ଆଇସିସିରେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ବିରୋଧରେ ମାମଲା

bangaladesh violence

ଆଇସିସିରେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ  ୟୁନୁସଙ୍କ  ବିରୋଧରେ ମାମଲା

୬୨ ଜଣଙ୍କ ନାଁରେ ଗଣହତ୍ୟା ଅଭିଯୋଗ

ଢାକା: ବାଂଲାଦେଶରେ ଏଇ କିଛିଦିନ ଧରି ଗଠନ ହୋଇଥିବା ଅନ୍ତରୀଣ ସରକାର ବିରୋଧରେ ରୁଜୁ ହୋଇଛି ମାମଲା । ନେଦର୍‌ଲାଣ୍ଡ୍ ସ୍ଥିତ ଅନ୍ତର୍ଜତୀୟ  କ୍ରିମିନାଲ୍ କୋର୍ଟ (ଆଇସିସି)ରେ ଏହି ମାମଲା ରୁଜୁ କରାଇଛନ୍ତି ବାଂଲାଦେଶର ପ୍ରମୁଖ ରାଜନୈତିକ ଦଳ ଆୱେମୀଲିଗ୍‌ର ଜଣେ ଜଣାଶୁଣା ନେତା ଅନୱରୁଜମନ ଚୌଧୁରୀ । ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଏବଂ ୬୨ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ସମ୍ବଳିତ ଏକ ଭିଡିଓ ବାର୍ତ୍ତା ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ଅନୱରୁଜମନ । ଏଥିରେ ସେ କହିଛନ୍ତି ଯେ, ‘ଗତ ଅଗଷ୍ଟ ୫ରୁ ୮ ମଧ୍ୟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ନାଁରେ ଆୱେମୀ ଲିଗ୍‌ର କର୍ମକର୍ତ୍ତାଙ୍କ ସମେତ ଏଠାରେ ରହୁଥିବା ସଂଖ୍ୟାଲଘୁମାନେ ଗଣହତ୍ୟା ଓ ଅମାନବିକତାର ଶିକାର ହୋଇଛନ୍ତି । ଏହାକୁ ଆଖି ଆଗରେ ରଖି ଏହି ଗଣହତ୍ୟା ଓ ଅମାନବିକତା ସମ୍ବନ୍ଧିତ ଘଟଣାର ସମସ୍ତ ତଥ୍ୟ ଓ ପ୍ରମାଣ ଆସିସିରେ ଉପସ୍ଥାପିତ କରାଯାଇଛି ।’

ସେ ଆହୁରି କହିଛନ୍ତି ଯେ, ଆଇସିସିରେ ୮୦୦ ପୃଷ୍ଠା ସମ୍ବଳିତ ଅଭିଯୋଗ ଫର୍ଦ୍ଦ ଉପସ୍ଥାପନା କରାଯାଇଛି । ବାଂଲାଦେଶ ଅନ୍ତରୀଣ ସରକାରରେ ମହମ୍ମଦ ୟୁନୁସ୍‌ଙ୍କୁ ବାଦ ଦେଇ, କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ପ୍ରମୁଖ ନେତା ଓ ଛାତ୍ରନେତାଙ୍କ ସମେତ ମୋଟ୍ ୬୨ ଜଣଙ୍କ ନାଁରେ ଏହି ମାମଲା ଦାୟର କରାଯାଇଛି । ଏହାଛଡ଼ା ଏ ଘଟଣାରେ ଜଡ଼ିତ ଥିବା ଆହୁରି ୧୫ହଜାର ଅଭିଯୁକ୍ତଙ୍କ ବିରୋଧରେ ମାମଲା ପାଇଁ ପ୍ରମାଣପତ୍ର ଯୋଗାଡ଼ ଚାଲିଛି ବୋଲି ସେ କହିଛନ୍ତି ।