ପି.କେ ମିଶ୍ରଙ୍କ ଝିଅ ଜ୍ୱାଇଁ କହି ଠକେଇ ଘଟଣା : ରିମାଣ୍ଡ ଆବେଦନ କଲା ପୁଲିସ
ଭୁବନେଶ୍ୱର, ୨ା୨୫ : ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପି.କେ ମିଶ୍ରଙ୍କ ଝିଅ ଜ୍ୱାଇଁ କହି ଠକେଇ କରିଥିବା ହଂସିତା ଓ ଅନୀଲଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ ଯୁନିଟ୍ । ଅଭିଯୁକ୍ତଙ୍କ ଆକାଉଣ୍ଟର ଖୋଳତାଡ କରାଯିବା ସହ ବ୍ୟବସାୟୀଙ୍କ ଲିଙ୍କ୍ର ଗୁମର ଖୋଲିପାରେ ବୋଲି ଆଶା କରାଯାଉଛି । ଏନେଇ ଆଜି ଦୁହିଁଙ୍କୁ ରିମାଣ୍ଡ ପାଇଁ ଆବେଦନ କରିଥିବା ଅତିରିକ୍ତ ଡ଼ିସିପି ସ୍ୱରାଜ ଦେବତା ।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଅନୀଲ କୁମାର ମହାନ୍ତି ତାଙ୍କ ନାଁରେ ଦୁଇଟି କମ୍ପାନୀ ରେଜିଷ୍ଟ୍ରେସନ୍ କରି ପଟିଆ ଅଞ୍ଚଳରେ ତାଙ୍କର ରହିଛି ଅଫିସ । ତାଙ୍କର ନକଲି ବାନ୍ଧବୀ ହେଉଛନ୍ତି କନ୍ଧମାଳ ଜିଲ୍ଲାର ହଂସିତା ଅଭିଲିପ୍ସା । ସେ ଭୁବନେଶ୍ୱରରେ ଦୀର୍ଘ ଦିନ ଧରି ରହିଆସୁଥିଲେ । ଏଠାରେ ରହିÿ ବିଲଡ଼ର, ବ୍ୟବସାୟୀ ଓ ଧନୀ ଲୋକଙ୍କ ମାନଙ୍କୁ ଟାର୍ଗେଟ କରି ଉଭୟ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ବୋଲି ପରିଚୟ ଦେଉଥିଲେ । ଖାଲି ସେତିକି ନୁହେଁ, ଓଡିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏଜି ଗିରୀଷ ମୁର୍ମୁଙ୍କ ପରି ବଡବଡିଆଙ୍କ ସହିତ ନିଜ ଫଟୋ ଏଡିଟ୍ କରି ଦେଖାଇ ଠକୁଥିଲେ । କାହାକୁ ଟେଣ୍ଡର କରାଇ ଦେବାକୁ କହି ଡାକୁଥିଲେ ତ ଆଉ କାହାକୁ କର୍ପୋରେଟ୍ ସେକ୍ଟରରେ ଅଟକି ରହିଥିବା କାମ କରାଇଦେବା ବାହାନାରେ ନିଜ ଅଫିସକୁ ଡାକୁଥିଲେ ଅନୀଲ ଓ ଅଭିଲିପ୍ସା । ତା’ପରେ ସେଠାରେ ମୂଲଚାଲ୍ ହେଉଥିଲେ । ଡିଲ୍ ଫାଇନାଲ୍ ହେବା ପରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକୁଥିବା ଏନେଇ ଇନଫୋସିଟି ଥାନାରେ ଗତ ୨୬ ତାରିଖ ଦିନ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୋଗ ଉପରୁ ପରଦା ହଟାଇଛି ଇନଫୋସିଟି ଥାନା ପୁଲିସ । ଜଣାପଡ଼ିଥିଲା ଅଭିଯୁକ୍ତ ଅଭିଲିପ୍ସା ଓ ଅନୀଲ୍ ପ୍ରକୃତରେ ପି.କେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ନୁହଁନ୍ତି । ଏପରିକି ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟ ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଏହାପରେ ଇନଫୋସିଟି ଥାନା ପୁଲିସ ଅଭିଯୁକ୍ତ ବଣ୍ଟି ବବଲି ତଥା ଅଭିଯୁକ୍ତ ଅନୀଲ ଓ ଅଭିଲିପ୍ସାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଏମାନେ ଆଉ କେଉଁ କେଉଁ ନେତା ମନ୍ତ୍ରୀ, ଓଏଏସ୍, ଆଏଏସ୍ ଅଫିସରଙ୍କ ନାଁ କହି ଆଉ କାହାକୁ ଚୁନ ଲଗାଇଛନ୍ତି ତାହାକୁ ନେଇ ବଣ୍ଟି ବବଲିକୁ ରିମାଣ୍ଡ ଆଣିବାକୁ ଆଜି କୋର୍ଟରେ ଆବେଦନ କରିଛି କମିଶନରେଟ୍ ପୁଲିସ ।