୭ ବର୍ଷ ପରେ ଚୀନରେ ମୋଦି
ନୂଆଦିଲ୍ଲୀ: ଜାପାନ ଗସ୍ତ ଶେଷ କରି ଚୀନ ମାଟିରେ ପାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଜାପାନ ଗସ୍ତ ସାରି ସିଧା ଟୋକିଓରୁ ଚୀନର ତିଆନଜିନ୍ ସହରରେ ପହଞ୍ଚିଛନ୍ତି ମୋଦି । ସେ ଏଠାରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ (ଏସସିଓ)ରେ ଯୋଗଦେବେ । ଶିଖର ସମ୍ମିଳନୀ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିବେ ।
ମୋଦି ଶନିବାର ସନ୍ଧ୍ୟାରେ ଜାପାନ ଗସ୍ତ ଶେଷ କରି ଚୀନର ତିଆନଜିନ୍ ସହରରେ ପହଞ୍ଚିଛନ୍ତି । ଏଠାରେ ବିମାନବନ୍ଦରରେ ରେଡ୍ କାର୍ପେଟ ବିଛାଇ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ବୈଠକ ସମୟରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ । ୭ ବର୍ଷ ପରେ ମୋଦୀ ଚୀନ ଗସ୍ତରେ ଥିବା ବେଳେ ଗଲୱାନ ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । କାରଣ ଏହା ଭାରତ-ଚୀନ୍ ସମ୍ପର୍କରେ ସୁଧାର ଆଣିବ । ବର୍ତ୍ତମାନ ପରିସ୍ଥିତିରେ ଚୀନ୍ ଓ ଭାରତ ମଧ୍ୟରେ ସମ୍ପର୍କରେ ବହୁତ ପରିବର୍ତ୍ତନ ଦେଖାଯାଉଛି । ୭ ବର୍ଷ ପରେ ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ଭେଟାଭେଟି ହେବେ ଯାହା ଉପରେ ସମଗ୍ର ବିଶ୍ୱ ନଜର ରଖିଛି । ମୋଦିଙ୍କ ଏହି ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ରୁଷିଆ ଠାରୁ ତୈଳ କିଣିବା ପ୍ରସଙ୍ଗରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି । ଦଣ୍ଡ ସ୍ୱରୂପ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ରାଜନୈତିକ ବିବାଦ ସତ୍ତ୍ୱେ, ଚୀନ୍ ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜି୍ୟକ ଅଂଶୀଦାର ରହିଛି ଏବଂ ଭାରତର ଉତ୍ପାଦନ ଅନେକ ଅଂଶରେ ଚୀନ୍ ଉତ୍ପାଦ ଓ କଞ୍ଚାମାଲ ଉପରେ ନିର୍ଭର କରୁଛି ।