ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା: ମନ୍ତ୍ରୀ
ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଜି ସମୀକ୍ଷା କରିଥିଲେ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ରାଜ୍ୟ ଖାଦ୍ୟଯୋଗାଣ ନିଗମ ପରିଚାଳନା ନିଦେ୍ର୍ଦଶକ ଶ୍ରୀ ଶୁଭମ୍ ସକସେନାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବୈଠକରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ସଂପର୍କରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଅବଗତ କରିଥିଲେ । ଚଳିତ ଖରିଫ୍ ଋତୁରେ ଧାନକିଣା ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି । ଚାଷୀମାନଙ୍କ ହିତକୁ ଅଗ୍ରାଧିକାର ଦେବା ସହ ସେମାନଙ୍କ ସମସ୍ୟାକୁ ଗୁରୁତର ଭାବେ ବିଚାର କରି ତ୍ୱରିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତାହାର ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କୌଣସି ପଞ୍ଜୀକୃତ ଚାଷୀ ଧାନକିଣାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ସେହିଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଏଣିକି ଆସନ୍ତା ଜାନୁଆରୀ ମାସରୁ ମାସିକିଆ ରାସନ ପ୍ରଦାନ କରାଯିବ । ପ୍ରତ୍ୟେକ ମାସର ରାସନ ପୂର୍ବ ମାସର ଶେଷ ସପ୍ତାହ ସୁଦ୍ଧା ପ୍ରଦାନ କରାଗଲେ ହିତାଧିକାରୀମାନେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଥିଲେ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇମାସିଆ ରାସନ ମଧ୍ୟ ପ୍ରଦାନ କରାଯିବ । ଏଥି ନିମନ୍ତେ ଡିଲରମାନେ ଠିକଣା ସମୟରେ ସାଧାରଣ ବଣ୍ଟନ ସାମଗ୍ରୀ ଉଠାଣ କରିବା ଏବଂ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ଇ-କେୱାସି ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅବଗତ କରିବା ପାଇଁ ନିଷ୍ପତ୍ତି ହୋଇଛି ।
ଖାଉଟିମାନଙ୍କ ହିତକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି କରୁଥିବା ବ୍ୟବସାୟୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏଥି ନିମନ୍ତେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା ।