୪୭୩୯ କୋଟିର ପ୍ରକଳ୍ପକୁ ମଞ୍ଜୁରୀ ; ୨୫ ପ୍ରକଳ୍ପ, ୨୫ ହଜାର ନିଯୁକ୍ତି ସୁଯୋଗ
ଭୁବନେଶ୍ୱର : ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଳିୟରାନ୍ସ କମିଟି ଆଜି ୨୫ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ୪୭୩୯ କୋଟିର ନିବେଶ ହେବାର ଥିବାବେଳେ ୨୫ ହଜାର ୨୦୦ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମତୁଲ ଆଞ୍ଚଳିକ ବିକାଶ ଉପରେ ଫୋକସ୍ କରୁଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଡବ୍ଳ୍ୟୁସିଏ)ର ୧୪୦ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୪,୭୩୯ କୋଟି ଟଙ୍କାର ମୋଟ ୨୫ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଖୋର୍ଦ୍ଧା, ଯାଜପୁର, କଟକ, ସମ୍ବଲପୁର, ଝାରସୁଗୁଡା, ଗଞ୍ଜାମ, ମୟୂରଭଞ୍ଜ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ୨୫,୨୦୦ଟି ନୂତନ ନିଯୁକ୍ତି ସୃଷ୍ଟି ହେବ ।
ଲିନ୍ଡେ ଇଣ୍ଡିଆ ଲିମିଟେଡ୍ ଖୋର୍ଦ୍ଧାରେ ପରିବହନ ଏବଂ ରିମୋଟ ଅପରେସନ ପାଇଁ ଏକ ବୈଶ୍ୱିକ କୌଶଳ କେନ୍ଦ୍ର ସ୍ଥାପନ କରିବ । ଏଥିପାଇଁ ୮୨ କୋଟି ଟଙ୍କା ନିବେଶ ହେବା ସହିତ ୨୧୦ ନିଯୁକ୍ତି ସୃଷ୍ଟି ହେବ । ଏହି କମ୍ପାନୀ ମଧ୍ୟ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଯାଜପୁରରେ ଟାଟା ଇସ୍ପାତ ଓ ଅନ୍ୟାନ୍ୟ ଶିଳ୍ପସଂସ୍ଥା ପାଇଁ ପାଇପଲାଇନ୍? କ୍ଲଷ୍ଟର ପ୍ରକଳ୍ପ ସ୍ଥାପନ କରିବ । ଏଥିପାଇଁ ୧୦୫.୭୦ କୋଟି ଟଙ୍କା ନିବେଶ କରିବ । ବସ୍ତ୍ର, ପୋଷାକ ଓ ପ୍ରାଯୁକ୍ତିକ ବସ୍ତ୍ର କ୍ଷେତ୍ରରେ କଲରଟୋନ୍ ଟେକ୍ସଟାଇଲ୍ସ ଖୋର୍ଦ୍ଧାରେ ୭୦୦ କୋଟି ଟଙ୍କା ନିବେଶ କରି ସମନ୍ୱିତ ବସ୍ତ୍ର କେନ୍ଦ୍ର ସୁବିଧା ସ୍ଥାପନ କରିବ । ଯାହାଦ୍ୱାରା ୧ ହଜାରରୁ ଉଦ୍ଧ୍ୱର୍ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଟେକ୍ନୋ ଆକ୍ଟିଭ୍ ୱେୟାର୍ କଟକରେ କ୍ରୀଡା ପୋଷାକ ଫେବ୍ରିକ୍ ଓ ପୋଷାକ ୟୁନିଟ୍ ପାଇଁ ଶହେ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ଅଢେ଼ଇ ହଜାର ନିଯୁକ୍ତି ସୃଷ୍ଟି ହେବ । ହିଣ୍ଡାଲ୍କ ଇଣ୍ଡଷ୍ଟ୍ରିଜ୍ କେନ୍ଦୁଝର ଓ ସମ୍ବଲପୁରରେ ପୋଷାକ ୟୁନିଟ୍ ପାଇଁ ୧୦୦ କୋଟି ଟଙ୍କା ଲେଖାଏଁ ନିବେଶ କରିବା ସହ ଦୁଇ କାରଖାନାରେ ୨୪ ଶହ ନିଯୁକ୍ତି ସୃଷ୍ଟି କରିବ । ଏସ୍ସିଏମ୍ ଗାର୍ମେଣ୍ଟ୍ସ କଟକରେଦ୍ଭ ଏକ ବୃହତ୍ ବୁଣା ପୋଷାକ ୟୁନିଟ୍ ପାଇଁ ୧୫୦ କୋଟି ଟଙ୍କା ନିବେଶ କରି ୪ ହଜାର ନିଯୁକ୍ତି ସୃଷ୍ଟି କରିବ । କାର୍ଲୁ ଟେକ୍ସ କଟକରେ ରେଡିମେଡ୍ ପୋଷାକ ୟୁନିଟ୍ ସ୍ଥାପନ ପାଇଁ ୬୦ କୋଟି ଟଙ୍କା ନିବେଶ କରିବ, ଯାହାଦ୍ୱାରା ୨୫ ଶହ ନିଯୁକ୍ତି ସୃଷ୍ଟି ହେବ । ସେହିପରି ପର୍ଫକ୍ଟ ଇନ୍ଫ୍ରା ଭିଜନ୍ ବଲାଙ୍ଗିରରେ ବସ୍ତ୍ର ଓ ଆନୁଷଙ୍ଗିକ ଉତ୍ପାଦ ୟୁନିଟ୍ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରି ୧୦୫୦ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି । ୱାଭିନୋଭା କଟକରେ ସ୍ୱାସ୍ଥ୍ୟ ସେବା ଓ ହସ୍ପିଟାଲ୍ ପାଇଁ ଅବୁଣା ବ୍ୟବହାର ଯୋଗ୍ୟ ସାମଗ୍ରୀ ୟୁନିଟ୍ ପାଇଁ ୫୭.୫୩ କୋଟି ଟଙ୍କା ବିନିଯୋଗ କରିବ । ପିଉ ଫ୍ୟାସନ୍ ଖୋର୍ଦ୍ଧାରେ ପୋଷାକ ୟୁନିଟ୍ ପାଇଁ ୯୭ କୋଟି ନିବେଶ କରି ୩୭ ଶହ ନିଯୁକ୍ତି ଏବଂ ଅଦିତି ଲାଇଫ୍ଷ୍ଟାଇଲ୍ ଖୋର୍ଦ୍ଧାରେ ବୁଣା ବସ୍ତ୍ର ଓ ପୋଷାକ ୟୁନିଟ୍ ପାଇଁ ୨୦୯ କୋଟି ଟଙ୍କା ନିବେଶ କରି ୧,୦୮୦ ନିଯୁକ୍ତି ଲକ୍ଷ୍ୟ ରଖିଛନ୍ତି । ଆହୁରି ମଧ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଏସ୍ୱାଇସିଇ ଇଣ୍ଡିଆ ସମ୍ବଲପୁରରେ ପଞ୍ଚତାରକାରିସୋର୍ଟ ପାଇଁ ୧୦୭.୪୨ କୋଟି ଟଙ୍କା ନିବେଶ କରିବାର ଥିବାବେଳେ ରାହୀ ଟ୍ରାକ୍ ଟେକ୍ନୋଲୋଜିଜ୍ ଖୋର୍ଦ୍ଧାରେ ଭାରି ଇସ୍ପାତ କାଷ୍ଟିଂ ବ୍ୟବସ୍ଥା ପାଇଁ ୧୪୦ କୋଟି ଟଙ୍କା ବିନିଯୋଗ କରିବ । କୋଣାର୍କ ଇସ୍ପାତ ଝାରସୁଗୁଡାରେ ରୋଲିଂ ମିଲ୍, ପେଲେଟ୍ ପ୍ଲାଣ୍ଟ, ଡିଆର୍ଆଇ, ବିଲେଟ୍ ପ୍ଲାଣ୍ଟ ଓ ସି.ପି.ପି. ସହିତ କାରଖାନା ବିସ୍ତାର ପାଇଁ ୯୯୦ କୋଟି ଟଙ୍କା ନିବେଶ କରି ୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମାସ୍କଟ୍ ଇଲେକ୍ଟ୍ରୋମେକ୍ ମୟୂରଭଞ୍ଜରେ ଫ୍ୟାବ୍ରିକେସନ ଓ ଗାଲଭାନାଇଜିଂ ୟୁନିଟ୍ ସ୍ଥାପନ ପାଇଁ ୯୭.୭୬ କୋଟି ଟଙ୍କା ବିନିଯୋଗ କରି ୩୫୦ ନିଯୁକ୍ତି ସୃଷ୍ଟି କରିବ । ବିଇଆଇଏଲ ଇନ୍ଫ୍ରାଷ୍ଟକଚର ଗଞ୍ଜାମରେ ଚିକିତ୍ସା, ସଂରକ୍ଷଣ ଓ ବର୍ଜ୍ୟ ଅପସାରଣ ସୁବିଧା ପାଇଁ ୨୦୦ କେଏଲଡି ଇଟିପି ପାଇଁ ୩୨୧ କୋଟି ଟଙ୍କା ବିନିଯୋଗ କରିବ । ପରିବହନ ଓ ସଞ୍ଚୟ କ୍ଷେତ୍ରରେ ସାଇଜାର୍ ଇଣ୍ଟରପ୍ରାଇଜ୍ ଅନୁଗୋଳରେ ଗୋଦାମ ଓ ଲଜିଷ୍ଟିକ୍ସ ପାର୍କ ପାଇଁ ୧୨୭.୮୬ କୋଟି ଟଙ୍କା ନିବେଶ କରି ୩୧୦ ନିଯୁକ୍ତି ସୃଷ୍ଟି କରିବ । ବିଦ୍ୟୁତ ଓ ନବୀକରଣ ଯୋଗ୍ୟ ଉର୍ଜା କ୍ଷେତ୍ରରେ ପ୍ରୋଜିଲ୍ ଗ୍ରୀନ୍ ଏନର୍ଜି ସୁବର୍ଣ୍ଣପୁରରେ ୬୯.୫ ମେଗାୱାଟ୍ ସୌର ପାର୍କ ପାଇଁ ୧୪୦ କୋଟି ଟଙ୍କା ବିନିଯୋଗ କରିବାର ଥିବାବେଳେ ଶୀତଳ ଭଣ୍ଡାର ଓ କୋଲ୍ଡ ଚେନ୍ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପିପିଡି ଇସ୍ପାତ ଗଜପତିରେ ୨୦ ହଜାର ମେଟ୍ରିକ୍ ଟନ ବିଶିଷ୍ଟ ଶୀତଳ ଭଣ୍ଡାର ୟୁନିଟ୍ ପାଇଁ ୫୧ କୋଟି ଟଙ୍କା ବିନିଯୋଗ କରିବ । ସେହିପରି ଯାଜପୁରରେ କାର୍ବନ୍ ଇଲେକ୍ଟ୍ରୋଡ଼ ପେଷ୍ଟ୍ ଉତ୍ପାଦନ କାରଖାନା ପାଇଁ ୨୦୫.୪୪ କୋଟି ଟଙ୍କା ନିବେଶ ଫଳରେ ୬ ଶହ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛି ।