କୁପୋଷଣ ଦୂର କରିବାକୁ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ
କେନ୍ଦୁଝର: ଅନୁସୂଚିତ ଜୁଆଙ୍ଗ ଜନଜାତି ଶିଶୁଙ୍କ କୁପୋଷଣ ଦୂର କରିବା ନିମନ୍ତେ ଇନ୍ଦ୍ରଧନୁ ପୃଷ୍ଟିଯୁକ୍ତ ଖାଦ୍ୟ ପାଇଁ ଏକ ଜାତୀୟ ନୀତି ନିର୍ଦ୍ଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦୁଝର ସେଲ ଅଡିଟୋରିୟମଠାରେ କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥା, ଆଂଚଳିକ କେନ୍ଦ୍ର ଭୁବନେଶ୍ୱର, କିଟ୍ ଭୁବନେଶ୍ୱର, କିସ୍ ଭୁବନେଶ୍ୱର, ନାଇଜର ଭୁବନେଶ୍ୱର, ଉଦ୍ୟାନ ବିଭାଗ କେନ୍ଦୁଝର ଏବଂ ଡିଏମ୍ଏଫ୍ କେନ୍ଦୁଝର ଆନୁକୂଲ୍ୟରେ ଏହା ହୋଇଛି । ନାବାର୍ଡ ସିଜିଏମ୍ ସଞ୍ଜୟ ତାଲୁକଦାର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅତିଥି ଭାବେ ଜାତୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥା, ଥିରୁବନ୍ତପୁରମର ନିଦେ୍ର୍ଦଶକ ଡଜି.ବୈଜୁ ଜିଲ୍ଲାରେ କୁପୋଷଣ ଦୂର କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ । ଆଦିବାସୀ ଅଧୁ୍ୟଷିତ ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ବ୍ଲକ ସମେତ ଅନ୍ୟ ବ୍ଲକ ଅଞ୍ଚଳରେ କୁପୋଷଣ ଦୂର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶେଷ କରି ଜୁଆଙ୍ଗ ଜନଜାତି ବସବାସ କରୁଥିବା ଅଞ୍ଚଳରେ ଅଧିକ ଦୃଷ୍ଟି ଦିଆଯିବ । ଏଥିପାଇଁ କେନ୍ଦୁଝରରେ ଖୁବଶୀଘ୍ର ଟେକନୋ ଇନକୁଭେସନ ସେଣ୍ଟର(ଟିଆଇସି) ସେଣ୍ଟର ସ୍ଥାପନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ସିଟିସିଆରଆଇର ମୁଖ୍ୟ ବୈଜ୍ଞାନିକ ଡ଼ପି. ଶିବ କୁମାର ସ୍ୱାଗତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦ୍ୟାନ କୃଷି ବିଭାଗ ଉପନିଦେ୍ର୍ଦଶକ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀ, ଉଦ୍ୟାନ କୃଷି ବିଭାଗ ସହକାରୀ ନିଦେ୍ର୍ଦଶକ ଗୋବିନ୍ଦ ଚନ୍ଦ୍ର ମେହେର ସମ୍ମାନିତଅତିଥି ଭାବ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ କୃଷକ ବନ୍ଧୁ, ଅଙ୍ଗନୱାଡି କର୍ମୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମିଳିତ ଭାବେ ସୁଚିନ୍ତିତ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଥିଲେ । ସିଟିସିଆର୍ଇର ଓଡିଶା ମୁଖ୍ୟ ଡ. ନେଦମ ଚେରିଅନ କହିଥିଲେ ଶିଶୁର କୁପୋଷଣ ଦୂର କରିବା ପାଇଁ ଆବଶ୍ୟକ ବୈଷୟିକ ପରାମର୍ଶ, କ୍ଷେତ୍ର ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରାଯିବ ।