ହେଉନି ବ୍ରିଜ୍; ବାଉଁଶ ପୋଲ ଓ ଡଙ୍ଗା ସାହା ଭରସା

 ବିଞ୍ଝାରପୁର: କେବେ ଭାଙ୍ଗିବ ଗ୍ରାମ୍ୟ ଉନ୍ନୟନର କୁମ୍ଭନିଦ୍ରା । କେବେ ଚିଙ୍ଗୁଡ଼ିଆ ନାଳ ଉପରେ ନିର୍ମିତ ହେବ ବ୍ରିଜ୍ । ରତଳାଙ୍ଗବାସୀଙ୍କ ବର୍ଷ ବର୍ଷର ଦୁଖ କେବେ ଦୂର ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କିମାରିଛି । ଦେଶ ସ୍ୱାଧୀନ ହେବାର ୭୫ବର୍ଷ  ଅତିକ୍ରାନ୍ତ ହୋଇଯାଇଥିବା ବେଳେ ଆଜିବି ବର୍ଷକ ୧୨ମାସ ଲୋକେ ବାଉଁଶ ପୋଲ ଓ ଡ଼ଙ୍ଗାରେ ପାରି ହେଉଛନ୍ତି । ଚିଙ୍ଗୁଡ଼ିଆ ନାଳରେ ନିର୍ମାଣଧୀନ ହେବାକୁ ଥିବା ବ୍ରିଜ ଅବହେଳିତ ହୋଇପଡ଼ିଥିବା ବେଳେ କାହିଁକି ଏବଂ କ’ଣ ପାଇଁ ସଂପୂର୍ଣ୍ଣ ହୋଇପାରୁନି, ତାହା ଉପରେ ରାଜନେତା କି ଜିଲା ପ୍ରଶାସନ ଧ୍ୟାନ ଦେଉନି । ଫଳରେ  ଏକ ମାତ୍ର ଭରଷା ସାଜିଛି ଡ଼ଙ୍ଗା ଏବଂ ବାଉଁଶ ନିର୍ମିତ ଅସ୍ଥାୟୀ ପୋଲ । ଖବର ମତେ ବିଞ୍ଝାରପୁରର ଆରପଟ ରତଳାଙ୍ଗ ଗାଁଟି ବିଞ୍ଝାରପୁର ଥାନା ଅଧୀନରେ ଆସୁଥିବା ବେଳେ ରତଳାଙ୍ଗ ଗ୍ରାମର ପାଖାପାଖି ଦୁଇ ହଜାରରୁ ଊର୍ଦ୍ଧ ଲୋକ ବିଞ୍ଝାରପୁର ଉପରେ ନିର୍ଭର କରିଥାଆନ୍ତି । ଜାନୁଆରୀରୁ ଜୁନମାସ ଏହି ୬ମାସ ଗମନା ଗମନ ପାଇଁ ଏହି ବିପଦପୂର୍ଣ୍ଣ ବାଉଁଶ ପୋଲ ହିଁ ଏକ ମାତ୍ର ସାହାରା ପାଲଟି ଥିବା ବେଳେ ବାକି ୬ମାସ ଭରା ନଈରେ ଡଙ୍ଗା ହିଁ ଏକ ମାତ୍ର ସାହାରା ପାଲଟିଥାଏ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଟେଣ୍ଡର ଡକାଯାଇ ଏକ ବ୍ରିଜ ବିଞ୍ଝାରପୁର-ରତଳାଙ୍ଗ ଚିଙ୍ଗୁଡ଼ିଆ ନାଳ ଠାରେ କାର୍ଯ୍ୟ ଆରମ୍ଭ କରାଯାଇ ବନ୍ଦ ରହିଛି । ବାରମ୍ବାର ଏସମ୍ପର୍କରେ ଖବର ପ୍ରକାଶ କଲେବି ଜିଲାଅଧିକାରୀଙ୍କ କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି । କୁହାଯାଏ ଜମିଜମା ବିବାଦକୁ ନେଇ କୁଆଡେ ଏଠି ବ୍ରିଜଟି ଅଟକିଯାଉଛି । ରାଜ୍ୟରେ ପୂର୍ବ ସରକାରରେ ବରୀ ଓ ବିଞ୍ଝାରପୁରକୁ ମନ୍ତ୍ରିମଣ୍ଡଳରେ ଦୁଇଦୁଇ ଥର କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ରତଳାଙ୍ଗର ଚିଙ୍ଗୁଡିଆ ନାଳକୁ ଦେଖିଲେ ବେଶ ବାରୀ ହେଇ ପଡୁଛି ସତେ ଯେମିତି ବିକାଶ ଖେଳୁଛି ଏଠି ବାଉଁଶ ରାଣୀ ।