ଖାଲି ପଡ଼ିଛି୨୩୩ ସଙ୍ଗୀତ ଶିକ୍ଷକ ପଦବୀ

ଭୁବନେଶ୍ୱର: ରାଜ୍ୟର ଓଡିଶା ଆଦର୍ଶ ବିଦ୍ୟାଳୟରେ ୨୩୩ଗୋଟି ସଙ୍ଗୀତ ଶିକ୍ଷକ ପଦବୀ ଖାଲି ରହିଛି । ବିଭିନ୍ନ ନ୍ୟାୟାଳୟରେ ନିଯୁକ୍ତି ପ୍ରକ୍ରିୟା ଉପରେ ମାମଲା ବିଚାରାଧୀନ ଥିବା ଯୋଗୁ ଖାଲିଥିବା ପଦବୀଗୁଡିକରେ ୨୦୧୯ ମସିହାରୁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି ଏନେଇ ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
* ଓଡିଶା ଆଦର୍ଶ ବିଦ୍ୟାଳୟ ମାନଙ୍କରେ ୨୦୧୬-୧୭ ଏବଂ ୨୦୧୭-୧୮ମସିହାରେ କେତେ ସଂଖ୍ୟକ ସଙ୍ଗୀତ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା ଏବଂ କେତେ ଜଣ ସଙ୍ଗୀତ ଶିକ୍ଷକଙ୍କୁ ନିଯୁକ୍ତି ପାଇଛନ୍ତି?
* ବର୍ତ୍ତମାନ ସୁଦ୍ଧା କେତେ ସଙ୍ଗୀତ ଶିକ୍ଷକ ପଦବୀ ଖାଲିଅଛି?
* ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ସଙ୍ଗୀତ ଶିକ୍ଷକ ପଦବୀ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହେବାର କାରଣ କଣ?
* ଜାତୀୟ ଶିକ୍ଷାନୀତି ୨୦୨୦ ପାଠ୍ୟକ୍ରମରେ ସଙ୍ଗୀତ ଶିକ୍ଷକ ନିଯୁକ୍ତି ପାଇଁ କିଛି ଗାଇଡ୍ ଲାଇନ୍ ଅଛି କି ଯଦି ହଁ ଏଥିପାଇଁ କି ପଦକ୍ଷେପ ନିଆଯାଇଛି? ବୋଲି ରାଜଗାଙ୍ଗପୁର ବିଧାୟକସି.ଏସ୍.ରାଜ଼େନ୍ ଏକ୍କା ପ୍ରଶ୍ନ କରିଥିଲେ ।
ଏହାର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ୨୦୧୬-୧୭ ଏବଂ ୨୦୧୭-୧୮ ମସିହାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନ ଏବଂ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସଂଖ୍ୟା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରେ ୧୧୧ ସଙ୍ଗୀତ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବେଳେ ୩୭ ଜଣଙ୍କ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସେହିପରି ୨୦୧୭ରେ ୧୧୬ ଜଣ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ୨୬ ଜଣ ନିଯୁକ୍ତି ପାଇଥିଲେ । ମୋଟ ୨୨୭ ଜଣ ସଙ୍ଗୀତ ଶିକ୍ଷକଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମୋଟ ୬୩ ଜଣଙ୍କୁ ନିଯୁକ୍ତି ମିଳିଥିଲା । ୨୦୨୦ ଜାତୀୟ ଶିକ୍ଷାନୀତି ଅନୁଯାୟୀ ବିଭିନ୍ନ ଅଭିଜ୍ଞମାନଙ୍କୁ ନେଇ ଗଠିତ କମିଟିର ମତାମତକୁ ଆଧାର କରି ସଙ୍ଗୀତ ଶିକ୍ଷକ ନିଯୁକ୍ତି ସମ୍ବନ୍ଧରେ ବିଚାର କରି ସରକାର ବିହିତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।