‘ଅଚାନକ ମୃତୁ୍ୟ ସହ କୋଭିଡ୍ ଟିକାର ସାମଞ୍ଜସ୍ୟ ନାହିଁ’

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସ୍ଥିତି ସ୍ୱାଭାବିକ ହେବାର ଦୁଇ/ତିନି ବର୍ଷ ମଧ୍ୟରେ ଅଚାନକ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଅଧିକାଂଶ ଯୁବପିଢ଼ିମାନେ ମୃତୁ୍ୟର ଶିକାର ହେଉଛନ୍ତି । କୋଭିଡ୍ ସମୟରେ ଟିକା ନେଇଥିବା ବ୍ୟକ୍ତିମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଖୁବ୍ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହି ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ମନ୍ତ୍ରୀ କହିଛନ୍ତି ଯେ, ଅଚାନକ ମୃତୁ୍ୟ ପାଇଁ କୋଭିଡ୍ ଟିକା ଦାୟୀ ନୁହେଁ । ଏହାକୁ ନେଇ ସେ ରାଜ୍ୟସଭା ସଂସଦରେ ସ୍ପଷ୍ଟୀକରଣ ରଖିଛନ୍ତି । ଦେଶରେ କରୋନା ସଙ୍କଟ ପରେ ହଠାତ୍ ମୃତୁ୍ୟ ସଂଖ୍ୟା ବୃଦ୍ଧି ହେବା ନେଇ ଅନେକ ରିପୋର୍ଟରେ ଦାବି କରାଯାଇଥିଲା । ଏବେ ଏହାକୁ ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନର ରିପୋର୍ଟକୁ କେନ୍ଦ୍ର ସରକାର ସଂସଦ ଏବଂ କୋର୍ଟରେ ଉପସ୍ଥାପନ କରିଛନ୍ତି । କୋଭିଡ ଟିକା ଯୋଗୁ ଆକସ୍ମିକ ମୃତୁ୍ୟ ହେବାର ଆଶଙ୍କା ବୃଦ୍ଧି ହେଉନାହିଁ; ବରଂ ଏହି ବିପଦ ହ୍ରାସ ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟସଭାରେ ସ୍ପଷ୍ଟୀକରଣ ରଖିଛନ୍ତି ।
ଆଇସିଏମଆର ଷ୍ଟଡି ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୮ରୁ ୪୫ ବର୍ଷୀୟ ଲୋକଙ୍କ ମଧ୍ୟରେ ହଠାତ୍ ମୃତୁ୍ୟ ହୋଇଥିଲା । ଏଭଳି ୭୨୯ ଲୋକଙ୍କ ହଠାତ୍ ମୃତୁ୍ୟ ପରେ କୋଭିଡ ଟିକା ଉପରେ ପ୍ରଶ୍ନ ଉଠିଥିଲା । ଏହାପରେ ଆଇସିଏମ୍ଆର୍ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ହସ୍ପିଟାଲକୁ ନେଇ ରିସର୍ଚ୍ଚ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, କୋଭିଡ-୧୯ ଟିକା ଅତିକମରେ ଗୋଟିଏ ଡୋଜ୍ କିମ୍ବା ଦୁଇଟି ଡୋଜ ନେବା ବିନା କାରଣରେ ଆକସ୍ମିକ ମୃତୁ୍ୟ ହେବାର ସମ୍ଭାବନାକୁ ହ୍ରାସ କରିଥାଏ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍ ଭାକ୍ସିନ୍ର ପାଶ୍ୱର୍ ପ୍ରତିକ୍ରିୟାକୁ ଟ୍ରାକ୍ କରିବା ପାଇଁ ‘ଆଡଭାନ୍ସ ଇଭେଣ୍ଟ ଫଲୋଇଂ ଇମୁ୍ୟନାଇଜେସନ' (ଏଆଇଏଫ୍ଇ) ନାମକ ଏକ ସର୍ଭଲେନ୍ସ ସିଷ୍ଟମ ତିଆରି କରାଯାଇଥିଲା । ଏଥିରେ ସେଭଳି କିଛି ତ୍ରୁଟି ଥିବା ପରିଲକ୍ଷିତ ହୋଇ ନଥିଲା ।