୩ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଲଟ ବୁକିଂ ଶେଷ

ଭୁବନେଶ୍ୱର :  ମାର୍ଚ୍ଚ ୩ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍ଲଟ୍ ବୁକିଂ ଶେଷ ହୋଇଛି  । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇବା ପାଇଁ ୧ ହଜାର ଲୋକ ପଞ୍ଜୀକରଣ କରିଛନ୍ତି  । ଫେବୃଆରି ୨୮ ତାରିଖ ପୂର୍ବାହ୍ନ ୧୧ ଘଟିକା ଠାରୁ ଏହି ସ୍ଲଟ୍ ବୁକିଂ ବା ପଞ୍ଜୀକରଣ ଆରମ୍ଭ ହୋଇଥିଲା  । ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମାର୍ଚ୍ଚ ୧ ତାରିଖ ଶନିବାର ଅପରାହ୍ଣ ସୁଦ୍ଧା  ୧ ହଜାର ଜଣ ନିଜ ନିଜର ସ୍ଲଟ୍ ବୁକିଂ କରିସାରିଥିବା ଜଣାଯାଇଛି  । ଏହି ସମସ୍ତ ଜନସାଧାରଣ ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଏବଂ ନିଜର ଅଭିଯୋଗ ପତ୍ର ସହ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇବା ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  ।