ଡରରେ କେତେ ନିଲମ୍ବନ କରିବେ ନବୀନ ?

ଡରରେ କେତେ ନିଲମ୍ବନ କରିବେ ନବୀନ ?

ବିଜେଡ଼ି ଦଖଲ ପାଇଁ ବବି-ପାଣ୍ଡିଆନ୍‌ ଛକାପଞ୍ଝା

ଭୁବନେଶ୍ୱର : ବିଜେଡ଼ି ଭାଙ୍ଗିବାକୁ ହୋଇଥିଲା ଷଡ଼ଯନ୍ତ୍ର । ବିଜୟ ମହାପାତ୍ର ଓ ସନାତନ ମହାକୁଡ଼ ଡିଲ୍‌ କରୁଥିଲେ । ବିଜୟଙ୍କ ପୁଅ ଅରବିନ୍ଦ ବି ସାମିଲ୍‌ ଥିଲେ । ଏମିତି ଏକ ଗପ କହି ଦୁଇ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ଗପକୁ ଯେମିତି ଲୋକେ ସତ ଭାବିବେ, ସେଥିପାଇଁ ପାଣ୍ଡିଆନଙ୍କ ଟ୍ରୋଲ ବାହିନୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଏସବୁ ଭିତରେ ବବି-ପାଣ୍ଡିଆନଙ୍କ ଶୀତଳଯୁଦ୍ଧ ପଦାକୁ ଆସିଛି । ସମ୍ପ୍ରତି ବବିଙ୍କ ଭାଇରାଲ ଫଟୋରୁ ଶୀତଳଯୁଦ୍ଧ ଚାଲିଥିବା ସ୍ପଷ୍ଟ ହୋଇଛି ।

 
  ମୟୂରଭଞ୍ଜରେ ଗତବର୍ଷ ମକରରେ ଗୋଟିଏ ମଞ୍ଚରେ ବିଜୟ ମହାପାତ୍ର ଓ ବବି ଦାସଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏବେ ରାଜ୍ୟ ରାଜନୀତିରେ ନବୀନଙ୍କ ପ୍ରାୟୋଜିତ ବିଜୟଙ୍କ ଷଡ଼ଯନ୍ତ୍ର ଚର୍ଚ୍ଚାରେ ଥିବାବେଳେ ଏହି ଫଟୋ ଭାଇରାଲ୍‌ ହୋଇଛି । ଯାହାର ଉଦ୍ଦେଶ୍ୟ ହେଉଛି ବବି ଦାସ ମଧ୍ୟ ବିଜୟଙ୍କ ସହ ଷଡ଼ଯନ୍ତ୍ରରେ ସାମିଲ୍‌ ହୋଇଛନ୍ତି ବୋଲି ଦର୍ଶାଇବା । ଏଭଳି ନ୍ୟାରେଟିଭ୍‌ କରିବାକୁ ଯୋଜନାବଦ୍ଧ ଉଦ୍ୟମ କରାଯାଇଛି । ନଚେତ୍‌ ବର୍ଷକ ପରେ ବିଜେଡ଼ିର ପାଣ୍ଡିଆନ୍‌ ଗୋଷ୍ଠୀଙ୍କ ପକ୍ଷରୁ ଏହି ଫଟୋ ଭାଇରାଲ୍‌ ହୋଇନଥା’ନ୍ତା କି ବବିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିନଥା’ନ୍ତା । ବବି ଦାସ ବଦନାମ ହେଲେ ପାଣ୍ଡିଆନଙ୍କୁ ଫାଇଦା ହେବ । କାହିଁକିନା ବବି ଓ ପାଣ୍ଡିଆନଙ୍କୁ ନେଇ ଏବେବି ନବୀନ ଦ୍ୱନ୍ଦ୍ୱରେ ଅଛନ୍ତି । ଗତ ନୂଆପଡ଼ା ଉପନିର୍ବାଚନ ବେଳେ ବବି-ପାଣ୍ଡିଆନଙ୍କ କଳି ନବୀନ ଭଲଭାବେ ଅନୁଧ୍ୟାନ କରିଥିଲେ । ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ ନବୀନ ଏକ ବଡ଼ ଟିମ୍‌ ଗଢ଼ିଥିଲେବି ବାସ୍ତବରେ ବବି ହିଁ ସବୁ ବୁଝାଶୁଝା କରୁଥିଲେ । ନିର୍ବାଚନ ପରିଚାଳନାରେ ପାଣ୍ଡିଆନଙ୍କ ଟିମ୍‌ ମୁଣ୍ଡ ନଖେଳାଇବାକୁ ବବି ରୋକଠୋକ୍‌ ଭାବେ କହିଥିଲେ । ଏମିତିକି ଅମର ପଟ୍ଟନାୟକଙ୍କ ସହ ଉଚ୍ଚବାଚ ପର୍ଯ୍ୟନ୍ତ କଥା ଯାଇଥିଲା । ସେହି କାରଣରୁ ଅମର ବିଜେପିକୁ ଯାଇଥିବା ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହୋଇଥିଲା । ପାଣ୍ଡିଆନ୍‌ ଟିମ୍‌ ବି ନୀରବ ରହିବାକୁ ବାଧ୍ୟ ହୋଇଥିଲେ । ନୂଆପଡ଼ାରେ ବିଜେଡ଼ି ତିନି ନମ୍ବରକୁ ଖସିଯିବାରୁ ପାଣ୍ଡିଆନ୍‌ ଗୋଷ୍ଠୀ ସକ୍ରିୟ ହେବା ସହ ବିଜେଡ଼ିର ମଙ୍ଗ କିଭଳି ସେମାନେ ସମ୍ଭାଳିବେ ସେହି ଅଙ୍କ କଷିଥିଲେ । ଦୂରରେ ରହି ପାଣ୍ଡିଆନ୍‌ ନବୀନଙ୍କ କାନରେ ମନ୍ତ୍ର ଫୁଙ୍କୁଥିଲେବି ସେ ଜମା କିଛି ବୁଝୁନାହାନ୍ତି ବୋଲି ତାଙ୍କ ଟିମ୍‌ ଦ୍ୱାରା ପ୍ରଚାରିତ କଲେ ।

  ଯାହାଫଳରେ ସବୁ ଦୋଷ ବବିଙ୍କ ଉପରେ ହିଁ ଲଦା ଯାଇପାରିବ । ବବିଙ୍କର ସୋସିଆଲ ମିଡ଼ିଆ ଟିମ୍‌ ନଥିବାରୁ ବବି ଦାସ ନିଜକୁ ଭଲଭାବେ ଉପସ୍ଥାପିତ କରିପାରୁନାହାନ୍ତି । ସେପଟେ ପାଣ୍ଡିଆନ ଫ୍ୟାନ କ୍ଳବ କିନ୍ତୁ ପୁଣି ସାରଙ୍କୁ ଝୁରିଝୁରି କାନ୍ଦି ପକାଉଥିବା ଦେଖିବାକୁ ମିଳୁଛି । ପାଣ୍ଡିଆନଙ୍କ ଦୟାରେ ଯେଉଁ ଇନଫ୍ଲୁଏସରମାନଙ୍କର ପେଟପାଟଣା ଚଳୁଥିଲା ସେମାନେ ବି ପାଣ୍ଡିଆନ ହିଁ ବେଷ୍ଟ ହେବେବୋଲି କହୁଛନ୍ତି । ସେଥିପାଇଁ ସୁଜାତାଙ୍କ ନ୍ୟାରେଟିଭ୍‌ ଏବେ ଜୋରଦାର ଚାଲିଛି । ରାଜ୍ୟସଭାକୁ ସୁଜାତା ଗଲେ ପ୍ୟାରୀବାବୁଙ୍କ ଭଳି ମାମଲତି କରିହେବ । ବବି ଦାସ କର୍ମଠ ହୋଇଥିଲେବି ରାଜନୀତିର କୂଟନୀତିକୁ ଆପଣାଇ ପାରିନାହାନ୍ତି । ଯେଉଁଥିପାଇଁ ସେ ପାଣ୍ଡିଆନଙ୍କ ଠାରୁ ପଛରେ ପଡ଼ିଯାଇଛନ୍ତି । ବିଜେଡ଼ିରେ ଏବେ ବବି ଗୋଷ୍ଠୀ ଓ ପାଣ୍ଡିଆନ୍‌ ଗୋଷ୍ଠୀ ଭିତରେ ଛକାପଞ୍ଝା ଚାଲିଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ବି ବେଶ୍‌ ସକ୍ରିୟ ଅଛନ୍ତି । ବବି ଓ ପାଣ୍ଡିଆନଙ୍କ ପାଇଁ ଚବିଶ ନିର୍ବାଚନରେ ନବୀନ ହାରିଥିବାବେଳେ ଉଭୟ ନେତା ବିଜେପି ସହ ମେଣ୍ଟ ପାଇଁ ଦିଲ୍ଲୀ ଯାଇଥିଲେ । ଏହି ନ୍ୟାରେଟିଭ୍‌ ଖେଳାଇ ସେମାନେ ବି ଦୁଇ ନେତାଙ୍କୁ ପାନେ ଦେଉଛନ୍ତି । ଯାହାକୁ ନେଇ ନବୀନ ବାବୁ ଦ୍ୱନ୍ଦ୍ୱରେ ଥିବାବେଳେ ଏବେ ଆଦିତ୍ୟ ମହାପାତ୍ରଙ୍କୁ ଧରି ଏକାଏକା ଅଙ୍କ କଷୁଛନ୍ତି । ଅବଶ୍ୟ ଆଦିତ୍ୟ ବାବୁ ପାଣ୍ଡିଆନଙ୍କ ସୂତ୍ର ବହି ତକ ନବୀନଙ୍କୁ ଘୋଷାଇ ଚାଲିଥିବା ଚର୍ଚ୍ଚା ହେଉଛି।