ଆଖୁ କ୍ୱିଣ୍ଟାଲ ପିଛା ଏଫ୍ଆର୍ପି ୩୫୫ ଟଙ୍କା
ନୂଆଦିଲ୍ଲୀ : ଆଖୁ ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଖୁର ଉଚିତ୍ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି)କୁ ମଞ୍ଜୁର କରିଛନ୍ତି । ଆଖୁ ଋତୁ ୨୦୨୫-୨୬ (ଅକ୍ଟୋବର-ସେପ୍ଟେମ୍ବର) ନିମନ୍ତେ କ୍ୱିଣ୍ଟାଲ ପିଛା ୩୫୫ ଟଙ୍କାର ଏଫଆରପି ଧାର୍ଯ୍ୟ କରାଯାଉଛି । ଏଥିରେ ୧୦.୨୫%ରୁ ଅଧିକ ପ୍ରତ୍ୟେକ ୦.୧% ବୃଦ୍ଧି ନିମନ୍ତେ କ୍ୱିଣ୍ଟାଲ ପିଛା ୩.୪୬ ଟଙ୍କାର ପ୍ରିମିୟମ ଦିଆଯିବ । ଅନ୍ୟପକ୍ଷରେ ଲାଭ ପ୍ରାପ୍ତିରେ ପ୍ରତ୍ୟେକ ୦.୧%ର ହ୍ରାସ ପାଇଁ ଏଫଆରପିରେ କ୍ୱିଣ୍ଟାଲ ପିଛା ୩.୪୬ ଟଙ୍କା ହ୍ରାସ କରାଯିବ । ଆଖୁ ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା ଉଦେ୍ଦଶ୍ୟରେ ସରକାର ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ, ଯେଉଁ ଚିନି କାରଖାନାଗୁଡ଼ିକରେ ପୁନରୁଦ୍ଧାର ୯.୫ ପ୍ରତିଶତରୁ କମ୍, ସେ କ୍ଷେତ୍ରରେ କୌଣସି ଛାଡ଼ କରାଯିବ ନାହିଁ । ଏଭଳି କୃଷକମାନେ ଆଗାମୀ ଚିନି ଋତୁରେ (୨୦୨୫-୨୬) ଆଖୁ ପାଇଁ କ୍ୱିଣ୍ଟାଲ ପିଛା ୩୨୯.୦୫ ଟଙ୍କା ପାଇବେ ।
ଚିନି ଋତୁ ୨୦୨୫-୨୬ ପାଇଁ ଆଖୁ ଉତ୍ପାଦନ ମୂଲ୍ୟ (ଏଟୁ + ଏଫଏଲ) ହେଉଛି କ୍ୱିଣ୍ଟାଲ ପିଛା ୧୭୩ଟଙ୍କା । ୧୦.୨୫% ପୁନରୁଦ୍ଧାର ହାରରେ କ୍ୱିଣ୍ଟାଲ ପିଛା ୩୫୫ଟଙ୍କାର ଏହି ଏଫଆରପି ଉତ୍ପାଦନ ଖର୍ଚ୍ଚ ତୁଳନାରେ ୧୦୫.୨% ଅଧିକ । ଚିନି ଋତୁ ୨୦୨୫-୨୬ ପାଇଁ ଏଫଆରପି ବର୍ତ୍ତମାନର ଚିନି ଋତୁ ୨୦୨୪-୨୫ ଠାରୁ ୪.୪୧% ଅଧିକ । ଚିନି ଋତୁ ୨୦୨୫-୨୬ ରେ କୃଷକମାନଙ୍କ ଠାରୁ ଆଖୁ କ୍ରୟ ପାଇଁ ଅନୁମୋଦିତ ଏଫଆରପି (୧ ଅକ୍ଟୋବର, ୨୦୨୫ ଠାରୁ) ଚିନି କାରଖାନାଗୁଡିକ ଦ୍ୱାରା ଲାଗୁ କରାଯିବ । ସୂଚନାଯୋଗ୍ୟ ୨୮ ଏପ୍ରିଲ ୨୦୨୫ ସୁଦ୍ଧା ୨୦୨୩-୨୪ ଚିନି ଋତୁରେ ଆଖୁ ଚାଷୀଙ୍କ ବକେୟା ପାଉଣା ୧,୧୧,୭୮୨ କୋଟି ଟଙ୍କା ମଧ୍ୟରୁ ୧,୧୧,୭୦୩ ଟଙ୍କା ପଇଠ କରାଯାଇସାରିଛି ।