ପଞ୍ଚାୟତ ସମିତି ଅଧିବେଶନ ; ଉନ୍ନୟନମୂଳକ କାର୍ଯ୍ୟ ସାର : ବିଧାୟକ

ସାଲେପୁର : ସାଲେପୁର ପଞ୍ଚାୟତ ସମିତିର ୧୩ତମ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚମ ରାଜ୍ୟ ଅର୍ଥ କମିଶନ୍ ସହାୟତା ଅନୁଦାନ ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରକଳ୍ପ ଅନୁମୋଦନ ନିମନ୍ତେ ଆଲୋଚନା କରାଯାଇଥିଲା । ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ରୂପେ ଯୋଗ ଦେଇ ସାଲେପୁର ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ବାକିଥିବା କାର୍ଯ୍ୟ ଉପରେ ପଞ୍ଚାୟତ ପ୍ରତିନିଧିମାନେ ଗୁରୁତ୍ୱ ଦେବା ସହ ଏହି ସବୁ କାର୍ଯ୍ୟକୁ କିପରି ସୁଚାରୁ ରୂପେ କରାଯିବ ସେ ଦିଗରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ସାଂସଦ ପ୍ରତିନିଧି ସନାତନ ଦାଶ, ସାଲେପୁର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ରାଉତରାୟ, ବ୍ଲକ୍ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ମଲ୍ଲିକ, ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ, ଆରଡି, ଆରଆଣ୍ଡ୍ବି ପ୍ରାଣୀଧନ, ପାନୀୟଜଳ ପରିମଳ, ଜଳସେଚନ ବିଭାଗର ସମସ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ବର୍ଷା ଋତୁରେ ଅଧିକ ମାତ୍ରାରେ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବାରୁ ପ୍ରତି ପଞ୍ଚାୟତରେ ଲୋକମାନଙ୍କୁ ସଚେତନ କରାଯିବାପାଇଁ ପଞ୍ଚାୟତ ପ୍ରତିନିଧିଙ୍କୁ ପରାମର୍ଶ ଦିଆଯାଇଥିଲା । ଅପରପକ୍ଷରେ ସାଲେପୁର ବ୍ଲକ୍ ଅଞ୍ଚଳରେ ବିଭିନ୍ନ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ରାସ୍ତା ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରଶାସନିକ ଅଧିକାରୀମାନେ ମନମୁଖୀ ଚଳାଇଥିବାରୁ ବହୁ ପଞ୍ଚାୟତ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିରେ ବାଲିସାହି ସରପଞ୍ଚ ପବିତ୍ର ସାମଲ, ଚନ୍ଦ୍ରାଦେଇପୁର ସରପଞ୍ଚ ରଶ୍ମିତା ଦାସ, ସରପଞ୍ଚ ଜ୍ଞାନରଂଜନ ପଟ୍ଟନାୟକ, ସମ୍ରାଟ କେଶରୀ ଲେଙ୍କା, ସମିତିସଭ୍ୟ ଗୌତମୀ ମଲ୍ଲିକ, ପୁଷ୍ପିତା ଭୂୟାଁ, ମାନସ ରଂଜନ ଦାଶଙ୍କ ସମେତ ବହୁ ପଞ୍ଚାୟତ ପ୍ରତିଧିମାନେ ଉପସ୍ଥିତ ଥିଲେ ।