ଏସ୍ଏନ୍ ସାବତ ୟୁପିଏସ୍ଏସ୍ଏସ୍ସି ଅଧ୍ୟକ୍ଷ ନିଯୁକ୍ତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସବୋର୍ଡିନେଟ୍ ସର୍ଭିସ୍ ସିଲେକ୍ସନ କମିଶନ (ୟୁପିଏସ୍ଏସ୍ଏସ୍ସି)ର ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି ୧୯୯୦ ବ୍ୟାଚ୍ ୟୁପି କ୍ୟାଡର୍ ଆଇପିଏସ୍ ଅଫିସର୍ ଏସ୍ଏନ୍ ସାବତ । ଶ୍ରୀ ସାବତ ନିଜ କ୍ୟାରିୟର୍ର ୩୪ ବର୍ଷ ମଧ୍ୟରେ ବିଗତ ଦିନରେ ରାଜ୍ୟର ବାରଣାସୀ, ଆଗ୍ରା ଏବଂ ଲକ୍ଷ୍ନୌ ଭଳି ସମ୍ବେଦନଶୀଳ ଜିଲ୍ଲାମାନଙ୍କରେ ସୂଚାରୁ ରୂପେ ନିଜର ଗୁରୁଦାୟିତ୍ୱ ତୁଲାଇଛନ୍ତି । ସେହିପରି ୨୦୧୯ରେ ପ୍ରୟାଗରାଜ ଠାରେ ଆୟୋଜିତ କୁମ୍ଭମେଳା ଏବଂ ଅଯୋଧ୍ୟାରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ଏହାସହ କୋସୋଭୋରେ ୟୁନାଇଟେଡ୍ ନେସନ୍ ପିସ୍ କିପିଂ ମିଶନରେ କାର୍ଯ୍ୟ କରିବା ସହ ସିଆର୍ପିଏଫ୍ ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଓଡ଼ିଶାରେ ଚାଲିଥିବା ମାଓଦମନ କାର୍ଯ୍ୟରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ।
ସେହିପରି ବାରଣାସୀ, କାନପୁର ଏବଂ ମିର୍ଜାପୁରରେ ଡିଆଇଜି ରୂପେ କାର୍ଯ୍ୟ କରିଥିବା ବେଳେ ୨୦୨୧ରେ ପୁଲିସ୍ ଅଧ୍ୟୀକ୍ଷକ (ଡିଜି) ରୂପେ ପଦୋନ୍ନତି ପାଇଥିଲେ । ଏହାର କିଛିଦିନ ପରେ ଉତ୍ତରପ୍ରଦେଶ ଶକ୍ତି ବିଭାଗରେ ଭିଜିଲାନ୍ସ ଡିଜି, ସିବି-ସିଆଇଇଡି ଡିଜି ଏବଂ ଜେଲ୍ ଡିଜି ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇଁ ତାଙ୍କୁ ଜାତିସଂଘ ଶାନ୍ତି ପଦକ, ରାଷ୍ଟ୍ରପତି ପୁଲିସ ପଦକ ସମେତ ରାଜ୍ୟ ପୁଲିସ୍ ପଦକ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । ଏହାବାଦ ହୁ୍ୟମାନ ରାଇଟ୍ସ (ମାନବିକ ଅଧିକାର) ଅଧ୍ୟୟନରେ ଅଭିନବ ଲେଖା ପାଇଁ ସେ ଡକ୍ଟରେଟ୍ ମଧ୍ୟ ହାସଲ କରିଛନ୍ତି । ଏଥିପାଇଁ ୨୦୧୬ରେ ସେ ପଣ୍ଡିତ ଗୋବିନ୍ଦ ବଲ୍ଳଭ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି ।