ଚୋରି ରୋକିବାକୁ ସମସ୍ତ ଆପାର୍ଟମେଣ୍ଟରେ ଲାଗିବ ଆଇପି କ୍ୟାମେରା
ଆପାର୍ଟମେଣ୍ଟ ଲୁଟ୍ ନେଇ ଚିନ୍ତାରେ କମିଶନରେଟ୍ ପୁଲିସ
ଭୁବନେଶ୍ୱର,୨୬ ।୧୦ : ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି ରୋକିବାକୁ କମିଶନରେଟ୍ ପୁଲିସର ଏକ ନୂଆଁ ପଦକ୍ଷେପ । ଏଣିକି କଟକ ଓ ଭୁବନେଶ୍ୱରର ସମସ୍ତ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନ ପଥରେ ଲାଗିବ ଆଇପି କ୍ୟାମେରା । ଆପାର୍ଟମେଣ୍ଟ ବାସୀଙ୍କ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଦିଆଯାଇଛି ଜରୁରୀ ସୂଚନା । ସମସ୍ତ ଆପାର୍ଟମେଣ୍ଟରେ କ୍ୟାମେରା ଲଗାଇବାକୁ ନିଦେ୍ର୍ଦଶ ଦେଇଛନ୍ତି ଟୁଇନ୍ସିଟି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ଏହାର ନିଶ୍ଚିତ କରିବେ । କ୍ୟାମେରାରେ କଏଦ ହେଉଥିବା ସବୁ ତଥ୍ୟ କମିଶନରେଟ ପୁଲିସ କଣ୍ଟ୍ରୋଲ ରୁମକୁ ଦେବେ । ଏହି ଆଇପି କ୍ୟାମେରା ମାନଙ୍କର ସବିଶେଷ ତଥ୍ୟ ଏସିପି କେ.କେ ହରିପ୍ରସାଦଙ୍କ ମୋବାଇଲ ନମ୍ବର- ୭୬୦୬୦୬୬୭୬୬ରେ ଯୋଗାଯୋଗ କରିବେ । ଏହା ପାଇଁ ଆମେ ସମସ୍ତଙ୍କ ସହଯୋଗ ଆଶା କରୁଛୁ ବୋଲି ପୁଲିସ କମିଶନର ଶ୍ରୀ ସିଂ ଅନୁରୋଧ କରିଛନ୍ତି ଓ ଏହାବି କହିଛନ୍ତି, ଆମେ ଘଟଣା ଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରୁଛୁ । ଯଦି ଆପଣଙ୍କ ପାଖରେ କୌଣସି ଅଭିଯୋଗ ବା ସୂଚନା ରହିଅଛି, ଦୟାକରି ୭୦୭୭୭୯୮୧୧୧ ନମ୍ବରକୁ ୱାଟସଆପ୍ କରନ୍ତୁ । କାରଣ ଗତ କିଛିମାସ ହେବ କଟକ ଓ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ୬୫ଟି ଲୁଟ୍ ପାଟ୍ ମାମଲା ରୁଜୁ ହୋଇଥିବା ବେଳେ, ବିଭିନ୍ନ ଥାନା ପୁଲିସ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।
ସୂଚନା ଯୋଗ୍ୟଯେ, ଗତ ଅଗଷ୍ଟ ମାସରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳର ଘର ଓ ଆପାର୍ଟମେଣ୍ଟ ମାନଙ୍କରୁ ପ୍ରାୟ ୧ କୋଟି ଟଙ୍କାର ସୁନା, ରୂପା, ଦାମି ସାମଗ୍ରୀ ଲୁଟ୍ କରିଥିବା ବେଳେ ତାହାର ୨ ଦିନ ପରେ ଅବା ଅଗଷ୍ଟ ଗତ ୧୭ ତାରିଖ ରାତିରେ ବଡ଼ଗଡ଼ ଥାନା ଅଧିନ ବିଜେବି ନିଗର କ୍ୱାଟର ନମ୍ବର-୩ ଆର/୧୫ରେ ରହୁଥିବା ଜଜ୍ଙ୍କ ଘରୁ ବୁଲିଥିଲା କଳାକନା । ପରେ ବଡ଼ଗଡ଼ ଥାନା ପୁଲିସ ୩ ଜଣ ନାବାଳକ ଲୁଟେରା ଓ ୭ ଜଣ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ସମସ୍ତ ଚୋରି ଅଳଙ୍କାର ଓ ସାମଗ୍ରୀ ଜବତ କରାଯାଇଥିଲା । ଏହାର କିଛି ଦିନ ପରେ ପୁଣି ଗତ ୩ ଦିନ ହେବ ରାଜଧାନୀ ଓ ରାଜଧାନୀ ଉପକଣ୍ଠରେ ଛାଇ ଗଲେଣି ଆପାଟ୍ମେଣ୍ଟ ଲୁଟେରା ଗ୍ୟାଙ୍ଗ୍ । ଆଖି ପିଛୁଳାକେ ଘରେ ପଶି ନେଇଯାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର । ହେଲେ ଲୁଟେରାଙ୍କ ଟେର ପାଇପାରୁନାହିଁ ପୁଲିସ । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୁଷ୍ଟ ଦେଖାଯିବା ସହ ଲୋକେ ଆନ୍ଦଲୋନକୁ ବି ଓହ୍ଲାଇଥିବା ଦେଖାଯାଇଛି । ସେହିଭଳି ବାରଙ୍ଗ ଥାନା ଅଞ୍ଚଳର ୨ଟି ଆପାଟମେଣ୍ଟରୁ ଲୁଟେରାମାନେ ତାଲା ଭାଙ୍ଗି ୫୦ ଭରି ସୁନା, ହୀରା, ରୂପା, ଟଙ୍କା ଓ ଘରର ଦାମି ଆସବାବପତ୍ର ଲୁଟି ନେଇଥିଲେ । ସେହିପରି ବାଲିଅନ୍ତା ଅଞ୍ଚଳରୁ ମଧ୍ୟ ଏକ ଘରୁ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିଲା । ଏହା ଭିତରେ ପୁଣି ଲୁଟେରା ଗ୍ୟାଙ୍ଗ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇ ପୁଣି ଚନ୍ଦକା ଅଞ୍ଚଳର ଏକ ଆପାଟମେଣ୍ଟରୁ ୫୦ ଲକ୍ଷ ଟଙ୍କାର ସୁନା ଓ ନଗଦ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ତା ପୂର୍ବରୁ ମଧ୍ୟ ଚନ୍ଦକା ଅଞ୍ଚଳର ଏକ ଆପାଟମେଣ୍ଟରୁ ଲୁଟେରାମାନେ କଳାକନା ବୁଲାଇଥିବା ବେଳେ, ପୁଲିସ ସେମାନଙ୍କ ଟେର ପାଇପାରିନାହିଁ । ସେହିପରି ଧଉଳି, ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ଲୁଟେରାମାନେ ଆତଙ୍କ ରଚି ୧ କୋଟିରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିଲେ । ହେଲେ ସେମାନଙ୍କ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ଟେର ପାଇପାରିନାହିଁ ।