ନବୀନ ନିବାସ ରାସ୍ତା ଚଉଡ଼ା

ନବୀନ ନିବାସ ଆଗ ଦେଇ ଯାଇଥିବା ରାସ୍ତାର ସଂପ୍ରସାରଣ କାମ ଆରମ୍ଭ ହୋଇଛି। ପୋଖରୀପୁଟରୁ ପୂନାମା ଗେଟ୍ ଓ ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ଚଉଡ଼ା କରିବା ପାଇଁ ଭୁବନେଶ୍ୱର ପୂର୍ତ୍ତ ବିଭାଗ ଡିଭିଜନ୍-୨ ପକ୍ଷରୁ କିଛି ଦିନ ହେଲା ଜୋରସୋରରେ କାମ ଆରମ୍ଭ ହୋଇଛି। ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ଏହି ଦୁଇ କିଲୋମିଟର ରାସ୍ତା ତିଆରି ହେଉଥିବା ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦର କଡ଼ ଦେଇ ଯାଇଥିବା ଏହି ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ଏବେ ଏୟାରପୋର୍ଟକୁ ଲାଗିଥିବା ଅବରୋଧଗୁଡ଼ିକୁ ହଟାଯାଉଛି। ତେବେ ଏହି ଅବରୋଧ ହଟାଇଲାବେଳେ ନବୀନ ନିବାସ ଆଗରେ ଅବରୋଧ ହୋଇ ରହିଥିବା ଗୋଟିଏ ଲେନକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି। ସୁରକ୍ଷା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୭ ମସିହାରେ ନବୀନ ନିବାସ ଆଗରେ ପୂର୍ତ୍ତ ବିଭାଗ ଦୁଇ-ଥାକିଆ ଚଉଡ଼ା ରାସ୍ତା ତିଆରି କଲା। ଏଥିରୁ ଗୋଟିଏ ରାସ୍ତାକୁ ସବୁଦିନ ପାଇଁ ସୁରକ୍ଷା କର୍ମୀଙ୍କ ଗାଡ଼ି ରହିବା ପାଇଁ ବନ୍ଦ କରିଦିଆଗଲା। ସାଧାରଣ ଲୋକେ ଏବେ କେବଳ ଗୋଟିଏ ପଟ ରାସ୍ତାରେ ଯା-ଆସ କରୁଛନ୍ତି। ପୂର୍ତ୍ତ ବିଭାଗ ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦର ପାଖରୁ ପ୍ରାୟ ୩ ଏକର ଜମି ଆଣିଥିଲା। ବିମାନ ବନ୍ଦରକୁ ସେହି ପରିମାଣ ଜାଗା ଦେଇଥିଲେ ରାଜ୍ୟ ସରକାର। କ୍ୟାପିଟାଲ ରୋଡ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ବା ସିଆରଡିପି କାର୍ଯ୍ୟକ୍ରମ ଜରିଆରେ ଏହି ରାସ୍ତା ପାଇଁ ୩.୨୨ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଥିଲା।