ଏସଆଇ ନିଯୁକ୍ତି କେଳେଙ୍କାରୀ : ୪ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ
ଶଙ୍କର ନିର୍ଦ୍ଦେଶରେ ଅପରେଟ୍ କରୁଥିଲା ମୁନା
ଟଙ୍କା ଆଦାୟ କରୁଥିଲା ପ୍ରିୟଦର୍ଶିନୀ
ଲୁଚାଇବାରେ ସହଯୋଗ କରିଥିଲା ଅଭିମନ୍ୟୁ
ବିଜୟନଗରମ୍ ନେଉଥିଲା ଶ୍ରୀକାନ୍ତ
ଭୁବନେଶ୍ୱର/କଟକ : ଧିରେଧିରେ ବହୁଚର୍ଚ୍ଚିତ ପୁଲିସ୍ ଏସଆଇ ନିଯୁକ୍ତି କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି । ଶଙ୍କରର ଡାହାଣ ହାତ ମୁନା ମହାନ୍ତି ଓ ତା’ର ସହଯୋଗୀମାନଙ୍କୁ କ୍ରାଇମବ୍ରାଞ୍ଚ ବାନ୍ଧିଛି । ଗତକାଲି ଦଶପଲାରୁ ମୁନା ମହାନ୍ତି ସମେତ ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରାଙ୍କୁ କ୍ରାଇମବ୍ରାଞ୍ଚ ଧରିଥିବାବେଳେ ମୁନାର ଭଉଣୀ କୁହାଯାଉଥିବା ସିଣ୍ଡିକେଟ୍ ମେମ୍ବର ପ୍ରିୟଦର୍ଶିନୀ ସାମଲଙ୍କୁ ବି ଗିରଫ କରାଯାଇଛି । କିଭଳି ଭାବେ ଏହି ସିଣ୍ଡିକେଟ୍ ଅପରେଟ ହେଉଥିଲା ସେନେଇ ବି କ୍ରାଇମବ୍ରାଞ୍ଚ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି । ସେମାନଙ୍କୁ ଅଧିକ ଜେରା କରିବା ପରେ ଶଙ୍କରକୁ ଧରିବାର ବାଟ ଫିଟିଯାଇଥିବା କୁହାଯାଉଛି ।
କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛିଯେ, ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ଅଞ୍ଚଳର ମୁନା ମହାନ୍ତି ଜାଗମରାର କୁଲାଦେବ ଭବନରେ ରହୁଛି । ମୁନା ଏବଂ ଦଶପଲାର ଶ୍ରୀକାନ୍ତ ମହାରଣା, ଅରବିନ୍ଦ ଦାସ, ବିଶ୍ୱରଞ୍ଜନ ବେହେରା, ଟି.ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲ ପାନସଫ୍ଟ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ନେତୃତ୍ୱରେ କ୍ରାଇମ ସିଣ୍ଡିକେଟ୍ କରିଥିଲେ । ଶଙ୍କର ଓ ତା’ର ସହଯୋଗୀମାନେ ଏଜେଣ୍ଟ ଓ ମଧ୍ୟସ୍ଥିଙ୍କ ଜରିଆରେ ନିଯୁକ୍ତି କେଳେଙ୍କାରୀ କରୁଥିଲେ । ଆଶାୟୀ ପ୍ରାର୍ଥୀଙ୍କ ସହ ଯୋଗସୂତ୍ର କରି ସେମାନେ ଅରିଜିନାଲ ସାର୍ଟିଫିକେଟ ଓ ବ୍ଳାଙ୍କଚେକ୍ ଆଣୁଥିଲେ । ଏହା ବଦଳରେ ସେମାନେ ପ୍ରଶ୍ନପତ୍ର ଯୋଗାଇ ଦେଉଥିଲେ । ୨୦ରୁ ୨୫ ଲକ୍ଷ ଟଙ୍କାର ଡିଲ୍ ସରିବା ପରେ ସେମାନଙ୍କ ଅରଜିନାଲ ସାର୍ଟିଫିକେଟ ଫେରାଉଥିଲେ ।
ଶ୍ରୀକାନ୍ତ ମହାରଣା ଓରଫ ରିଙ୍କୁ ଏବଂ ମୁନା ମହାନ୍ତି ଏହି କ୍ରାଇମର ଯୋଜନା କରିଥିଲେ । ଶ୍ରୀକାନ୍ତ ଆଶାୟୀମାନଙ୍କୁ ବିଜୟନଗରମ୍ ନେବା ଓ ସେଠାରେ ରହିବା ପାଇଁ ବସର ବ୍ୟବସ୍ଥା କରିଥିଲା । ଭୁବନେଶ୍ୱରରୁ ସେମାନଙ୍କୁ ଛାଡ଼ିବା ପୂର୍ବରୁ ସେ ସମସ୍ତଙ୍କର ସାର୍ଟିଫିକେଟ୍ ନେଇ ଯାଇଥିଲା । ସେହିପରି ଏହି ସିଣ୍ଡିକେଟର ପର୍ଦ୍ଦାଫାଶ ପରେ ଲୁଚିବା ପାଇଁ ଶ୍ରୀକାନ୍ତ ଯୋଜନା କରିଥିଲା । ସିଣ୍ଡିକେଟ୍ ମେମ୍ବର ଟି ଅଭିମନ୍ୟୁ ଦୋରାର ଦଶପଲାରେ ଥିବା ଫାର୍ମ ହାଉସରେ ମୁନା ମହାନ୍ତି ଓ ସେ ରହୁଥିଲେ ।
ସେହିପରି ଗତ ସେପ୍ଟେମ୍ବର ୨୭ରେ ମୁନା ମହାନ୍ତି ତୁଳସୀ ଟୁରସ ଆଣ୍ଡ ଟ୍ରାଭେଲ୍ସ, କେଏସଏନ ଟୁରସ ଆଣ୍ଡ ଟ୍ର୍ରାଭେଲ୍ସରଭ ୩ଟି ଗାଡ଼ି ବୁକ୍ କରିବା ସହ ୨ ଲକ୍ଷ ୩୦ ହଜାର ଟଙ୍କା ନିଜର ଓ ନିଜ ମା’ଙ୍କ ଆକାଉଣ୍ଟରୁ ଦେଇଥିଲା । ସେହିପରି ସେପ୍ଟେମ୍ବର ୨୯ରେ ସେ ନିଜେ ଉପସ୍ଥିତ ରହି ନିଜର ୩ ଏଜେଣ୍ଟଙ୍କ ଜରିଆରେ ୩ଟି ବସରେ ଆଶାୟୀ ପ୍ରାର୍ଥୀମାନଙ୍କ ବୋଡ଼୍ରିଂକୁ ମନିଟରିଂ କରିଥିଲା । ପରେ ସେଠାରୁ ସେ ବିଜୟନଗରମ୍ ଯିବା ସହ ସେଠାରେ ଆଶାୟୀ ପ୍ରାର୍ଥୀମାନେ ରହିବାର ବ୍ୟବସ୍ଥା କରି ଲୋକେସନ ପଠାଇଥିଲା । ସେହିପରି ପ୍ରିୟଦର୍ଶିନୀ ସାମଲକୁ ସେ ନିଜ କ୍ରାଇମ୍ ସିଣ୍ଡିକେଟରେ ଭର୍ତ୍ତି କରିବା ସହ ତାକୁ ଭଉଣୀ ବୋଲି ଦର୍ଶାଉଥିଲା । ତେବେ ସେପ୍ଟେମ୍ବର ୨୯ରେ ଆଶାୟୀମାନେ ବିଜୟନଗରମ୍ରେ ପହଁଚିବା ପୂର୍ବରୁ ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା । ସେହି ସମୟରେ ମୁନା ମହାନ୍ତି ଓ ତା’ର ସହଯୋଗୀମାନେ ସେଠାରୁ ଫେରାର ହୋଇଯାଇଥିଲେ ।
ସେହିପରି ପ୍ରିୟଦର୍ଶିନୀ ସାମଲ ଜରିଆରେ ଅଭିଭାବକମାନଙ୍କୁ ସେ ସାର୍ଟିଫିକେଟ୍ ଫେରାଇ ଦେଇଥିଲା । ଆଶାୟୀମାନଙ୍କୁ ସାର୍ଟିଫିକେଟ୍ ଫେରାଇବା ସହ ପ୍ରିୟଦର୍ଶିନୀ ପ୍ରମାଣ ନଷ୍ଟ କରିଦେଇଥିଲା । ସେହିପରି ସେ ହିଁ ପ୍ରାର୍ଥୀମାନଙ୍କ ଠାରୁ ଟଙ୍କା ଆଣିଥିଲା । ମୁନା ଓ ଶ୍ରୀକାନ୍ତ କିଭଳି ଗିରଫ ନହେବେ ସେଥିପାଇଁ ସେମାନଙ୍କୁ ସେ ସହଯୋଗ କରିବା ସହ କୋର୍ଟରେ କିଭଳି ଆଗୁଆ ଜାମିନ୍ ମିଳିପାରିବ ସେନେଇ ବି ଉଦ୍ୟମ କରିଥିଲା । ଅପରପକ୍ଷରେ ଦଶପଲାର ଟି ଅଭିମନ୍ୟୁ ଦୋରାର ମୁନା ମହାନ୍ତିର ଘନିଷ୍ଠ ସହଯୋଗୀ ଶ୍ରୀକାନ୍ତ ସହ ଭଲ ସମ୍ପର୍କ ରହିଥିଲା । ଅକ୍ଟୋବର ୧ରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଦାୟିତ୍ୱ ନେବା ପରେ ଅଭିମନ୍ୟୁ ସହ ଯୋଗସୂତ୍ର କରିଥିଲେ ଶ୍ରୀକାନ୍ତ ଓ ମୁନା । ତାକୁ ସବୁ ବିଷୟ କହିଥିଲେ । ଏସମସ୍ତ ବିଷୟରେ ଜାଣିବା ପରେ ବି ଅଭିମନ୍ୟୁ ସେମାନଙ୍କୁ ଦଶପଲାରେ ଥିବା ତା’ ନିଜ ଫାର୍ମ ହାଉସରେ ରଖିଥିଲା । ସେହିପରି ପୁଲିସର ଗତିବିଧି ଓ ଅନ୍ୟ ସୂଚନା ତାଙ୍କୁ ଦେଉଥିଲା । ପ୍ରିୟଦର୍ଶିନୀ ସାମଲ ସହ ସେ ଯୋଗସୂତ୍ରରେ ରହିଥିଲା । ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ସେମାନଙ୍କ ଠାରୁ ପ୍ରାର୍ଥୀମାନଙ୍କ ତାଲିକା, ଟ୍ର୍ରାଭେଲ ଏଜେନ୍ସୀକୁ ବସ ପାଇଁ ଦିଆଯାଇଥିବା ପେମେଣ୍ଟ ସଂକ୍ରାନ୍ତୀୟ ତଥ୍ୟ, ଅଭିଯୁକ୍ତମାନେ ବ୍ୟବହାର କରୁଥିବା ୨ ଟିପର, ୧ ସ୍କର୍ପିଓ, ୧ ମହିନ୍ଦ୍ରା ଥର, ୧ ଲକ୍ଷ ୨୦ ହଜାର ଟଙ୍କାର ନଗଦ କ୍ୟାସ ଓ ୧୫୦ ଡିଜିଟାଲ ଡିଭାଇସ ଜବତ କରାଯାଇଛି । ଏସଆଇ ନିଯୁକ୍ତି କେଳେଙ୍କାରୀରେ ସେମାନଙ୍କ ସଂପୃକ୍ତି ନେଇ ଅନେକ ତଥ୍ୟ ପ୍ରମାଣ ମିଳିଥିବାରୁ କ୍ରାଇମବ୍ରାଞ୍ଚ ଆଜି ସେମାନଙ୍କୁ ଗିରଫ କରିଛି । ଏହି ମାମଲାରେ ଏଯାବତ୍ ୧୨୩ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ସ୍ୱତନ୍ତ୍ର ଟିମ୍ ଖୋଜୁଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।