ଅନଲାଇନରେ ସଦସ୍ୟତା ପଞ୍ଜୀକରଣ 

 ଭୁବନେଶ୍ୱର  : ଓଡିଶା ମୋଟର ପରିବହନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡରେ ସଦସ୍ୟତା କିମ୍ବା ଅନୁକମ୍ପାମୂଳକ ସହାୟତା ପାଇଁ ଏଣିକି କୌଣସି ଅଫିସ ଆସିବାକୁ ପଡିବ ନାହିଁ  । ଅନ୍ଲାଇନ୍ ମାଧ୍ୟମରେ ଏବେ ଏହି ସମସ୍ତ ସୁବିଧା ଉପଲବ୍ଧ ହୋଇଛି  । ଖାରବେଳ ଭବନରେ ଆୟୋଜିତ ବୋର୍ଡର ଚତୁର୍ଥ ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ଏ ସଂପର୍କିତ ୱେବପୋର୍ଟାଲ ଏଚଟିଟିପିଏସ://ଡିଆରଆଇଭିଇଆର ଡ୍ଲୁଇଏଲଏଫଏଆରଇ. ଇନୁ ଲାକାର୍ପିତ ହୋଇଯାଇଛି  । ଏହା ଦ୍ୱାରା ରାଜ୍ୟର ହଜାର ହଜାର ମୋଟର ଯାନଚାଳକ ଓ କର୍ମଚାରୀ ଉପକୃତ ହେବା ସହ ସହାୟତା ପ୍ରଦାନ ବ୍ୟବସ୍ଥା ଅଧିକ ସକ୍ରିୟ ଓ ପାରଦର୍ଶୀ ହେବ ବୋଲି ମନ୍ତ୍ରୀ  ଜେନା ଆଶାବ୍ୟକ୍ତ କରିଛନ୍ତି  । 
ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା  । ଏଥିରେ ବୋର୍ଡ ସଦସ୍ୟ ଏକାମ୍ର ବିଧାୟକ ବାବୁ ସିଂ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ, ପରିବହନ ଆୟୁକ୍ତ ଅମିତାଭ ଠାକୁର, ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ସିଭିଲ ସୋସାଇଟି ସଦସ୍ୟ, ଡ୍ରାଇଭର ସଙ୍ଘ ପ୍ରତିନିଧିମାନେ ଯୋଗ ଦେଇଥିଲେ  । ଚାଳକମାନେ ବୋର୍ଡର ଅଧ୍ୟକ୍ଷଙ୍କ ନିକଟରେ ନିଜର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ  । ଏହାକୁ ତର୍ଜମା କରି ସକରାତ୍ମକ ନିଷ୍ପତ୍ତି ଗ୍ରହଣ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି  । ୱେବ ପୋର୍ଟାଲରେ ସୁବିଧା କେନ୍ଦ୍ର, ଜରୁରୀକାଳୀନ ସହାୟତା ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ସାମିଲ କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି  । ସେହିଭଳି ଅନୁକମ୍ପାମୂଳକ ସହାୟତା ବୟସ ସୀମା ୬୦ରୁ ୬୫କୁ ବୃଦ୍ଧି କରାଯିବା ଦାବି ଉପରେ ପ୍ରଧାନ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଯେ ସରକାର ଚାହୁଁଛନ୍ତି ଅଧିକରୁ ଅଧିକ ଚାଳକଙ୍କ ପରିବାର ଏହାର ଲାଭ ପାଆନ୍ତୁ  । ତେବେ ଏ ସଂପର୍କରେ ସମସ୍ତ ଦିଗକୁ ତର୍ଜମା କରିବାକୁ ସବ୍କମିଟି ଗଠନ କରାଯିବ  । ଭାରତ ସରକାରଙ୍କ ନିୟମ, ଶ୍ରମ ବିଭାଗର ବ୍ୟବସ୍ଥା ଓ ଅନ୍ୟାନ୍ୟ ବିଷୟକୁ ଅନୁଧ୍ୟାନ କରି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଜେନା ପ୍ରକାଶ କରିଛନ୍ତି  ।