ଭଗବତ ଉପଲବ୍ଧିର ବିଜ୍ଞାନ


ସୌର ଚନ୍ଦ୍ର ମହାପାତ୍ର : ଗଛକୁ ମାରିଦେବାକୁ ହେଲେ ତା'ର ମୂଳ ଚେରଟାକୁ ହିଁ କାଟି ଦେବାକୁ ପଡ଼ିବ । ଗଛରୁ ଗୋଟି ଗୋଟି କରି ସବୁଯାକ ପତ୍ର ଛିଡ଼ାଇ ପକାଇଲେ ମଧ୍ୟ କିଛି ଲାଭ ନାହିଁ । କାରଣ ପ୍ରଥମେ ଏହା ବହୁ ସମୟ ସାପେକ୍ଷ, ପୁଣି ଗଛ ଆଦୌ ମରି ନପାରେ । ଏ ଦେଶର ବହୁ ଅତୀତର ବେଦ ଦ୍ରଷ୍ଟାମାନେ ଏଇ ସନାତନ ବିଦ୍ୟା ଜାଣିଥିଲେ, ମାତ୍ର ଆଜି ସେଇ ମହାଜ୍ଞାନୀମାନଙ୍କୁ ନିଜର ଆତ୍ମୀୟ ବୋଲି କହିବାକୁ ଆମେ ଭାରତୀୟମାନେ ସମ୍ଭବତଃ ଲଜ୍ଜା ଅନୁଭବ କରୁଛୁ । ସେଇ ବେଦଜ୍ଞ, ଦ୍ରଷ୍ଟାମାନେ ଆପଣାର ତପସ୍ୟା ପ୍ରଭାବରେ ଈଶ୍ୱରଙ୍କୁ ଦର୍ଶନ ଲାଭ କରିବା ସଙ୍ଗେ ସଙ୍ଗେ ତାଙ୍କ କୃପା ଲାଭ କରିଥିଲେ । ସେମାନେ ଏତେ ସାହସିକତାର ସହ ଯେଉଁ ବିଜ୍ଞାନ ଆବିଷ୍କାର କରିଥିଲେ, ତାକୁ ଲୋକ ସମାଜରେ ପ୍ରଚାର କରିଥିଲେ । ଅନ୍ୟ ଦେଶର ସତ୍ୟାନ୍ୱେଷୀ ସାଧକମାନେ ଏସବୁ ପୁସ୍ତକ ପାଠକରି ମତ ଦେଉଥିଲେ ଯେ, ଭାରତ ବର୍ଷ ସାରା ପୃଥିବୀ ପାଇଁ ଜ୍ଞାନର ମଶାଲ ଜାଳି ରଖିଛି । ଏହା ତ ଜଣାଶୁଣା କଥା ଯେ ଦୀପ ସାରା ଘରକୁ ଆଲୋକିତ କରେ ମାତ୍ର ଦୀପର ଠିକ ତଳେ ଖେଳୁଥାଏ ଅନ୍ଧକାରର ଏକ ବଳୟ । ଭାରତ ନିଜର ଏ ଅମୂଲ୍ୟ ସମ୍ପଦ ବିଷୟରେ ଆଦୌ ସଚେତନ ନୁହେଁ । ଏହାକୁ ଭାଗ୍ୟର ଖେଳ ବୋଲି କହି ଆମେ କ'ଣ ଚୁପ ହୋଇ ବସି ପାରିବା?
ପୁରାକାଳରେ ଭାରତୀୟମାନେ ଶୁଦ୍ଧପୁତ ଭାବରେ ସେମାନଙ୍କର ପ୍ରତିଦିନର କାମ ସମ୍ପାଦନ କରୁଥିଲେ । ଗୋଟିଏ ପବିତ୍ର ସ୍ଥାନରେ ଉପବେଶନ କରି ପବିତ୍ରତା ଦ୍ୱାରା ପରିବେଷ୍ଟିତ ହୋଇ ସେମାନେ ବେଦ ଉପନିଷଦ ଅଧ୍ୟୟନ ଓ ଅଭ୍ୟାସ କରୁଥିଲେ । ତା'ଛଡ଼ା ଅନ୍ୟ ମାନଙ୍କୁ ବାଟ ଦେଖାଇବା ନିମନ୍ତେ ଏବଂ ନିଜର ଅନୁଭୂତିକୁ ବାରମ୍ବାର ଅନୁଭବ କରିବାକୁ ସେମାନେ ସେଗୁଡ଼ିକୁ ପୁସ୍ତକ ଆକାରରେ ଲିପିବଦ୍ଧ କରି ରଖୁଥିଲେ । ମାତ୍ର ସେମାନଙ୍କ ପୁତ୍ର ପୌତ୍ରମାନେ ସେଗୁଡ଼ିକୁ ପୀଢ଼ା ଉପରେ ଉପରେ ରଖି ଧୂପ ଚନ୍ଦନ ଦେଇ ପୂଜା କରିବାରେ ବ୍ୟସ୍ତ । ଅବହେଳାରୁ ତାଳପତ୍ର ପୋଥି ଗୁଡ଼ିକରେ ପୋକଲାଗିଲା ଓ ମୂଷା ମାନଙ୍କର ଉତ୍ପାତରୁ ନଷ୍ଟ ହୋଇଗଲା । ମାତ୍ର ବିଦେଶର ସାଧକ ଓ ଗବେଷକମାନେ ସେ ପୋଥି ଗୁଡ଼ିକର ମୂଲ୍ୟ ବୁଝି ସେଗୁଡ଼ିକୁ ଧ୍ୱଂସସ୍ତୂପରୁ ଉଦ୍ଧାର କରି ଆନନ୍ଦର ସହ ଆପଣାକୁ କୃତାର୍ଥ ମନେ କରି ସମୁଦ୍ର ସେପାରି ତାଙ୍କ ଦେଶକୁ ନେଇ ଯାଉଛନ୍ତି । ସେମାନେ ଉପଲବ୍ଧି କରୁଛନ୍ତି ଯେ ଗ୍ରନ୍ଥ ଗୁଡ଼ିକରେ ରହିଛି ଆଲୋକର ଅତୁଳନୀୟ ଉତ୍ସ ଓ ଜ୍ଞାନର ଅମୂଲ୍ୟ ରତ୍ନ ରାଜି । ସେମାନେ ଘୋଷଣା କରୁଛନ୍ତି ଯେ, ଏଗୁଡ଼ିକ ଜଗତକୁ ଭାରତର ଅପୂର୍ବ ଉପହାର । ଏବେ ସେଇ ଭାରତର ସନ୍ତାନମାନେ କ'ଣ କରୁଛନ୍ତି ଜାଣିବା ଆସନ୍ତୁ? ସେମାନେ ଏ ପୋଥି ଗୁଡ଼ିକର ପୃଷ୍ଠା ଓଲଟାଉ ନାହାନ୍ତି ବା ସେଥିରେ କ'ଣ ଲେଖାଅଛି ତାହା ଚିନ୍ତା ବି କରୁନାହାନ୍ତି । ଲକ୍ଷ୍ୟ କଲେ ଜଣେ ହୁଏତ ସେ ଗ୍ରନ୍ଥ ପଢ଼ୁଥିବ, ଆଉ ଯିଏ ଏସବୁ ପଢ଼ୁଛି ଲୋକେ ତାକୁ ନିର୍ବୋଧ ଓ ପାଗଳ ବୋଲି ଉପହାସ କରୁଛନ୍ତି । ସେ ପୋଥିର ବିଦ୍ୟା ଗୁଡ଼ିକ ମିଛ କଥା ଓ ମନଗଢ଼ା କାହାଣୀ ବୋଲି କହି ଏ ଦେଶର ପଣ୍ଡିତମାନେ ସେଗୁଡ଼ିକର ଐତିହାସିକତା ଏବଂ ଲେଖକର ପରିଚୟ ସମ୍ପର୍କରେ ଯୁକ୍ତିତର୍କ କରିବାରେ ବ୍ୟସ୍ତ ।  ସଂସ୍କୃତ ଭାଷା ଅଧ୍ୟୟନ କରିବା ଗୋଟାଏ ଖୁବ କଷ୍ଟକର କଥା ବୋଲି କହି ଅନେକ ଏହାକୁ ପରିତ୍ୟାଗ କରିଛନ୍ତି ଏବଂ ଅନ୍ୟ ଦେଶର ପଣ୍ଡିତ ଓ ଜ୍ଞାନ ପିପାସୁ ଲୋକଙ୍କ ହାତରେ ଏ ଭାଷାର ଅମୂଲ୍ୟ ରତ୍ନ ରାଜିକୁ ଟେକି ଦେଇଛନ୍ତି । ସତରେ ଏହା କେତେ ଦୁଃଖର କଥା । ନିଜର ମାତୃଭାଷାକୁ ମନ ଦେଇ ଅଧ୍ୟୟନ କଲେ ହୁଏତ କିଛିଟା କ୍ଷତିପୂରଣ ହୋଇପାରନ୍ତା ମାତ୍ର ସେମାନେ ସେତକ ମଧ୍ୟ କରୁନାହାନ୍ତି । ଚତୁର୍ଦ୍ଦିଗରେ ଆଖିରେ ପଡ଼ୁଛି ଖାଲି ଅବହେଳା ଓ ଅବହେଳା ।  ଏଇ ସଂସାରର ସୁଖ ସମ୍ଭୋଗ ଚିରନ୍ତନ । ସଂସାରରେ ସୁଖରେ ରହିବାକୁ ଆମେମାନେ ସମସ୍ତ କଳା ଓ ବିଜ୍ଞାନ ଅଧ୍ୟୟନ କରିବା ସହିତ ଏହାକୁ ବି ମନେ ରଖିବା ଉଚିତ ଯେ ଏ ପାର୍ଥିବ ଦୁନିଆରେ ସୁଖ ଆଦୌ ଚିରସ୍ଥାୟୀ ନୁହେଁ । 
ଚିରସ୍ଥାୟୀ ସୁଖ କେବଳ ଗୋଟିଏ ବିଦ୍ୟା ଦ୍ୱାରା ଲାଭ କରାଯାଇ ପାରିବ । ତାହା ହେଲା ଉପନିଷଦ, ବିଦ୍ୟା ତାହା ହିଁ ଭଗବତ ଉପଲବ୍ଧିର ବିଜ୍ଞାନ, ତାହାହିଁ ପୁରାକାଳର ଋଷିମାନଙ୍କ ଶିକ୍ଷା । ଜଗତରେ ତା ଠାରୁ ବଡ଼ ଆଉ କିଛି ନାହିଁ । ଏଥିରେ ବିତର୍କର ଅବକାଶ ନାହିଁ । ଜୀବନରେ ଯେତେ ଦୁଃଖ ଓ ସୁଖ ଭୋଗକର ପଛକେ, ଜୀବନ ଧାରଣ କରିବା ନିମନ୍ତେ ଯେ କୌଣସି ବିଦ୍ୟାରେ ପ୍ରବୀଣତା ହାସଲ କରିଥାଅ ପଛକେ, ବ୍ରହ୍ମ ବିଦ୍ୟା ଠାରେ ସବୁବେଳେ ଦୃଷ୍ଟି ରଖିବା ଉଚିତ । ଯଦି ସଦଗୁଣର ଅଭିବୃଦ୍ଧି ନ କରି ଖାଲି ବୁଦ୍ଧିକୁ ମାଜିବାରେ ଲାଗିବା ଏବଂ ମୁଣ୍ଡ ଭିତରେ ଖାଲି ଗୁଡ଼ିଏ ସମ୍ବାଦ ଭର୍ତ୍ତି କରିବା, ତେବେ ସଂସାରର ପ୍ରଗତି ସୁଦୂର ପରାହତ ହୋଇଯିବ ଏବଂ ଜଗତ ଗୁରୁତ୍ୱର ବିପଦର ସମ୍ମୁଖୀନ ହେବ । ମାତ୍ର ଏବେ ଅନେକ ଲୋକେ ସଦଗୁଣ ଓ ସଦାଚାର ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ ହରାଇ ବସିଲେଣି । କାରଣ ଆଜିର ଶିକ୍ଷା ପଦ୍ଧତି ଏମିତି ହୋଇଛି ଯେ ସେଥିରେ ଆଧ୍ୟାତ୍ମିକ ସାଧନା ବା ଧର୍ମ ଶିକ୍ଷାର କୌଣସି ସ୍ଥାନ ନାହିଁ । ପ୍ରକୃତ ଶିକ୍ଷା ବାଳକ ବାଳିକାଙ୍କ ମଧ୍ୟରେ ଥିବା ସଦଗୁଣକୁ ନଷ୍ଟ କରିଦିଏ ନାହିଁ ବା ଏହାର ଅଭିବୃଦ୍ଧିରେ ବାଧା ସୃଷ୍ଟି କରେନାହିଁ । ଛାତ୍ର ଛାତ୍ରୀମାନଙ୍କ ମୁଣ୍ଡରେ ଗୁଡ଼ାଏ ବାଜେ କଥା ଭର୍ତ୍ତି କରିବା ଶିକ୍ଷାର ପ୍ରକୃତ ଉଦେ୍ଦଶ୍ୟ ନୁହେଁ । ମଣିଷକୁ ମଣିଷ ପଣିଆ ପ୍ରଦାନ କରୁଥିବା ସମସ୍ତ ସଦଗୁଣର ପୂର୍ଣ୍ଣତମ ବିକାଶ ନିମନ୍ତେ ସମସ୍ତ ସୁଯୋଗ ଦେବା ହିଁ ପ୍ରକୃତ ମଙ୍ଗଳକର ଶିକ୍ଷାର ଲକ୍ଷ୍ୟ । 
ମୋ : ୯୪୩୭୦୦୪୪୬୬