ଜିଲ୍ଲାର ହକ ପାଇଁ ଦାବି ଉପସ୍ଥାପନ କଲେ ସାଂସଦ
କେନ୍ଦୁଝର : ସୋମବାର ସଂସଦରେ ରେଳ ବିଭାଗ ସମ୍ପର୍କିତ ଜିଲାର ହକ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ । ହାଓଡା–ବଡବିଲ ଜନ ଶତାବ୍ଦୀ ଏକ୍ସପ୍ରେସକୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ବର୍ତ୍ତମାନ ସଂଯୋଗ ନ ଥିବା କାରଣକୁ ଲୋକ ମାନେ ହଇରାଣ ହେଉଛନ୍ତି । ତେଣୁ ଏହି ଟ୍ରେନକୁ କେନ୍ଦୁଝର ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଉ । ପୁରୀ- ବଡବିଲ ଟ୍ରେନକୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ଏକ୍ସପ୍ରେସ ଭାବେ ନାମିତ କରାଯାଉ । ପୁରୀ–ବଡବିଲ ଏକ୍ସପ୍ରେସରେ ଏସି କୋଚ ସଂଖ୍ୟା ବୃଦ୍ଧି କରାଯାଉ । କେନ୍ଦୁଝରରୁ ଧାମରା ବନ୍ଦରକୁ ହେଉଥିବା ଖଣିଜ ପରିବହନ ସିଧା ସଳଖ ଆନନ୍ଦପୁର ଦେଇ ସଂଯୋଗ କରିବା ସହିତ ମା’ ତାରିଣୀ ମନ୍ଦିର ଘଟଗାଁକୁ ରେଳ ସଂଯୋଗ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ସାଂସଦ ଅନନ୍ତ ନାୟକ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଜିଲାରେ ରେଳ ସଂଯୋଗୀ କରଣ ସହିତ ଆଧୁନିକରଣ ତଥା ନୂତନ ଟ୍ରେନ ମିଳିଥିବାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।