ଯାଦବପୁରରେ ଛାତ୍ର ଅଶାନ୍ତି : ଶିକ୍ଷାମନ୍ତ୍ରୀଙ୍କୁ ପିଟିଲେ

ପଶ୍ଚିମବଙ୍ଗ ଯାଦବପୁର ୟୁନିଭର୍ସିଟିରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖା ଦେଇଛି । ଉତ୍ତ୍ୟକ୍ତ ଛାତ୍ରମାନେ ୟୁନିଭର୍ସିଟିରେ ଭଙ୍ଗାରୁଜା କରିବା ସହ ବୈଠକ ଜରିଆରେ ପିଲାଙ୍କୁ ବୁଝାସୁଝା କରିବାକୁ ଆସିଥିବା ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଏହାସହ ଶିକ୍ଷାମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜା କରି ତାଙ୍କ ଟାୟାର୍ ପଙ୍କଚର୍ କରି ଦେଇଥିଲେ । ୟୁନିଭର୍ସିଟି କର୍ତ୍ତୃପକ୍ଷ ଏବଂ ଉତ୍ତ୍ୟକ୍ତ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ଯୋଗୁ ବହୁ ଅଧ୍ୟାପକ ମଧ୍ୟ ଏଥିରେ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟଯେ,  ଯାଦବପୁର ୟୁନିଭର୍ସିଟିରେ ବାମପନ୍ଥୀ ଛାତ୍ର ସଙ୍ଗଠନ ଛାତ୍ରସଂସଦ ନିର୍ବାଚନ ଦାବି କରି ଆନେ୍ଦାଳନ କରି ଆସୁଥିଲେ । ଆଜି ଶିକ୍ଷାମନ୍ତ୍ରୀ ବ୍ରାତ୍ୟ ବସୁ ବିଶ୍ୱବିଦ୍ୟାଳୟକୁ ପଶ୍ଚିମବଙ୍ଗ କଲେଜ ଆଣ୍ଡ ୟୁନିଭର୍ସିଟି ପ୍ରଫେସର ଆସୋସିଏସନ ବୈଠକରେ ଯୋଗ ଦେବାକୁ ଆସିଥିଲେ । ବୈଠକରେ ଯୋଗ ଦେଇ ଶିକ୍ଷାମନ୍ତ୍ରୀ ଫେରିବା ବେଳେ ଛାତ୍ରଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ । ଉତ୍ତେଜିତ ଛାତ୍ରମାନେ ତାଙ୍କ ଗାଡ଼ି ଚକ ପଙ୍କଚର କରିଦେଇଥିଲେ । ଏହାପରେ ମନ୍ତ୍ରୀଙ୍କ କାର ଓ ସାଙ୍ଗରେ ଥିବା ପାଇଲଟ କାରକୁ ଭଙ୍ଗାରୁଜା କରିଥିଲେ । ଛାତ୍ରମାନେ ଶିକ୍ଷାମନ୍ତ୍ରୀଙ୍କୁ ପାଖାପାଖି ଦୁଇ ଘଣ୍ଟା ଅଟକ କରି ରଖିଥିଲେ । ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ତାଙ୍କ କାର ଉପରକୁ ଇଟା ଫିଙ୍ଗାଯାଇଥିଲା ଓ ତାଙ୍କ ଉପରେ ଆକ୍ରମଣ କରାଯାଇଛି । ପରେ ପୁଲିସ ପହଞ୍ଚି ଶିକ୍ଷାମନ୍ତ୍ରୀଙ୍କୁ ଛାତ୍ରଙ୍କ କବଳରୁ ଉଦ୍ଧାର କରି ଏସଏସକେଏମ ହସ୍ପିଟାଲ୍ ନେଇଥିଲା । ସେଠାରେ ଟ୍ରମା କେୟାର ସେଣ୍ଟରରେ ତାଙ୍କର ପ୍ରାଥମିକ ଚିକିସôା କରି ଛାଡ଼ି ଦିଆଯାଇଛି । ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ ପାଇଁ ବାମପନ୍ଥୀ ଛାତ୍ର ସଙ୍ଗଠନ ପୂର୍ବରୁ କ୍ୟାମ୍ପସରେ ଧାରଣା ଦେଇ ବସିଥିଲା ।