ହାଇଦ୍ରାବାଦ-କୋଲକାତା ନିବେଶକ ସମ୍ମିଳନୀର ସଫଳତା : ଆସିବ ୧.୬୭ ଲକ୍ଷ କୋଟି
-
୧.୪୬ ଲକ୍ଷ ନିଯୁକ୍ତି ସୁଯୋଗ
-
ଓଡ଼ିଶା ହେବ ଶିଳ୍ପ ପାୱାରହାଉସ୍ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶା ଏବେ ପାରମ୍ପରିକ ସମ୍ବଳ ଅର୍ଥନୀତିରୁ ଶିଳ୍ପ ପାୱାରହାସ ଆଡ଼କୁ ଗତିକରୁଛି । ଓଡ଼ିଶାରେ ନିବେଶ ପାଇଁ ଏହି ସମୟ, ଠିକ୍ ସମୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିବା ସହ ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତି ଓ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଇସ୍ପାତ, ଖଣି ଓ ଭାରି ଶିଳ୍ପ ପାଇଁ ଓଡ଼ିଶା ପରିଚିତ ଥିଲା । କିନ୍ତୁ ଏବେ ଆଇଟି, ଏରୋସ୍ପେଶ ଓ ଡିଫେନ୍ସ, ବୟନଶିଳ୍ପ, ମେଟାଲ ଆନ୍ସିଲିୟାରୀ, ପ୍ଳାଷ୍ଟିକ, କେମିକାଲ, ଫାର୍ମାସିୟୁଟିକାଲ କ୍ଷେତ୍ରରେ ନିବେଶ ହେଉଛି । ଡିସେମ୍ବର ୨୦୨୫ରେ ହାଇଦ୍ରାବାଦ୍ରେ ଓ ଜାନୁଆରୀରେ କୋଲକାତାରେ ନିବେଶକ ସମ୍ମିଳନୀ ହୋଇଥିଲା ।
ଏହି ଦୁଇ ସମ୍ମିଳନୀରେ ୬ଟି ରାଉଣ୍ଡଟେବୁଲ୍ ବୈଠକ ହେବା ସହ ୧୨୩ ନିବେଶକ ଓ କମ୍ପାନୀ ପ୍ରତିନିଧି ସାମିଲ୍ ହୋଇଥିଲେ । ଏହି ଦୁଇ ସମ୍ମିଳନୀରୁ ୧ ଲକ୍ଷ ୭୬ ହଜାର କୋଟିର ନିବେଶ ସୁଯୋଗ ସୃଷ୍ଟି ହୋଇଥିବାବେଳେ ୧ ଲକ୍ଷ ୪୬ ହଜାର ନିଯୁକ୍ତିର ବି ସମ୍ଭାବନା ସୃଷ୍ଟିହୋଇଛି । ନିବେଶକମାନଙ୍କ ଏଭଳି ଆଗ୍ରହରୁ ଓଡ଼ିଶାର ଶିଳ୍ପ ବିକାଶର ଝଲକ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଉପରେ ନିବେଶକଙ୍କ ଆସ୍ଥା ରହିଥିବା ପ୍ରମାଣିତ ହୋଇଛି । ପୂର୍ବୋଦୟ ଭିଜନ ଆଧାରରେ ୨୦୩୬ ସମୃଦ୍ଧ ଓଡ଼ିଶା, ୨୦୪୭ ବିକଶିତ ଭାରତ ଦିଗରେ ଓଡ଼ିଶା ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ତିନୋଟି ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ବି ସ୍ଥାପନ କରାଯିବ ।
Samir Kumar Rout