ଭୁବନେଶ୍ୱରରୁ କନ୍ଦରପୁରକୁ ସଂଯୋଗ ହେବ ନୂଆ ରାସ୍ତା

  • ପ୍ରଶସ୍ତ ହେବ ମୋହନା-କୋରାପୁଟ ଓ ଖୋର୍ଦ୍ଧା-ନୟାଗଡ ରାସ୍ତା

  • କ୍ୟାପିଟାଲ ରିଜିଅନ ରିଙ୍ଗରୋଡ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ରୋଡ୍‌ ନେଟ୍‌ୱାର୍କକୁ ସୁଦୃଢ କରି ରାଜ୍ୟର ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ  ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସ୍ପଷ୍ଟ ଆଭିମୁଖ୍ୟ ରହିଛି । ଏହି ଲକ୍ଷ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ସହିତ ରାଜ୍ୟର ସବୁ ପ୍ରମୁଖ ଅଞ୍ଚଳକୁ ଭଲ ରୋଡ ନେଟ୍‌ୱାର୍କ ଯୋଗାଇ ଦେବା ପାଇଁ କାର୍ଯ୍ୟ କରିବାକୁ ପଡିବ ବୋଲି ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ମତବ୍ୟକ୍ତ କରିଛନ୍ତି ।


  ଆଜି ବିଭାଗୀୟ ସମ୍ମିଳନୀ କକ୍ଷରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ବିଭିନ୍ନ ରାସ୍ତା ପ୍ରକଳ୍ପର ନିର୍ମାଣ ଓ ପ୍ରଶସ୍ତୀକରଣ ନେଇ ଆଲୋଚନା ହୋଇଯାଇଛି । ଏଥିରେ ରାଜଧାନୀ ଭୁବନେଶ୍ୱରର ଚାରିପାଖରେ ନିର୍ମାଣ ହେବାକୁ ଥିବା ପ୍ରାୟ ୧୧୧ କିଲୋମିଟର ଦୀର୍ଘ କ୍ୟାପିଟାଲ ରିଜିଅନ୍‌ ରିଂ ରୋଡ ନିର୍ମାଣ, ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ ଓ ଜମି ଅଧିଗ୍ରହଣ ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ସଚିବ ଶ୍ରୀ ସିଂହ ବିଭାଗୀୟ ଅଧିକାରୀ ଓ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 


  ସେହିପରି ବର୍ତ୍ତମାନ ଦିନରେ କଟକ ସହରର ଭିଡ ନିୟନ୍ତ୍ରଣ ଓ ଭୁବନେଶ୍ୱରରୁ ଜଗତସିଂହପୁର ଏବଂ ପାରାଦୀପକୁ ସିଧାସଳଖ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା । ଧାକୁଳେଇ ପୀଠ ନିକଟରୁ କନ୍ଦରପୁର ପର୍ଯ୍ୟନ୍ତ ଏକ ନୂଆ ଗ୍ରୀନ୍‌ ଫିଲ୍‌ଡ ରୋଡ ନିର୍ମାଣ ପାଇଁ ନକ୍ସା ଓ ଡିିପିଆର ପ୍ରସ୍ତୁତି ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାସ୍ତା ନିର୍ମାଣ ହେଲେ ଭୁବନେଶ୍ୱରରୁ ଜଗତସିଂହପୁର ଓ ପାରାଦୀପକୁ ଯିବା ପାଇଁ ଆଉ କଟକ ସହର ଭିତର ଦେଇ ଯିବାକୁ ପଡିବ ନାହିଁ । ଏଥି ସହିତ ଭୁବନେଶ୍ୱରରୁ ଜଗତସିଂହପୁର ଓ ପାରାଦୀପକୁ ଦୂରତ୍ୱ ହ୍ରାସ ପାଇବ । ଏଥି ସହିତ ଏହି ବୈଠକରେ ୨୦୬ କିଲୋମିଟର ଦୀର୍ଘ କୋରାପୁଟ-ମୋହନା ରାସ୍ତାର ପ୍ରଶସ୍ତିକରଣ ଓ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା । ସେହିପରି ଖୋର୍ଦ୍ଧା-ନୟାଗଡ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ସହ ଡିପିଆର୍‌ ଅନୁଯାୟୀ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ପ୍ରମୁଖ ଶାସନ ସଚିିବ ଶ୍ରୀ ସିଂହ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।