ଲୁଟେରା ଗିରଫ; ମୋବାଇଲ ଜବତ

 ଭୁବନେଶ୍ୱର  : ଦୋକାନରୁ ମୋବାଇଲ ଚୋରି ନେଇ, ଅଭିଯୋଗକାରୀ ଶୁଭ୍ରାଂଶୁ ଶେଖର ଜେନାଙ୍କ ରିପୋର୍ଟ ଆଧାରରେ ନୟାପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତ ସୋମନାଥ ମଲ୍ଲିକକୁ ବାପୁଜୀନଗରରୁ ଗିରଫ କରି କୋର୍ଟ ଚାଲାଣ କରିଛି ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ସିଆରପି ଛକ ନିକଟସ୍ଥ ପ୍ଲଟ ନମ୍ବର-୧୨୯୪/ଏଫ ରେ “ଦି ସେଲ ଷ୍ଟୋରୀ” ନାମରେ ଏକ ମୋବାଇଲ ଦୋକାନ ଅଛି । ଗତ ୧୮ ତାରିଖ ରାତି ପ୍ରାୟ ୧୦ ଟା ସମୟରେ ଅଭିଯୁକ୍ତ ଜଣକ ମୋବାଇଲ କିଣିବା ଅଭିପ୍ରାୟରେ ତାଙ୍କ ମୋବାଇଲ ଦୋକାନକୁ ଯାଇଥିଲା । ମୋବାଇଲ ପସନ୍ଦ ହେବା ପରେ ଅଭିଯୁକ୍ତ ଜଣକ ହଠାତ ଉକ୍ତ ମୋବାଇଲକୁ ଧରି ସେଠାରୁ ଦୌଡି ଖସି ପଳାଇ ଯାଇଥିଲା । ଏହି ସମୟରେ ଅଭିଯୋଗକାରୀ ତାର ପିଛା କରିଥିଲେ ମଧ୍ୟ ତାକୁ କାବୁ କରିବାରେ ବିଫଳ ହୋଇଥିଲେ । ପରେ ସେ ଏନେଇ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇ ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚକରି ଅଭିଯୁକ୍ତ ଜଣକ ବାପୁଜୀନଗର ଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଟକ ଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ଏହି ସୂଚନା ଆଧାରରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ହେପାଜତରୁ ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ଆଣିଥିଲା । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ହେପାଜତରୁ ଅଭିଯୋଗକାରୀଙ୍କ ମୋବାଇଲ ଦୋକାନରୁ ଚୋରିଯାଇଥିବା ମୋବାଇଲ ଫୋନକୁ ଜବତ କରିଥିଲେ ।