୨୨୦ କୋଟିର ଚୁନ ଲଗାଇଛନ୍ତି ସାଇବର ଠକ

୨୨୦ କୋଟିର ଚୁନ ଲଗାଇଛନ୍ତି ସାଇବର ଠକ

ଭୁବନେଶ୍ୱର : ସାଇବର ଠକମାନେ କଳ କୌଶଳ କରି ୨୨୦ କୋଟି ଟଙ୍କା ଠକି ନେଇଛନ୍ତି  । ସେମାନଙ୍କୁ ଧରିବା ପାଇଁ ସରକାର ଯେତେ ଉଦ୍ୟମ କଲେବି ମାତ୍ର ୪ କୋଟି ଟଙ୍କା ଉଦ୍ଧାର ହୋଇଯାଇଛି  । ଯେତେବେଳେକି ପ୍ରାୟ ୧୧ କୋଟି ଟଙ୍କା ଫ୍ରିଜ୍‌ ହୋଇଛି  । ସେପଟେ ୩୬୧ ଠକଙ୍କୁ ଗିରଫ କରିବାରେ ପୁଲିସ୍‌ ସଫଳ ହୋଇଛି  ।
ବିଧାନସଭାରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୨୦୨୩ରେ ୧୩୬୨ଟି ସାଇବର ଠକେଇ ମାମଲା ହୋଇଥିବାବେଳେ ୧୫୫ ଜଣ ପୁରୁଷ ଓ ୮ ମହିଳା ଗିରଫ ହୋଇଛନ୍ତି  । ପ୍ରାୟ ୪୮ କୋଟି ଟଙ୍କା ଠକେଇର ଅଭିଯୋଗ ଆସିଥିବାବେଳେ ଦେଢ଼ କୋଟି ଟଙ୍କା ଉଦ୍ଧାର ହୋଇଛି  । ଯେତେବେଳେକି ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଫ୍ରିଜ୍‌ ହୋଇଯାଇଛି  । ସେହିପରି ୨୦୨୪ରେ ୧୫୫୩ଟି ଠକେଇ ମାମଲା ହୋଇଥିବାବେଳେ ୧୮୯ ପୁରୁଷ ଓ ୨ ମହିଳାଙ୍କୁ ଗିରଫ କରାଯାଇଛି  । ସେହି ସମୟରେ ୧୫୩ କୋଟିର ଠକେଇ ଅଭିଯୋଗ ଆସିଥିବାବେଳେ ୨ କୋଟି ଟଙ୍କା ଉଦ୍ଧାର ହୋଇଛି  । ୮ କୋଟି ୫୩ ଲକ୍ଷ ଟଙ୍କା ଫ୍ରିଜ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି  । ୨୦୨୫ରେ ୧୧୫ ମାମଲା ହୋଇଥିବାବେଳେ ୭ ପୁରୁଷ ଗିରଫ ହୋଇଛନ୍ତି  । ଠକେଇ ପରିମାଣ ପ୍ରାୟ ୨୧ କୋଟି ହୋଇଥିବା ଜଣାପଡ଼ିଛି  ।