ଅମ୍ଳତ୍ୱର ପ୍ରାକୃତିକ ଉପଚାର

ଅମ୍ଳତ୍ୱର ପ୍ରାକୃତିକ ଉପଚାର

ପାକସ୍ଥଳୀରେ ଅମ୍ଳତ୍ୱ ବା ଏସିଡିଟି ବା ଏସିଡ୍ ରିଫ୍ଲକ୍ସ ହେଉଛି ଏକପ୍ରକାର ଗାଷ୍ଟ୍ରାଇସୋଫାଜିଆଲ୍ ରିଫ୍ଲକ୍ସ ରୋଗ ।
ପାକସ୍ଥଳୀରେ ଏସିଡ୍ ଯେତେବେଳେ ଖାଦ୍ୟନଳୀ ଆଡ଼କୁ ପ୍ରବାହିତ ହୋଇଥାଏ, ସେତେବେଳେ ଏହି ରୋଗ ସୃଷ୍ଟି ହୋଇ ପେଟ ଓ ଛାତିରେ ଯନ୍ତ୍ରଣା ସହ ଅସହଜ ଅନୁଭବ ହୁଏ । ଅମ୍ଳତ୍ୱ ସମସ୍ୟାର କେତେକ କାରଣ ହେଉଛି ଭୁଲ୍ ଖାଦ୍ୟ ଚୟନ, ମାତ୍ରାଧିକ ଭୋଜନ, ଧୂମପାନ, ଗର୍ଭଧାରଣ, ମାନସିକ ଚାପ ଓ କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା । ଏସିଡିଟି ଦୂର କରିବାର କିଛି ସହଜ ଘରୋଇ ଉପଚାର ସମ୍ପର୍କରେ ଆଲୋଚନା କରିବା ।
ସକାଳେ ନଖ ଉଷୁମ ପାଣି ପିଇବା ଦ୍ୱାରା ଏସିଡିଟି ଲାଘବ ହୋଇପାରିବ । ଉଷୁମ ପାଣିରେ ଟିକେ ଗୋଲମରିଚ ଗୁଣ୍ଡ ଓ ଲେମ୍ବୁ ରସ ମିଶାଇଲେ ତାହା ଆହୁରି ଭଲ କାମ କରେ ।
ପଇଡ଼ ପାଣି ଏସିଡିଟିର ଅନ୍ୟତମ ପ୍ରକୃଷ୍ଟ ଉପଚାର । ନିୟମିତ ପଇଡ଼ ପାଣି ପିଇଲେ ପାକସ୍ଥଳୀରେ ଏସିଡର ମାତ୍ରାଧିକ ପ୍ରଭାବ ହ୍ରାସ ପାଏ । 
ଜିରା ପାଣି ଏକ ପ୍ରାକୃତିକ ଅମ୍ଳତ୍ୱ ହରଣକାରୀ ଉପାଦାନ । ଗୋଟିଏ ଚାମଚ ଜିରାକୁ ପାଣିରେ ପକାଇ ତାହାକୁ ୧୦-୧୫ ମିନିଟ୍ ଫୁଟାଇ ଏହା ପ୍ରସ୍ତୁତ କରିହେବ । ତାହାକୁ ଥଣ୍ଡା କରି, ଖାଇବା ପରେ ଦିନକୁ ତିନିଥର ପିଇଲେ ଅମ୍ଳତ୍ୱ ଦୂର ହୋଇଥାଏ ।
ଲେମ୍ବୁରସ ଅମ୍ଳତ୍ୱ ଦୂର କରିବା ସହ ଶରୀରର ରୋଗ ପ୍ରତିରୋଧକତା ବଢ଼ାଇଥାଏ । ଲେମ୍ବୁରସରେ ଥିବା ଭିଟାମିନ୍ ‘ସି’ ପାକସ୍ଥଳୀକୁ ସୁସ୍ଥ ରଖିବା ସହ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା କରିଥାଏ ।
ପାଚିଲା କଦଳୀ ଅମ୍ଳତ୍ୱ ଦୂର କରିବା ସହ ଗ୍ୟାସ୍ ସମସ୍ୟା ଯୋଗୁଁ ଛାତିପୋଡ଼ା ଦୂର କରିଥାଏ । 
ପୁଷ୍ଟିସାର, କାଲସିଅମ୍, ରିବୋଫ୍ଲୋଭିନ୍ ଓ ଭିଟାମିନ୍ ସି’ ଆଦି ଉପାଦାନରେ ଭରପୂର ଦହି ହେଉଛି ଅନ୍ୟତମ ପାକପୀଡ଼ା ଲାଘବକାରୀ । ଏଥିରେ ଥିବା ଉପକାରୀ ଅଣୁଜୀବଗୁଡ଼ିକ ହଜମ ପ୍ରକ୍ରିୟାରେ ସାହାଯ୍ୟ କରି ଏସିଡିଟି ସମସ୍ୟା ଦୂର କରିଥାଏ ।