ଅକ୍ଟୋବରରେ ବାତ୍ୟା ଆଶଙ୍କା
ଭୁବନେଶ୍ୱର : ପ୍ରଶାନ୍ତ ମହାସାଗରରେ ଲାନିନା ସ୍ଥିତି ସୃଷ୍ଟି ହୋଇଛି । ଫଳରେ ଭାରତ ମହାସାଗରରେ ବାତ୍ୟା ହେବାର ଆଶଙ୍କା ସୃଷ୍ଟିହୋଇଛି । ଲାନିନା ପାଇଁ ଜଳବାୟୁରେ ଆର୍ଦ୍ରତା ବୃଦ୍ଧି ହେବ । ବିଶେଷକରି ଭାରତ ମହାସାଗର ଓ ଭାରତ ଉପରେ ଏହାର ପ୍ରଭାବ ଅନୁଭୂତ ହେବ ।
ଜଳବାୟୁ ବିଜ୍ଞାନୀଙ୍କ ଅନୁଯାୟୀ, ଲା ନିନା ପାଇଁ ଉତ୍ତର ଭାରତ ମହାସାଗର କିମ୍ବା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି । ଯଦି ବାତ୍ୟା ହୁଏ ତେବେ ତାହା ଭାରତ ପୂର୍ବ ଉପକୂଳ ଆଡ଼କୁ ଗତି କରିପାରେ । ଓଡ଼ିଶା ବାତ୍ୟା ପ୍ରବଣ ଜୋନ୍ରେ ଥିବାରୁ ଓଡ଼ିଶା ଆଡ଼କୁ ବାତ୍ୟା ଆସିବ ବୋଲି ଆକଳନ କରାଯାଉଛି । ସେହିପରି ପ୍ରଶାନ୍ତ ମହାସାଗରରେ ଲାନିନା ସକ୍ରିୟ ଥିଲେ ଓଡ଼ିଶାରେ ବାତ୍ୟା ହେବାର ନଜିର ରହିଛି । ବିଶେଷଜ୍ଞଙ୍କ ମତରେ ସାଧାରଣତଃ ସେପ୍ଟେମ୍ବର ଓ ଅକ୍ଟୋବରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ । ତେବେ ଏନେଇ ଏବେଠାରୁ ସଠିକ୍ ଆକଳନ ସମ୍ଭବ ନୁହେଁ । ପ୍ରଶାନ୍ତ ମହାସାଗରରେ ଲା ନିନାର ସ୍ଥିତି ଭାରତ ମହାସାଗର ଉପରେ କିଭଳି ପଡୁଛି ତାହାକୁ ଏବେ ଅନୁଶୀଳନ କରାଯାଉଛି । ସମୁଦ୍ର ପାଣିର ତାପମାତ୍ରା ସ୍ୱାଭାବିକ ଠାରୁ ୦.୫ ଡିଗ୍ରୀ ସେଲସିୟସ ହ୍ରାସ ପାଇଲେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ । ଏଭଳି ସ୍ଥିତି ଦୁଇରୁ ତିନି ମାସ ଲାଗି ରହିଥାଏ । ଲାଲ ନିନା ଯୋଗୁଁ ଥଣ୍ଡା ପାଣି ଓ ପବନ ପ୍ରଶାନ୍ତ ମହାସାଗରର ପୂର୍ବଦିଗରେ ଅର୍ଥାତ୍ ଦକ୍ଷିଣ ଆମେରିକା ଉପକୂଳ ଆଡ଼କୁ ଯାଇଥାଏ । ଅପରପକ୍ଷରେ ଦକ୍ଷିଣ ଆମେରିକାରୁ ଉଷ୍ମ ଜଳ ଓ ପବନ ପୂର୍ବରୁ ପଶ୍ଚିମ ଦିଗକୁ ଗତି କରେ । ଲାନିନା ଯୋଗୁଁ ଉଷ୍ମ ପବନ ଓ ଜଳ ଭାରତ ମହାସାଗର ଦିଗକୁ ଆସିଥାଏ । ଯାହାକି ବାତ୍ୟା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ ।