ପାଣ୍ଡିଆନଙ୍କ ଗପପେଡ଼ିର ଆଉ ଏକ ଗପ
ଅତନୁ, ଦିବ୍ୟଶଙ୍କର କହିଥିଲେ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ ? ଅରବିନ୍ଦ କହିଲେ ପ୍ରମାଣ ଦିଅ । ଲେନିନ୍ ମହାନ୍ତି କହିଲେ, ବିଜେଡ଼ିକୁ ଭାଙ୍ଗିବା ପାଇଁ ମିଡ଼ଡେ଼ ଅପରରେସନ୍ କରାଯାଉଥିଲା । ପୁଣି ଅରବିନ୍ଦ ମାଗିଲେ ପ୍ରମାଣ ଦିଅ ? ଏବେ ଅମରେଶ ପତ୍ରୀ ଓ ତୁମ୍ବନାଥ ପଣ୍ଡା କହିଲେ ପୁରୁଣା ବିଜେଡ଼ି କର୍ମୀଙ୍କୁ ପଚାରୁନଥିଲେ...ନବୀନଙ୍କ ଆକ୍ସନ ଉପରେ ଦଳର ୩ ପ୍ରକାର ରିଆକ୍ସନ ଦେଖିଲେ ଡାଲ୍ ମେଁ କୁଛ କାଲା ହେ ଭଳି ପ୍ରତୀୟମାନ ହେଉଛି ।
ଭୁବନେଶ୍ୱର : ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପ୍ରସଙ୍ଗରେ ବିଜେଡ଼ି ଅକଳରେ ପଡ଼ିଯାଇଛି । ମୁଖପାତ୍ରମାନେ ବି ପରୋକ୍ଷରେ ଏଇକଥା ହିଁ କହୁଛନ୍ତି । ଗତକାଲି ମୁଖପାତ୍ର ଲେଲିନ ମହାନ୍ତି କହିଲେ, କିଛି ଲୋକ ସନାତନ ମହାକୁଡ଼ଙ୍କ ନିଲମ୍ବନକୁ ଯଥାର୍ଥ ବୋଲି କହୁଥିଲେବି ଅରବିନ୍ଦଙ୍କ କ୍ଷେତ୍ରରେ କାହିଁକି, କେମିତି ବୋଲି ପ୍ରଶ୍ନ କରୁଛନ୍ତି । ଉଭୟ ସନା ଓ ଅରବିନ୍ଦ ଦଳ ବିରୋଧରେ ମିଡ଼ଡେ଼ ଅପରେସନ୍ କରୁଥିଲେ ବୋଲି ଲେନିନ୍ କହିଥିଲେ । ଲେଲିନଙ୍କ ଭାବଭଙ୍ଗୀକୁ ଦେଖିଲେ ସେ ଏକ କାହାଣୀ କହୁଛନ୍ତି ବୋଲି ସ୍ପଷ୍ଟ ପ୍ରତୀୟମାନ ହୋଇଯାଇଥିଲା । କାହିଁକିନା ପ୍ରମାଣ କଥା ପଚାରିବାରୁ ସେ ଗୁନ୍ଦୁରାଇଥିଲେ । ସବୁଠାରୁ ବଡ଼କଥା ହେଉଛି, ପ୍ରଥମ ଦିନ ଅତନୁ ସବ୍ୟସାଚୀ ନାୟକ ଓ ଦିବ୍ୟଶଙ୍କର ମିଶ୍ର ଏକଥା କହିନଥିଲେ । ସେମାନେ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକର କଥା କହିଥିଲେ ।
ବିଜେଡ଼ିର ଏହି କାହାଣୀକୁ ନେଇ ବିଜେଡ଼ି ଅଳିନ୍ଦରେ ବି ପ୍ରବଳ ଚର୍ଚ୍ଚା । ସାଧାରଣରେ ବି ଏହା ପଛରେ ଷଡ଼ଯନ୍ତ୍ର ଥିବାର ଗନ୍ଧ ବାରୁଛନ୍ତି । ସମସ୍ତେ ପାଣ୍ଡିଆନ୍ ଓ ଅତନୁଙ୍କ ଉପରେ ଦୋଷ ଲଦୁଛନ୍ତି । ତେଣୁ ଭୂଆଁ ବୁଲାଇବାକୁ ଗୋଟିଏ ପରେ ଗୋଟିଏ କାହାଣୀ ରଚାଯାଉଛି କହିଲେ ଭୁଲ୍ ହେବନାହିଁ । ଆଜି ସେ କାହାଣୀର ତୃତୀୟ ଭାଗ ଶୁଣାଇଛନ୍ତି ଯୁବନେତା ଅମରେଶ ପତ୍ରୀ ଓ ମୁଖପାତ୍ର ତୁମ୍ବନାଥ ପଣ୍ଡା । ବିଜୁ ଜନତା ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର କରିବା ସହ କର୍ମୀଙ୍କ ପ୍ରତି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ବିଶ୍ୱାସଘାତକତା କରିଛନ୍ତି । ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ପାଟକୁରାର ଯୁବ ସଂଗଠକ ଅମରେଶ ପତ୍ରୀ କହିଛନ୍ତି । ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ରର ଅଂଶ ଭାବେ ଉଭୟ ନିଲମ୍ବିତ ବିଧାୟକ କାର୍ଯ୍ୟ କରି ଆସୁଥିଲେ ।
ଶ୍ରୀ ପତ୍ରୀ ଆହୁରି କହିଛନ୍ତିଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁଯୋଗ ପାଇ ବିଧାୟକ ହେବା ପରଠାରୁ ପାଟକୁରାର ଦଳୀୟ କର୍ମୀଙ୍କୁ ଅଣଦେଖା କରି ନିଜସ୍ୱ ସଂଗଠନ ଜରିଆରେ ଅରବିନ୍ଦ କାର୍ଯ୍ୟ କରିଆସୁଥିଲେ । ୨୫ ବର୍ଷ ଧରି ଯେଉଁ ଦଳୀୟ କର୍ମୀମାନେ ପାଟକୁରାରେ ବିଜେଡି ସଂଗଠନକୁ ସଶକ୍ତ କରି ରଖିଥିଲେ, ସେହି ପୁରୁଖା ନେତା ଓ କର୍ମୀଙ୍କୁ ଜାଣିଶୁଣି ଉପେକ୍ଷା କରି ନିଜର ଚାଟୁକାରମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ସେମାନଙ୍କ ଜରିଆରେ ବିଧାୟକ ପାଣ୍ଠି ବିନିଯୋଗ କରୁଥିଲେ । ଗତ ସାଧାରଣ ନିର୍ବାଚନରେ ଟିକେଟ ପାଇଲା ପରେ ଦଳର ସାଂସଦ ପ୍ରାର୍ଥୀଙ୍କୁ ଅସହଯୋଗ କରିଥିଲେ । ପାଟକୁରାରେ ବାପା ପୁଅ ଦଳ ଚାଲିଥିଲା । ବାପାଙ୍କ ଇସାରାରେ ସବୁ କାମ କରୁଥିଲେ ଅରବିନ୍ଦ । ଦଳ ବିରୋଧରେ କଣ କଣ ଷଡଯନ୍ତ୍ର କରିଥିଲେ, ତାହା ନିଜକୁ ନିଜେ ପଚାରନ୍ତୁ ଅରବିନ୍ଦ।
ଅତୀତରେ ସ୍ୱର୍ଗତ ବିଜୁ ବାବୁଙ୍କ ବିରୋଧରେ ଅରବିନ୍ଦ ମହାପାତ୍ରଙ୍କ ପିତା ଯେଭଳି ଷଡଯନ୍ତ୍ର କରିଥିଲେ, ଆଜି ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ସେହିଭଳି ବିଶ୍ୱାସଘାତକତା କରିବା ଯୋଜନାରେ ସାମିଲ ହୋଇ ବିଜେଡିକୁ ଦୁର୍ବଳ କରିବା ଅପଚେଷ୍ଟାରେ ଲିପ୍ତ ଥିଲେ । ସଠିକ ସମୟରେ ଏହା ସଭାପତିଙ୍କ ଦୃଷ୍ଟିକୁ ଆସିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । କିଛି ମାସ ଧରି ଷଡଯନ୍ତ୍ରର ସୁରାକ ବିଜେଡି ସଭାପତି ପାଇଥିଲେ ମଧ୍ୟ, ତ୍ରୁଟି ସୁଧାରିବା ପାଇଁ ଉଭୟଙ୍କୁ ସୁଯୋଗ ଦେଇଥିଲେ । କିନ୍ତୁ ସୁଧୁରିବା ବଦଳରେ ଉଭୟ ଅରବିନ୍ଦ ଓ ସନାତନ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଥିଲେ । ସେହିପରି ଦଳର ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେଯେ, ଗତ ତିନି ଦଶନ୍ଧି ମଧ୍ୟରେ ନବୀନ ପଟ୍ଟନାୟକ ଅନେକ ଯୁବ ପ୍ରତିଭାଙ୍କୁ ସେବା ମନୋବୃତ୍ତି ରଖି ସାଧାରଣ ଜୀବନରେ ପ୍ରତିଷ୍ଠିତ ହେବା ପାଇଁ ସୁଯୋଗ ଦେଇଛନ୍ତି । ସେହି କ୍ରମରେ ଅରବିନ୍ଦଙ୍କୁ ପାଟକୁରାରୁ ବିଧାନସଭାର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିଲେ । ଏହି ସୁଯୋଗର ସଦବ୍ୟବହାର କରି ଲୋକଙ୍କ ସେବା କରିବା ପରିବର୍ତ୍ତେ ଏଭଳି ବିଶୃଙ୍ଖଳିତ ଆଚରଣ ଦୁର୍ଭାଗ୍ୟଜନକ। ଶୃଙ୍ଖଳିତ ଆଚରଣ ପାଇଁ ସାରା ଦେଶରେ ବିଜେଡି ଓ ନବୀନ ବାବୁଙ୍କ ନେତୃତ୍ୱ ବେଶ୍ ପରିଚିତ । ବିଜୁ ଜନତା ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
Samir Kumar Rout