ଗୁଜରାଟରେ ଭୂପେନ୍ଦ୍ରଙ୍କ ନୂଆ ଟିମ୍
ହର୍ଷ ଉପମୁଖ୍ୟମନ୍ତ୍ରୀ, ୧୯ ନୂଆ ମୁହଁ
ମନ୍ତ୍ରୀ ହେଲେ ରିଭାବା ଜାଡେଜା
ଅହମ୍ମଦାବାଦ : ଗୁଜରାଟ ମନ୍ତ୍ରିମଣ୍ଡଳରେ ଆଜି ବଡ ଧରଣର ଅଦଳବଦଳ ହୋଇଛି । ଗୁରୁବାର ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ମନ୍ତ୍ରିମଣ୍ଡଳରୁ ସମସ୍ତ ମନ୍ତ୍ରୀ ସମୂହ ଇସ୍ତଫା ଦେଇଥିଲେ । ଆଜି ଗୁଜରାଟର ବିଜେପି ସରକାର ନୂଆ ୨୫ ସଦସ୍ୟ ବିଶିଷ୍ଟ ମନ୍ତ୍ରିମଣ୍ଡଳ ଘୋଷଣା କରିଛନ୍ତି । ଯେଉଁଥିରେ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସଂଘଭି ଉପମୁଖ୍ୟମନ୍ତ୍ରୀ ଓ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ମନ୍ତ୍ରିମଣ୍ଡଳ ଗଠନରେ ୧୯ ଜର ନୂଆ ମୁହଁ ଦେଖିବାକୁ ମିଳିଛି । ୨୦୨୧ ପରେ ଏହା ବଡ ଧରଣର ଅଦଳବଦଳ ବୋଲି କୁହାଯାଉଛି ।
୨୦୨୨ ବିଧାନସଭା ନିର୍ବାଚନରେ ଆପ ପ୍ରାର୍ଥୀଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଥିବା ସଂଘଭି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଉପସ୍ଥିତିରେ ଗାନ୍ଧିନଗରର ରାଜଭବନରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଉପମୁଖ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ନୂତନ ମନ୍ତ୍ରିମଣ୍ଡଳରେ ଅନେକ ପରିଚିତ ମୁହଁ ମଧ୍ୟ ସାମିଲ ହୋଇଛନ୍ତି । ଛଅ ଜଣ ମନ୍ତ୍ରୀ ଫେରିଛନ୍ତି । ଋଷିକେଶ ପଟେଲ, କାନୁଭାଇ ଦେଶାଇ, କୁନୱାରଜୀ ବାଭାଲିଆ, ପ୍ରଫୁଲ ପାନସେରିଆ, ପୁରୁଷୋତ୍ତମ ସୋଲାଙ୍କି ଏବଂ ନିଜେ ସାଂଘଭି । ଚାରି ଜଣ ମନ୍ତ୍ରୀ ଯେଉଁମାନେ ସେମାନଙ୍କ ବିଭାଗ ବଜାୟ ରଖିଛନ୍ତି, ଋଷିକେଶ ପଟେଲ, କାନୁଭାଇ ଦେଶାଇ, କୁନୱାରଜୀ ବାଭାଲିଆ ଏବଂ ପୁରୁଷୋତ୍ତମ ସୋଲାଙ୍କି (ରାଜ୍ୟମନ୍ତ୍ରୀ) । ସେମାନଙ୍କ ପଦବୀ ଅପରିବର୍ତ୍ତିତ ଥିବାରୁ ପୁନର୍ବାର ଶପଥ ଗ୍ରହଣ କରିନାହାଁନ୍ତି । ନୂତନ କ୍ୟାବିନେଟରେ ଓବିସି ସମ୍ପ୍ରଦାୟର ୮ ଜଣ, ୬ ଜଣ ପଟିଦାର, ୪ ଜଣ ଆଦିବାସୀ, ୩ ଜଣ ଅନୁସୂଚିତ ଜାତି, ୨ ଜଣ କ୍ଷତ୍ରୀୟ ଏବଂ ବ୍ରାହ୍ମଣ ଓ ଜୈନ (ଲଘୁମତି) ସମ୍ପ୍ରଦାୟର ଜଣେ ଲେଖାଁଏ ମନ୍ତ୍ରୀ ହୋଇଛନ୍ତି । ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଗୁଜରାଟ କ୍ୟାବିନେଟର ବର୍ତ୍ତମାନର ସ୍ଥିତି ବିଷୟରେ ଜଣାଇବା ପରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କବ୍ୟତୀତ ସମସ୍ତ ୧୬ ଜଣ ମନ୍ତ୍ରୀ ସେମାନଙ୍କର ଇସ୍ତଫାପତ୍ର ଦାଖଲ କରିଥିଲେ ।