ଅଜଣା ଜଗତର ଡାକ (୩୨)

ଏକ ଛୋଟ ଅଞ୍ଚଳରେ ଏବେ ସବୁଆଡେ ଧୂଆଁ ଥିଲା ଏହି ଧଳା ଧୂଆଁ ଲୋକଙ୍କୁ ଅଣନିଃଶ୍ୱାସୀ କରିଦେଉଥିଲା । ଶୁଖିଲା ଗଛଟାରେ କିଛି ଜୀବନ ତଥାପି ଥିଲା । କେଉଁଠି କେଉଁଠି ଛୋଟ ଛୋଟ ଡାଳ ଏଠିସେଠି ବାହାରି ଆସିଥିଲା । ସେସବୁ ଧିରେ ଜଳିଯାଉଥିଲା । ଏମିତି ସଢା ଶୁଖା ଗଛମାନ ସହସ୍ର ପ୍ରାଣୀଙ୍କର ଆଶ୍ରୟସ୍ଥଳୀ । ଗେଣ୍ଡା, କଙ୍କଡା, କୀଟ, ପତଙ୍କ ଏମିତି ସଢା ପଚା ଗଛରୁ ନିଜ ଜୀବନ ପାଇଁ ପୋଷକତତ୍ତ୍ୱ ସଂଗ୍ରହ କରିନିଅନ୍ତି । ଏକ ଡାଳର ଝାଉଁଳିଯିବା ସହ କେତେ ଛୋଟ ପ୍ରାଣୀଙ୍କ ଜୀବନ ନିଆଁରେ ପାଉଁଶ ହୋଇଯାଇଅଛି ।  ଏମାନଙ୍କ ପ୍ରଚେଷ୍ଟାରୁ ଏବେ ନିଆଁ ତିନିଚାରିଟା ଗଛ ଭିତରେ ସୀମିତ ହୋଇଯାଇଥିଲା । ଆଉ କିଛି ବିପଦର ଆଶଙ୍କା ନାହିଁ । କିନ୍ତୁ ବିପଦ ସଂମ୍ପୂର୍ଣ୍ଣ ଟଳି ଯାଇଛି ବୋଲି କହିହେବବନି । ପବନ ନିଆଁର ଝୁଲମାନଙ୍କୁ ଦୂରକୁ ବୋହିନେଉଥିଲା । ଏକ କେଓଡା ଗଛର ଉପର କେନାରେ କିଛି ଶୁଖିଲା ଡାଳ ପତ୍ର ଥିଲା, ତଳେ ନିଆଁ ଆଉ ନାହିଁ, କି ଗଛରେ ନିଆଁ ଲାଗିନି । ହଠାତ୍ ପ୍ରାୟ ୧୫-୨୦ ଫୁଟ ଉପରେ ଶୁଖିଲା ପତ୍ରମାନ ଜଳିବାକୁ ଲାଗିଲା । ସେ ଜଳିବାଟା ଅଳ୍ପ କେତେ ମିନିଟର । ପ୍ରାୟ ୭-୮ ଫୁଟ ଉପରେ ଛତା ପରିଥିବା କଂଚା ପତ୍ର ଆଉ ଜଳିଲାନି । ନିଆଁ ଲିଭାଉଥିବା ଲୋକମାନେ ସାବଧାନ ରହିଲେ । କିଛି ସମୟ ପରେ ଉପରୁ ନିଆଁ ଚକ୍ରବାଣର ଝୁଲ ଫିଙ୍ଗି ଏକ ଡାଳ ତଳକୁ ଖସି ପଡିଲା । ଜଙ୍ଗଲରେ ଉପରେ ଯଦି ନିଆଁ ଲାଗିଗଲା, ଏମିତି ନିଆଁ ଖଣ୍ଡମାନ ଛାତ ଉପରୁ ତଳକୁ ଖସି ପଡିଲା ଭଳି ଖସି ପଡୁଥିବ । ଅତି ବିପଦଜନକ ପରିସ୍ଥିତି । କିଏ ଯେମିତି ନିଆଁ ହୁଳାମାନ ଉପରୁ ପିଙ୍ଗୁଛି । କିଛି ଧଳା, କଳା ଧୂଆଁ । କିଛି ସମୟପରେ ନିଆଁ ଲିଭିଗଲା । 
ଏମାନେ ପ୍ରାୟ ଦୁଇଘଣ୍ଟା ପରେ ସେହି ଅଂଚଳରେ ବୁଲିଲେ । କିଛି ଅଂଶରେ ଜଙ୍ଗଲ ତଳ ସଫା ହୋଇଯାଇଛି । ଚାରିଆଡେ ପାଉଁଶ । କିଛି ଦୂରରେ କେଓଡା ଗଛମାନ ମୁଖ୍ୟତଃ ଅକ୍ଷତ ଅଛି । କିଛି କିଛି ଅନ୍ୟ ଗଛର ଶୁଖିଲା ଗଣ୍ଡିମାନର ଭିତରେ ରଡ ନିଆଁ ଅଛି । ଜଙ୍ଗଲର ସେମିତି ବେଶି କ୍ଷୟକ୍ଷତି ହୋଇନି । ଦୁଇ ଘଣ୍ଟାର ପରିଶ୍ରମ ଏ ଜଙ୍ଗଲକୁ ଧ୍ୱଂସ ହେବାରୁ ବଞ୍ଚେଇ ଦେଇଛି । ଖୋଲା ପତ୍ରଦେଇ କେବଳ ଅଧିକ ଆଲୋକ ଆକାଶରୁ ଝରିଆସୁଛି । ଜଙ୍ଗଲ ତଳ ଆଗର ବର୍ଷା ପାଇଁ ପ୍ରତୀକ୍ଷା କରି ରହିବ । ଏ ଧୂଆଁ କିଛି ସମୟପରେ ଆଉ ଉଠିବନି । ଅସୀମଙ୍କ ଲୋକମାନେ ସାବଧାନତାର ସହ ଆଉ କିଛି ଘଣ୍ଟା ଅପେକ୍ଷା କରି ରହିବେ । ଧୂଆଁ ଉଠିବା ବନ୍ଦ ହେଲେ ସେମାନେ ଏ ଜାଗା ଛାଡିବେ । ଅଭେଦ୍ୟ କେଓଡା ଜଙ୍ଗଲ କିଛି ମାତ୍ରାରେ କେବଳ ପ୍ରବେଶ ଯୋଗ୍ୟ ହୋଇଯାଇଛି ।  ଖୋଲା ଅଂଶକୁ ଦେଖି ଅସୀମଙ୍କ ମନରେ ଦୁଃଖ ହେଉଥିଲା । ସେ ପାଉଁଶ ଉପରେ ଚାଲିବାକୁ ଲାଗିଲେ । ଉଦୟରାଜ ଆଉ ସେ ମିଶି ରଡ ନିଆଁଥିବା ଶୁଖିଲା ଗଛମାନଙ୍କକୁ ଚିହ୍ନଟ କରୁଥିଲେ । ଏହି ସବୁ ଗଛକୁ ଜଗାଯବ ଆଉ ସେଥିରୁ ନିଆଁ ଝୁଲ ଯେମିତି ଆଗକୁ ନଛିଟିକି ପଡେ ତା’ର ଲକ୍ଷ୍ୟ କରାଯିବ । ମରିପଡିଥିବା ଅସଂଖ୍ୟ ଗେଣ୍ଡା, ଶାମୁକା ଜାତୀୟ ପ୍ରାଣୀଙ୍କ ପାଇଁ ତାଙ୍କର ମନ ଦୁଃଖ ହେଉଥିଲା । ବହୁତ ଗେଣ୍ଡା ଶାମୁକା ପାଉଁଶ ଭିତରେ ମରି ପୋତି ହୋଇଯାଇଥିଲେ । ସେମାନଙ୍କ ଖୋଳପା ଯାହା ଟିକିଏ କଳା ପଡିଆସିଥିଲା । ଗଛର ଚେର, ଗଛ ପଥର ଫାଙ୍କରେ କେତେ କେତେ ଯେ ଏମିତିଆ ପ୍ରାଣୀ ଆଶ୍ରୟ ନେଇଥିଲେ ।  ଅସୀମ ଏକ ପାଖର କଞ୍ଚା କେଓଡା ଗଛକୁ ଅନାଇଲେ । ନିଆଁ ଧାସରେ ପତ୍ର ସବୁ ଧାରରେ ମୋଡି ହୋଇଯାଇଛି, ଟିକେ ଟିକେ କଳା ପଡିଆସିଛି । କିନ୍ତୁ ଜଳିନାହିଁ । ଆକାଶରେ ଯେମିତି ଲମ୍ବା ଲମ୍ବା ଗାର ଟାଣି ଆକାଶକୁ ପ୍ରାୟ ଲୁଚାଇ ଦେଇଛି । ସେ ଭିତରେ ଗୋଲ ଆକରର ଏକ ବଡ ପାଣ୍ଡାନାସ ଫଳ ଝୁଲୁଛି । ସେ ଫଳଟି କେତେଦିନ ପରେ ପାଚି ତଳେ ଖସି ପଡିବ ଆଉ ଅସଂଖ୍ୟ ପ୍ରାଣୀ ତା’କୁ ଖାଇ ଚାଲିବେ ଆଉ ଏକ ନୂଆ ପିଢିର ପ୍ରାଣୀ ଆସିବେ କେଓଡା ଜଙ୍ଗଲକୁ । ଆଗକୁ ପତ୍ର ସବୁ ଗାଢ ସବୁଜ ହୋଇଯିବ । ଗଛମାନ ଉପରେ ଛତା ବନାଇ ଠିଆ ହୋଇରହିଛି । ଆକାଶରୁ ଯେତେ ଆଲୋକ ଛାଣି ହୋଇପାରେ ପ୍ରତିଟି ଗଛ ସେତେ ବେଶି ଆଲୋକ ପାଇଁ ନିଜ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା କରିଚାଲୁଛନ୍ତି । 
ଅସୀମ ନିଜର ସାଥୀ ଲୋକମାନଙ୍କୁ ଧନ୍ୟବାଦ ଦେଲେ । ସେମାନେ ପ୍ରାୟ କଳା ପଡିଯାଇଥିଲେ ଓ ସେମାନଙ୍କ ଖୋଲା ଦେହ, ମୁହଁରେ ଝାଳ ଭରିଯାଇଥିଲା । ଦେହସାରା କଳା ଧଳା ପାଉଁଶ ବୋଳିହୋଇଥିଲା । ଏହି ଲୋକମାନଙ୍କ ଦେହରେ ସେମିତି କିଛି ପ୍ରୋଫେସନାଲ ଚକଚକିଆ ପୋଷାକ ନଥିଲା ବା ସେମାନେ କିଛି ବିରାଟ ବ୍ୟକ୍ତିତ୍ତ୍ୱଧାରୀ ଲାଗୁନଥିଲେ । କିନ୍ତୁ ସେମାନେ ଏକ ମହାନ କାମ କରିଛନ୍ତି ବୋଲି ଅସୀମ ଭାବୁଥିଲେ । ଏହି ସାଧାରଣ ସାଥୀମାନେ ନିଜର ଆପ୍ରାଣ ଚେଷ୍ଟାକରି ଜଙ୍ଗଲର ଦାବାଗ୍ନିକୁ କରାୟତ କରିଛନ୍ତି । ଏକ ବିଜୟୀ ସୈନିକ କ୍ଳାନ୍ତ ହୋଇ ଫେରି ଆସିଛି, ମନରେ ଶାନ୍ତି, ସାମାନ୍ୟ ଗ୍ଳାନି ନାହିଁ । ଧୂଆଁରେ ରୁନ୍ଧି ହୋଇଯାଇଥିବା ନାକମାନ ପୁଣି ଭଲଭାବରେ ନିଃଶ୍ୱାସ ନେଉଛି । ସେମାନେ ଜଙ୍ଗଲ ସୀମାନ୍ତର ମହାନ ସୈନିକ । ସେହି ସୀମାନ୍ତର ସୈନିକମାନେ ସବୁଦିନେ ସବୁଜିମା ପାଇଁ ଯୁଦ୍ଧ କରୁଛନ୍ତି । ଅସୀମଙ୍କ ଆଉ ଏବେ ଦୌଡିବାର ନଥିଲା । ସେ ପାଉଁଶ ଏପରେ ଧୀରେ ପାଦ ପକାଇଲେ । ନରମ ପାଉଁଶ । ତାଙ୍କ ଗୋଡର ଚିହ୍ନ ସ୍ପଷ୍ଟ ପଡିଗଲା । ବାଲିଠାରୁ ଗଭୀର ଛାପ । ଦୁଇପାଖକୁ ନରମ ପାଉଁଶ ଖେଳାଇ ହୋଇଯାଇଛି । ତା’ପରେ ସେ ଗୋଟିଗୋଟି କରି ପାଦ ପକାଇଲେ । ପ୍ରତିଟି ପାଦଛାପ ସ୍ପଷ୍ଟ ଉଠିଆସିଲା । କିଛି ପାଉଁଶ ତାଙ୍କ ଗୋଡରେ ଲାଗିଯାଉଥିଲା । ଏକ ହଳ ପାଦଛାପ । ସେ ଶୋଭନାଙ୍କ କଥା ମନେ ପକାଇଲେ । ଶୋଭନା ଥିଲେ ଦୁହେଁ ସାଥିରେ ଗୋଟିଏ ଗୋଟିଏ ହୋଇ ପାଦ ପକାଇଥାନ୍ତେ ଆଉ ପ୍ରତି ପାଦ ଚିହ୍ନ ଭିତରେ ଦୂରତା ମାପିଥାନ୍ତେ । ତା’ପରେ ସେମାନେ ସାଙ୍ଗ ହୋଇ ଆକାଶକୁ ଆନାଇଥାନ୍ତେ ।
ସେ ଜଳିଯାଇଥିବା ପାଣ୍ଡାନାସ ବଣ ବାହାରକୁ ବାହାରିଆସି ସମୁଦ୍ର କଡ କୁଟୀର ଆଡକୁ ବଣ ଭିତରେ ଚାଲିବାକୁ ଲାଗିଲେ । ସେ ଭଲକରି ଜାଣିଥିଲେ ନିଆଁ ସେ ପର୍ଯ୍ୟନ୍ତ ପହଞ୍ଚôନି । ଅନେକ ଅନେକ ହାତ ଦୂରରେ ନିଆଁକୁ ଆୟତ୍ତ କରିଦିଆଯାଇଛି । କିନ୍ତୁ ତାଙ୍କୁ ସେହି କୁଟୀର ପାଖକୁ ଯିବାକୁ ବହୁତ ଇଚ୍ଛା ହେଉଥିଲା । ନିଜ ଆଖିରେ ଆଉଥରେ ସେହି ହଟକୁ ଦେଖିବେ । ତାଙ୍କ ଗୋଡ ପାଉଁଶ ଭରା ଜଙ୍ଗଲରୁ ତାଙ୍କୁ ଧୀରେ ଚାବିଦିଆ କଣ୍ଢେଇ ଚାଲି ଆଗକୁ ଗଲା ଭଳି ଆଗକୁ ଟାଣି ନେଉଥିଲା । ତେଣିକି ଜଙ୍ଗଲର ତଳ ଆଗଭଳିଆ ଅଳିଆ ପତ୍ର ଭରା ହୋଇଆସିଲା । ସେ ଭିତରେ ଏକ ଆର୍ଦ୍ରତା ବାରି ହେଉଥିଲା । ଅନେକ ଅନେକ ଗେଣ୍ଡା କଙ୍କଡା ଦେଖାଦେଲେ । ହର୍ମିଟ କ୍ରାବମାନେ ସେମିତି ନିଜ କାମରେ ବ୍ୟସ୍ତ ଥିଲେ । ବନାଗ୍ନିର ଗରମ ପବନ ଏଯାଏଁ ପହଞ୍ଚôନି ।  ଏବେ ତାଙ୍କ ଗୋଡ ଜଙ୍ଗଲ ଧାରକୁ ଆସିଯାଇଥିଲା । ଆଗରେ ସମୁଦ୍ର ଦେଖାଯାଉଛି । ନୀଳ ସମୁଦ୍ର ଉପରେ ସେମିତି ଆଗ ଭଳି ଅସଂଖ୍ୟ ଢେଉ ଅଛି । ଆକାଶରେ କିଛି କିଛି ପକ୍ଷୀ ତଥାପି ଉଡୁଛନ୍ତି ।  ଅସୀମ ସେମାନଙ୍କ ସ୍ପର୍ଶକୁ ଧରିରଖିଥିବା ପର୍ଣ୍ଣ କୁଟୀର ଆଡକୁ ଅନାଇଲେ । କୁଟୀରର କିଛି ହୋଇନି । ଆଲୋକରେ ଉଦ୍ଭାସିତ ହୋଇଉଠିଛି ସେମାନଙ୍କର ପ୍ରେମର ଅମଳୀନ ସନ୍ତକ । ପଛରେ ଅଛି ଚିର ହରିତ ପାଣ୍ଡାନାସ ବଣ ଆଉ ଆଗଭଳି ବଡ ବଡ ଶୃଙ୍ଗକରି ଭାଙ୍ଗି ପଡୁଛି ଲହଡି । ତାଙ୍କ ଅନାଇବା ଭିତରେ ଏକ ଅତି ବିଶାଳ ଲହଡି ପ୍ରବଳ ଶବ୍ଦ କରି ମାଡି ଆସିଲା ଆଉ ପଥରରେ ଜୋରରେ କଚାଡି ହୋଇ ପଡିଲା । ସେ ଲହଡିରୁ ଉତ୍ପନ୍ନ ହେଲା କୋଟି କୋଟି ସଂଖ୍ୟାରେ ଜଳକଣା ଆଉ ଏକ ଓଜନିଆ ବାଦଲ ଆକାଶକୁ ଯେମିତି ଘୋଡାଇ ପକାଇଲା । ସେମାନଙ୍କ କୁଟୀର ଯେମିତ ସେ ଜଳକଣା ଭିତରେ କ୍ଷଣେ ହଜିଗଲା । “ନିଆଁ ଛୁଇଁବନି କେବେ ଆମ ପତ୍ରର କୁଟୀର । ନିଆଁର ଝୁଲକୁ, ପାଣିର ଛିଟିକାମାନ ଧରିନେବେ ଆକାଶରୁ, ପତଙ୍ଗକୁ ପବନରେ ହାୱାବିଲ ଧରିଲା ପରାୟେ ।”  ସେ ନିଜକୁ ନିଜେ ଗାଇହେଲେ । ପାଣ୍ଡାନାସ ବଣକୁ ବଞ୍ଚାଇ ସେ ନିଜର ସ୍ମୃତିକୁ ଚିରଦିନ ପାଇଁ ଅମଳୀନ କରିରଖିଦେଇଛନ୍ତି । ତାଙ୍କର, ଶୋଭନାଙ୍କର ପ୍ରିୟ କୁଟୀର ଏକଦମ ସଫା, ଉଜ୍ଜ୍ୱଳ ଦେଖାଯାଉଥିଲା । 
ଭୁବନେଶ୍ୱର