ ବିରୋଧରେ ପାକିସ୍ତାନ ଲଢ଼େଇ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏଫଏଟିଏଫ ଏଭଳି ନିଷ୍ପତ୍ତି ନେଇଥିଲା । ପହଲଗାମ ଆକ୍ରମଣ ପରେ ଭାରତ ବିଶ୍ୱ ସମୁଦାୟ ନିକଟରେ ପାକିସ୍ତାନର ଅସଲ ଚେହେରା ଖୋଲିଦେଇଛି । ପାକକୁ ଗ୍ରେ ଲିଷ୍ଟରେ ସାମିଲ୍ କରିବାକୁ ଭାରତ ବିଭିନ୍ନ ଫୋରମରେ ଦାବି କରିଆସୁଛି । ଏଭଳି ହେଲେ ପାକିସ୍ତାନକୁ ଆଉ ବିଶ୍ୱବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଆର୍ଥିକ ସହାୟତା ପ୍ରଦାନ କରିବେ ନାହିଁ । ଏଫଏଟିଏଫର ଏଭଳି ମନ୍ତବ୍ୟ ଏବେ ପାକିସ୍ତାନକୁ ଅକଳରେ ପକାଇଦେଇଛି ।