ଚୋରା କାରବାରର ଅବାଧ ଇଲାକା


ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ ଉଦେ୍ଦଶ୍ୟରେ ନଣ୍ଡା ପାହାଡ଼ ଗୁଡ଼ିକରୁ କଳାପଥର ନିଆଯାଇ କ୍ରସର୍ ମେସିନ୍ ସାହାଯ୍ୟରେ ସେସବୁକୁ ଗେଟି, ଚିପ୍ସ, ବଜୁରୀ, ଗୁଣ୍ଡ ଆଦି କରାଯାଉଛି । ଏଭଳି କାମ ପାଇଁ ସ୍ଥାନୀୟ ତହସିଲ୍ଦାରମାନେ ପରିବେଶଗତ ଆଇନ୍ ଏବଂ ଜଙ୍ଗଲଗତ ଆଇନ୍କୁ ଦୃଷ୍ଟିରେ ରଖି ପଥର ଖଣି ଲିଜ୍ ଦିଅନ୍ତି । ଲିଜ୍ଧାରୀମାନେ ନିର୍ଦ୍ଧିଷ୍ଟ ଅଞ୍ଚଳରେ ନିର୍ଦ୍ଧିଷ୍ଟ ସମୟ ପାଇଁ ଡ଼ିନାମାଇଟ୍ ସାହାଯ୍ୟରେ ପଥର ଫଟେଇ ଏହାକୁ ଉତ୍ତୋଳନ କରିଥାନ୍ତି । ଏହି ପଥରକୁ ଲଘୁ ଖଣିଜ ଦ୍ରବ୍ୟ ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ଏହି ଲଘୁ ଖଣିଜ ଦ୍ରବ୍ୟର ବ୍ୟାପକ ଚୋରା କାରବାର ରାଜ୍ୟସାରା ସବୁଆଡ଼େ ଅବାଧରେ ଚାଲିଥିବା ନେଇ ମାଳମାଳ ଅଭିଯୋଗ ଆସୁଛି । ଗତ ମାର୍ଚ୍ଚ୍ ମାସରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ୍ ଉତ୍ତୋଳନକୁ ରୋକିବା ପାଇଁ ସରକାର ବ୍ୟାପକ ଚଢ଼ାଉ ଅଭିଯାନ ଆରମ୍ଭ କରିଥିଲେ । ଏହି ଚଢ଼ାଉ ସମୟରେ ଶହ ଶହ ଟ୍ରାକ୍ଟର, ଟ୍ରକ୍, ଜେସିିବି ମେସିନ୍ ଆଦି ଜବତ୍ ହୋଇଥିଲା । 
ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ୍ ଅଧିନରେ ଥିବା ଆରୁହା ପାହାଡ଼ କଳାପଥର ଖଣି ସବୁବେଳେ ବିବାଦରେ ରହିଆସିଛି । ଏହି ଖଣିରୁ ବ୍ୟାପକ ପରିମାଣରେ କଳାପଥର ଚୋରି ହେଉଥିବାର ଜଣାପଡ଼ିଛି । କେତେବେଳେ ସିଧାସଳଖ ଚୋରି ହେଉଛି ତ ଆଉ କେତେବେଳେ ଲିଜଧାରୀମାନେ ସେମାନଙ୍କୁ ଦିଆଯାଇଥିବା ସୀମା ବାହାରେ ପଥର ଉତ୍ତୋଳନ କରୁଛନ୍ତି । ଦିନକୁ ଦିନ ଗୃହ ନିର୍ମାଣ ଠାରୁ ଆରମ୍ଭ କରି ସଡ଼କ ନିର୍ମାଣ ଯାଏଁ କାମ ସବୁ ଅଧିକରୁ ଅଧିକ ହେଉଥିବା ବେଳେ କଳାପଥର ଗୁଣ୍ଡରୁ ଆରମ୍ଭ କରି ଚିପ୍ସ ପର୍ଯ୍ୟନ୍ତ ଅଧିକରୁ ଅଧିକ ଆବଶ୍ୟକ ହେଉଛି । ଗୋଟିଏ ଗୋଟିଏ ଟ୍ରିପ୍ରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ହେଉଥିବାରୁ ଏହି ବ୍ୟବସାୟରେ ଅପରାଧୀମାନେ ମଧ୍ୟ ପ୍ରବେଶ କରି ସାରିଲେଣି । ନିକଟରେ ଆରୁହା ପାହାଡ଼ରେ ଲିଜ୍ ଦିଆଯାଇଥିବା ଜଣେ ଲିଜ୍ଧାରୀଙ୍କୁ ବେଆଇନ୍ ଭାବରେ କଳାପଥର ଉତ୍ତୋଳନ ଏବଂ ଚୋରା ଚାଲାଣ କରିଥିବାରୁ ଜିଲ୍ଲା ଖଣି ବିଭାଗ ପକ୍ଷରୁ ୪୦ ଲକ୍ଷ ଟଙ୍କା ଜୋରିମାନା ଲଗାଯାଇଛି । 
ସାଧାରଣତଃ ଲଘୁ ଖଣିଜ ଦ୍ରବ୍ୟ ହେଉ କି ଯେ କୌଣସି ଖଣିଜ ଦ୍ରବ୍ୟ ହେଉ ଏସବୁର ବେଆଇନ୍ ଉତ୍ତୋଳନ ଏବଂ ଚୋରା କାରବାର କରୁଥିବା ଲୋକମାନେ ବେଆଇନ୍ ଭାବରେ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ତେଣୁ ସେମାନଙ୍କ ପାଇଁ ଲକ୍ଷ ହିସାବରେ ଜୋରିମାନା ଲଗାଇବା ମଧ୍ୟ ଭିନ୍ନ ଏକ ଦୁର୍ନୀତି ଭାବରେ ଅଭିଯୋଗ ଆସୁଛି । ବର୍ଷସାରା ଚୋରା ଖଣିଜ କାରବାର କରି କୋଟି କୋଟି ଟଙ୍କା କଳାଧନ ଅର୍ଜନ କରିଥିବା ଲୋକମାନଙ୍କ ପକ୍ଷରେ ଲକ୍ଷ ହିସାବରେ କୌଣସି ଏକ ଜୋରିମାନା ଅତି ନଗଣ୍ୟ । ଏଭଳି କ୍ଷେତ୍ରରେ କୋଟି କୋଟି ଟଙ୍କାର ଜୋରିମାନା ଲଗାଯିବାର ଆବଶ୍ୟକତା ଅଛି, କିନ୍ତୁ ସରକାରୀ କର୍ମଚାରୀମାନଙ୍କ ସହିତ ବୁଝାମଣା ସୂତ୍ରରେ ଜୋରିମାନାର ପରିମାଣକୁ ବହୁତ କମ୍ କରି ଦିଆଯାଉଛି । 
ଚୋରା ଖଣିଜ ଦ୍ରବ୍ୟର କାରବାର କ୍ଷେତ୍ରରେ ଖଣିଜ ଦ୍ରବ୍ୟକୁ ଯୁକ୍ତିସଙ୍ଗତ କରାଯିବା ଆବଶ୍ୟକ । ଚୋରା ବେପାରୀମାନେ ବର୍ଷସାରା ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର କରୁଛ"ି, ମାତ୍ର ଧରପଗଡ଼ ହୁଏ କେବଳ ବର୍ଷରେ ଥରେ । ମାର୍ଚ୍ଚ୍ ମାସରେ । ତେଣୁ ୧୧ ମାସ କାଳ ବେଆଇନ୍ ଉତ୍ତୋଳନରେ ସଂପୃକ୍ତ ଥିବା ମାଫିଆମାନେ ଥରେ ଅଧେ ଧରା ପଡ଼ିଗଲେ ଏଥିରେ ସେମାନଙ୍କର ଖାତିର୍ ନଥାଏ । କାରଣ ବର୍ଷସାରା ସେମାନେ ବେଆଇନ୍ ଭାବରେ କିମ୍ବା ଧରପଗଡ଼ କରୁଥିବା କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହିତ ସଲାସୁତୁରାରେ ଚୋରା କାରବାରରେ ଲିପ୍ତ ରହୁଛନ୍ତି । ଲଘୁ ଖଣିଜ ଦ୍ରବ୍ୟ ହେଉ କିମ୍ବା ଯେ କୌଣସି ଖଣିଜଦ୍ରବ୍ୟ ହେଉ ସେସବୁର ବେଆଇନ୍ କିମ୍ବା ଚୋରା ଉତ୍ତୋଳନ ସିଧାସଳଖ ପରିବେଶ ସହିତ ସମ୍ପର୍କିତ । ଏ ଦୃଷ୍ଟିରୁ ଚୋରା ଖଣିଜ କାରବାରକୁ ଗୁରୁତର ଅପରାଧରେ ପରିଗଣିତ କରାଯିବା ଆବଶ୍ୟକ । ନହେଲେ ରାଜ୍ୟର ପାହାଡ଼, ପର୍ବତ ସବୁକିଛି ଆଉ ବର୍ଷ କେଇଟା ମଧ୍ୟରେ ନିଶ୍ଚିହ୍ନ ହୋଇଯିବ ।