ଟ୍ରାକ୍ଟର ଲୋନରେ ଠକେଇ : ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଲେ ଘନଶ୍ୟାମ

 ବୈରୀ : କୃଷି ଯନ୍ତ୍ରପାତି କ୍ରୟରେ ସରକାର କୃଷକ ମାନଙ୍କୁ ସବ୍ସିଡି ପ୍ରଦାନର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହା ସଠିକ ଢଙ୍ଗରେ କାର୍ଯ୍ୟକାରୀ ହୁଏ ନାହିଁ । ଚାରି ନଙ୍ଗଳ ପଞ୍ଚାୟତର ଗହରନଗର ଗ୍ରାମର ଘନଶ୍ୟାମ ଜେନାଙ୍କୁ ଗୋଟିଏ ପ୍ରତିଷ୍ଠିତ ରାଷ୍ଟ୍ରିୟ ବହୁଜନ ସଂଗଠନର ତତ୍କାଳୀନ ଯାଜପୁର ଜିଲା ସଭାପତି ତଥା ପଲେଇ ବରଦା ଗ୍ରାମର ଉମାକାନ୍ତ ମଲିକ ୧୪ ଅପ୍ରେଲ୍, ୨୦୨୧ ରେ ଫୋନ କରି ବାବା ସାହେବଙ୍କର ଜନ୍ମ ଜୟନ୍ତୀ ପାଳନ କରିବାକୁ ବଡଚଣା ଡାକିଲେ । ସାଙ୍ଗରେ ଜମି ପଟା, ଆଧାର ସମେତ ବ୍ୟାଙ୍କ ପାସ୍ବୁକ୍ ବି ଆଣିବାକୁ କହିଥିଲେ । ଘନଶ୍ୟାମ ଦଳୀୟ ମିଟିଂରେ ପହଁଚିବା ପରେ ପତରାଜପୁରର ହରି ମଲିକଙ୍କ ପୁଅ ଦେବେନ୍ଦ୍ର (ପପୁ)ଙ୍କ ସହିତ ଭେଟ କରାଇ ଟ୍ରାକ୍ଟର ଲୋନ କରେଇ ଦେବ କହି ଚଣ୍ଡିଖୋଲ ସ୍ଥିତ ସ୍ୱରାଜ ସୋରୁମ୍କୁ ନେଇଗଲେ । ଦେଢ ଲକ୍ଷ ଟଙ୍କା ଡିପୋଜିଟ କଲେ ୨ଲକ୍ଷ ସବ୍ସିଡି ମିଳିବ ଓ ୩ ମାସ ପର୍ଯ୍ୟନ୍ତ କିସ୍ତି ଛାଡ ଆଦି ଲୋଭନୀୟ ଅଫର ଦେଖାଇ ସେହି ଦିନ ଏକ ଟ୍ରାକ୍ଟର ନେବାକୁ ଘନଶ୍ୟାମକୁ ଫୁସୁଲେଇଲେ । ଘନଶ୍ୟାମ ମନା କରିବାରୁୁ ଦେଢ ଲକ୍ଷରୁ ଖସି ୫୦ହଜାର, ପରେ ୨୦ ହଜାର ଶେଷରେ ୧୦ ହଜାର ଦେବାକୁ କହି ଆମ୍ବେଦକର ଜୟନ୍ତୀ ପରି ଶୁଭ ଦିନରେ ଟ୍ରାକ୍ଟର ନେବାକୁ ଚାପ ପକାଇଲେ । ଚାଷ ସିଜିନକୁ ଲକ୍ଷ୍ୟ କରି ଘନଶ୍ୟାମ ନିଜ ଶଳାକୁ ଡକାଇ ୭ ହଜାର ଟଙ୍କାରେ ଏକ ନୀଳ ରଙ୍ଗର ଟ୍ରାକ୍ଟର (ଋଦ୍ଭଶସଦ୍ଭର ଘକ୍ଟ: ଜଗଖ୨କଏଇ୧୧୯୦, ଝରକ୍ସସବକ୍ଷ ଘକ୍ଟ: ଗଈଘଇଝ୪୮ଇଈଗଞଈ୪୯୩୮୭) ଘରକୁ ନେଲେ । ତାଙ୍କ ନାମରେ ଲୋନ ହୋଇ ପରିବନି ବୋଲି ଜାଣିବା ପରେ ଘନଶ୍ୟାମ ପପୁକୁ ଟ୍ରାକ୍ଟର ଫେରାଇ ନେଇଯିବା ପାଇଁ ବାରମ୍ବାର ଅନୁରୋଧ କଲେ । ହେଲେ ଠକିବା ଲକ୍ଷ୍ୟରେ ଥିବା ପପୁ ଘନଶ୍ୟାମଙ୍କ ବନ୍ଧୁ ବାନ୍ଧବଙ୍କୁ ଆପ୍ରୋଚ କରି ମଧ୍ୟ ବିଫଳ ହେଲା । କୌଶଳ କ୍ରମେ ଘନଶ୍ୟାମଙ୍କ ସାନ ଭାଇ ପ୍ରଫୁଲଙ୍କୁ ରାଜି କରାଇ ୨୩ ତାରିଖରେ ଲୋନ ଏଗ୍ରିମେଂଟ କରାଇବା ସହ ଘନଶ୍ୟାମ ଘର କରିବାକୁ ରଖିଥିବା ୧.୨ ଲକ୍ଷ ଟଙ୍କା ନେଇଯାଇ ଥିଲା । ଲଙ୍ଗଳ, ଡାଲା ଓ ରୋଟର ନପାଇ ଘନଶ୍ୟାମ ଖାଲି ଇଞ୍ଜିନକୁ ଘର ଆଗରେ ଠିଆ କରେଇବା ସାର ଥିଲା । କିଛି ଦିନ ପରେ ସେ ନିଜ ଅର୍ଥରେ ଏକ ଲଙ୍ଗଳ କିଣିଲେ । ପପୁକୁ ବାରମ୍ବାର ଗାଡିର କାଗଜପତ୍ର ଦେବା ପାଇଁ ବାଧ୍ୟ କରାଯାଇଥିଲେ ସେ ଆଜି କାଲି କହି ଦିନ ଗଡାଇ ଚାଲିଥିଲା । ପୁଣି ସବ୍ସିଡିରେ ରୋଟର କରାଇଦେବାକୁ କହି ୭୦ ହଜାର ଟଙ୍କା ନେଇଥିଲା । କିଛି କାଗଜପତ୍ର ନଦେବାରୁ ୮ ମାସ ପରେ ଘନଶ୍ୟାମ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କଲେ । ଏହା ପୂର୍ବରୁ ପ୍ରଫୁଲ ଯେନା ୧୩.୧୨.୨୦୨୧ରେ ଟ୍ରାକ୍ଟରଟିକୁ ଏଲ୍ ଆଣ୍ଡ ଟି ଫାଇନାନ୍ସ ସର୍ଭିସ୍ରେ ସରେଣ୍ଡର କରିଥିଲେ । ଥାନାରେ ସାମାଧାନ ହୋଇଥିଲା । କିନ୍ତୁ ଇେଗ୍ରୋ ଫିନ୍ସର୍ଭ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଡ୍ଭୋକେଟ୍ ସୁପ୍ରିୟା ଭୋସାଲେ ୩.୩୫ ଲକ୍ଷ ଟଙ୍କା ଏବଂ ୨୦୨୨ ଜାନୁଆରୀରୁ ସୁଧ ମଧ୍ୟ ପଇଠ କରିବାକୁ ପ୍ରଫୁଲ ଯେନାଙ୍କୁ ନୋଟିସ ପଠାଇଛନ୍ତି । କିଂକର୍ତ୍ତବ୍ୟ ବିମୂଢ ହୋଇ ଘନଶ୍ୟାମ ମୁଖ୍ୟମନ୍ତ୍ରୀଙ୍କୁ ଭେଟ କରି ଦୁଃଖ ଜଣାଇଛନ୍ତି ।  ଘନଶ୍ୟାମଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା ।