ପାଣ୍ଡିଆନ୍ଙ୍କ ସକ୍ରିୟତାକୁ ନେଇ କହିଲା ବିଜେଡି
ଭୁବନେଶ୍ୱର :ଭାଜପା ବିଧାୟକ ସରୋଜ ପାଢ଼ୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ପ୍ରତି ଦେଇଥିବା ଅରୁଚିକର ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି। ଶଙ୍ଖ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଲେନିନ୍ କହିଛନ୍ତି, ଆସିକା ବିଧାୟକ ବିଭିନ୍ନ ଅସାମାଜିକ କାର୍ଯ୍ୟ ଯଥା ଜୁଆ ଖେଳ ଭଳି କାମରେ ଲିପ୍ତ ଥିବା ରେକର୍ଡ ରହିଛି। ପୁଣି ଭାଜପା ବିଧାୟକ ହେବା ପରେ ବାଲି ମାଫିଆଙ୍କଠାରୁ ଚାନ୍ଦା ଆଦାୟ ଆଉ ବିଚ୍ ରାସ୍ତାରେ ପିସି ମାଗିବାକୁ ମଧ୍ୟ ପଛାଉନାହାନ୍ତି। ଏହିଭଳି ଜଣେ ବ୍ୟକ୍ତିଙ୍କୁ ନବୀନଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେବା ପାଇଁ ଭାଜପା ମନୋନୀତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟବାସୀ ଭଲ ଭାବେ ଜାଣନ୍ତି ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। କିନ୍ତୁ ନବୀନ ପଟ୍ଟନାୟକଙ୍କ ନିକଟରୁ ସେ ସନ୍ନ୍ୟାସ ନେଇନାହାନ୍ତି। ତେଣୁ ପାଣ୍ଡିଆନଙ୍କୁ ନେଇ କୁତ୍ସିତ ରାଜନୀତି ନ ହେଉ ବୋଲି ଲେନିନ୍ କହିଛନ୍ତି।