ଜୀବନକୁ ସହଜ କରିବା ମାଧ୍ୟମ ‘ଆଧାର’
ଭୁବନେଶ୍ୱର : ବିଗତ ଏକଦଶନ୍ଧି ମଧ୍ୟରେ ଆଧାର ଭାରତୀୟମାନଙ୍କ ଜୀବନକୁ ସହଜ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି । ଉଦାହରଣ ସ୍ୱରୂପ ଆଧାର ପ୍ଲାଟଫର୍ମ ବ୍ୟବହାର କରି ଓଡିଶା ସରକାର ଖୁବ୍ ଅଳ୍ପ ଦିନ ମଧ୍ୟରେ ‘ସୁଭଦ୍ରା’ ଭଳି ଯୁଗାନ୍ତକାରୀ ଯୋଜନାର ସଫଳ ରୂପାୟନ କରିପାରିଛନ୍ତି । ଆଧାର ଇକୋ ସିଷ୍ଟମ୍ର ବ୍ୟାପକ ବ୍ୟବହାର କରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏକ ସମ୍ମିଳିତ ପ୍ରୟାସ କ୍ରମେ ରାଜ୍ୟରେ ଥିବା ସମସ୍ତ ସମ୍ଭାବନାକୁ ବାସ୍ତବତାରେ ରୂପାନ୍ତରିତ କରିପାରିଲେ ଓଡିଶାବାସୀଙ୍କ ଜୀବନ ଜୀବିକାକୁ ଅଧିକ ସହଜ ଓ ସାବଲୀଳ କରାଯାଇ ପାରିବ ବୋଲି ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଶାବ୍ୟକ୍ତ କରିଛନ୍ତି । ୟୁଆଇଡିଏଆଇର ଆଞ୍ଚଳିକ କାର୍ଯ୍ୟାଳୟ, ହାଇଦ୍ରାବାଦ ଏବଂ ଓଡିଶା ସରକାରଙ୍କ ବୈଦୁତିକ ବୈଦୁ୍ୟତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ମିଳିତ ଆନୁକୂଲ୍ୟରେ ଆଧାରର ସର୍ବାଧିକ ଉପଯୋଗିତା ସମ୍ପର୍କିତ ଏକ ରାଜ୍ୟସ୍ତରୀୟ କର୍ମଶାଳା କୃଷି ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟର ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କର ଆଧାର ଅନୁବନ୍ଧନରେ ଆହୁରି ଅଧିକ କ୍ରିୟାଶୀଳତାର ଆବଶ୍ୟକତା ରହିଛି । ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବୈଦୁ୍ୟତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ବୈଦୁ୍ୟତିକ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ପ୍ରକାଶ କରିଛନ୍ତି । ଓଡିଶା ସରକାର ଆଧାର ବ୍ୟବହାର ଓ ନୂତନ ଯୋଜନା ପ୍ରଣୟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଆଜି ଉଭା ହୋଇଛନ୍ତି ବୋଲି ୟୁଆଇଡିଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନେଶ କୁମାର ଓଡିଶା ସରକାରକୁ ପ୍ରଶଂସା କରି କହିଛନ୍ତି । ଏହି କର୍ମଶାଳାରେ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀ ବିବେକ ଚନ୍ଦ୍ର ବର୍ମା, ପି.ସଙ୍ଗୀତା, କକ୍ଷର୍ଣ୍ଣଲ ନିଖିଲ ସିହ୍ନା, ସଂଜୀବ ଯାଦବ ପ୍ରମୁଖ ଆଧୁନିକ ସମୟରେ ଆଧାରର କାର୍ଯ୍ୟକାରିତା ଓ ବିବିଧ ଉପଯୋଗିତା ସମ୍ପର୍କରେ ବିସ୍ତୀର୍ଣ୍ଣ ସୂଚନା ପ୍ରଦାନ କରିଥିଲେ ।