କଲିକତା ହାଇକୋର୍ଟଙ୍କ ୟୁ-ଟର୍ଣ୍ଣ : ୩୨ ହଜାର ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ବାତିଲ ଆଦେଶ ଖାରଜ
କୋଲକାତା : ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ବାତିଲ ଆଦେଶକୁ ନେଇ ଆଜି ୟୁ-ଟର୍ଣ୍ଣ ନେଇଛନ୍ତି କଲିକତା ହାଇକୋର୍ଟ । କଲିକତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ପଶ୍ଚିମବଙ୍ଗର ୩୨,୦୦୦ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଥିବା ଏକକ ବେଞ୍ଚ ଆଦେଶକୁ ଖାରଜ କରିଦେଇଛନ୍ତି । ଏହି ଶିକ୍ଷକମାନଙ୍କୁ ୨୦୧୪ ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି) ମାଧ୍ୟମରେ ନିଯୁକ୍ତି ଦିଆଯାଇଥିଲା । ବିଚାରପତି ତପବ୍ରତ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସମସ୍ତ ନିଯୁକ୍ତିରେ ଅନିୟମିତତା ପ୍ରମାଣିତ ହୋଇନଥିବାରୁ ଏକକ ବେଞ୍ଚ ଆଦେଶକୁ ବଜାୟ ରଖାଯାଇ ପାରିବ ନାହିଁ । କୋର୍ଟ କହିଛନ୍ତି ଯେ ନଅ ବର୍ଷ ପରେ ଚାକିରି ସମାପ୍ତି ପ୍ରାଥମିକ ଶିକ୍ଷକ ଓ ସେମାନଙ୍କ ପରିବାର ଉପରେ ଏକ ବଡ଼ ପ୍ରତିକୂଳ ପ୍ରଭାବ ପକାଇବ ।
ଏଥିରେ କୁହାଯାଇଛି ଯେ, ହାଇକୋର୍ଟ ଦ୍ୱାରା ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସିବିଆଇ ପ୍ରାରମ୍ଭିକ ଭାବରେ ୨୬୪ ନିଯୁକ୍ତି ଚିହ୍ନଟ କରିଥିଲା । ଯେଉଁଥିରେ ଅନିୟମିତତା ହୋଇଥିଲା, ଯାହା ପରେ ଅନ୍ୟ ୯୬ ଶିକ୍ଷକଙ୍କ ନାମ ଏଜେନ୍ସିର ଛାନଭିନକୁ ଆସିଥିଲା । କୋର୍ଟ କହିଛନ୍ତି ଯେ ଏହାକୁ ଦୃଷ୍ଟିରେ ରଖି ସମଗ୍ର ଚୟନ ପ୍ରକ୍ରିୟାକୁ ବାତିଲ କରାଯାଇପାରିବ ନାହିଁ । ତତ୍କାଳୀନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଏକକ ଖଣ୍ଡପୀଠ ୧୨ ମଇ, ୨୦୨୩ ମେ’ ମାସ ୧୨ ତାରିଖରେ ଚାକିରିରେ ଅନିୟମିତତା ଅଭିଯୋଗରେ ୩୨,୦୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ। ଚଳିତ ବର୍ଷ ଆରମ୍ଭରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୧୬ ନିଯୁକ୍ତି ପ୍ୟାନେଲରୁ ୨୫,୦୦୦ ରୁ ଅଧିକ ରାଜ୍ୟ ସ୍କୁଲ ଚାକିରି ବାତିଲ କରିବା ପାଇଁ ଏକ ପୃଥକ ଆଦେଶକୁ ସମର୍ଥନ କରିଥିଲେ ।