ନାବାଳିକା କୁକର୍ମକାରୀକୁ ୨୦ବର୍ଷ ଜେଲ

କେନ୍ଦୁଝର : କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଶୁକ୍ରବାର ଏକ ନାବାଳିକା କୁକର୍ମ ମାମଲାର ବିଚାର କରି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶଗଡପଟା ଗ୍ରାମର କାହ୍ନୁ ଓରଫ୍‌ କାନ୍ଦରା ନାଏକ(୫୦)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଏହି ମାମଲାରେ ମାଣିଆବନ୍ଧ ଗ୍ରାମ(ଭଗାମୁଣ୍ଡା), ଥାନା-ହରିଚନ୍ଦନପୁରର ସୁମିତ୍ରା ମହାନ୍ତ(୪୦) ଘଟଣା ଜାଣି ଲୁଚାଇଥିବାରୁ ପିଙ୍ଗଳ କୋଡ ଧାରା ୧୭୬ ଅନୁଯାୟୀ ୭୦୦ ଟଙ୍କା ଜରିମାନା, ଜରିମାନା ଅନାଦେୟ ଏକ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ପୀଡିତା ୭ ବର୍ଷର ନାବାଳିକା ହରିଚନ୍ଦନପୁର ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲା । ୨୦୨୩ ମସିହା ଜାନୁଆରୀ ୨୯ ତରିଖରେ ପୀଡିତାର ମାଆ ଝିଅକୁ ହଷ୍ଟେଲରେ ଦେଖା କରିବା ସମୟରେ ତା’ର ଛାତି ପାଖରେ କ୍ଷତ ଚିହ୍ନ ଥିବା ଦେଖି କ’ଣ ହୋଇଛି ବୋଲି ପଚାରିବାରୁ ପୀଡିତା ନାବାଳିକା ଜଣକ କୁକର୍ମ ଘଟଣା ସଂପର୍କରେ ପ୍ରକାଶ କରିଥିଲା  । ପୀଡିତାର ମାଆ ଜାଣିବା ପରେ ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ଏହାକୁ ଭିତ୍ତି କରି ହରିଚନ୍ଦନପୁର ପୁଲିସ ଆସାମୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।