କୋର୍ଟରେ କହିଲେ ଇଡ଼ି... ‘୨ ହଜାର କୋଟି ଲୁଟିଥା’ନ୍ତେ ସୋନିଆ, ରାହୁଲ’


 ନୂଆଦିଲ୍ଲୀ:  ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (ଏଜେଏଲ୍)ର ପ୍ରାୟ ଦୁଇ ହଜାର କୋଟିର ସମ୍ପତ୍ତି ହଡ଼ପ କରିବାକୁ ଚାହୁଁଥିଲେ କଂଗ୍ରେସର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ । ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତରେ ଚାଲିଥିବା ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ କୋର୍ଟଙ୍କୁ ଆଜି ଏହି ତଥ୍ୟ ଦେଇଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) । ଇଡି ପକ୍ଷରୁ ମାମଲା ଲଢ଼ୁଥିବା ଅତିରିକ୍ତ ସଲିସିଟର୍ ଜେନେରାଲ ଏସ୍ଭି ରାଜୁ ଆଜି କୋର୍ଟଙ୍କୁ ଏହି ତଥ୍ୟ ଦେଇଛନ୍ତି । ସେ କହିଥିଲେ ଯେ କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ । ସିବିଆଇର ସ୍ୱତନ୍ତ୍ର ନ୍ୟାୟାଧୀଶ ବିଶାଳ ଗୋଗନେ ଏହି ହାଇପ୍ରୋଫାଇଲ୍ ମାମଲାର ଶୁଣାଣି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆସୋସିଏଟେଡ୍ ଜର୍ନାଲ୍ସ ଲିମିଟେଡ୍ (ଏଜେଏଲ୍) ନ୍ୟାସନାଲ ହେରାଲ୍ଡ ଖବରକାଗଜ ପ୍ରକାଶ କରୁଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ଏହାର ପ୍ରତିଷ୍ଠାତା ଥିଲେ । 
ଏସ୍ଭି ରାଜୁ କହିଥିଲେ ଯେ ୟଙ୍ଗ ଇଣ୍ଡିଆ ସ୍ଥାପନ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା । ଯେଉଁଥିରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସେୟାର ୭୬% ଥିଲା । ଏହା ଜରିଆରେ କଂଗ୍ରେସ ପାଇଁ ୯୦ କୋଟି ଟଙ୍କା ଋଣ ବଦଳରେ ୨୦୦୦ କୋଟି ଟଙ୍କା ସମ୍ପତ୍ତି ହଡ଼ପ ପାଇଁ ଯୋଜନା କରାଯାଇଥିଲା । କଂଗ୍ରେସର ବରିଷ୍ଠ ନେତାଙ୍କ ନିଦେ୍ର୍ଦଶରେ ଏଜେଏଲକୁ ବିଜ୍ଞାପନ ଟଙ୍କା ମଧ୍ୟ ଦିଆଯାଇଥିଲା ଓ ଏହି ଫେକ୍ କମ୍ପାନିରୁ ଯେଉଁ ଆୟ ହୋଇଛି, ତାହା ଅପରାଧିକ ଆୟ । ମେ ୨୧ରେ ହୋଇଥିବା ପୂର୍ବ ଶୁଣାଣିରେ ଇଡି କହିଥିଲା ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧି ନ୍ୟାସନାଲ୍ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା ସହ ଜଡ଼ିତ ୧୪୨ କୋଟି ଟଙ୍କା ଅପରାଧିକ ଆୟରୁ ପାଇଥିଲେ ।