ତରୁଣ ପ୍ରଜ୍ଞା ଭାରତୀର ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି 

 ଜୟପୁର : ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ୩୭ତମ ବାର୍ଷିକ ଉତ୍ସବ ୨୦୨୫ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ସହ ଅନୁଷ୍ଠାନର ନିଜସ୍ୱ ଏକ ସ୍ଥାୟୀ କାର୍ଯ୍ୟାଳୟ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପୂର୍ବକ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବବର୍ଷ ଭଳି ଏହି ବର୍ଷ ମଧ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ଡ.ଗଙ୍ଗାଧର ନନ୍ଦଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ସମସ୍ତ ପ୍ରତିଯୋଗିତା ସୂର୍ଯ୍ୟ ନମସ୍କାର, ଯୋଗାସନ, ଶଙ୍ଖବାଦନ, ହୁଳହୁଳି, ଗୀତା ଶ୍ଲୋକାବୃତ୍ତି, ପ୍ରବନ୍ଧ ଲିଖନ, ସାଂସ୍କୃତିକ ପରୀକ୍ଷା, ଝୋଟି, ଚିତ୍ରାଙ୍କନ,  ଓଡିଶୀ, ଲୋକ ନୃତ୍ୟ ଇତ୍ୟାଦି ଅକ୍ଟୋବର ଓ ନଭେମ୍ବର ମାସରେ ଆୟୋଜନ କରାଯିବ । ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସାଧାରଣ ବର୍ଗର ପୁରୁଷ ଓ ମହିଳାମାନେ ଅଂଶଗ୍ରହଣ କରିପାରିବେ । ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ କରାଯିବ ଏବଂ କୃତି ଛାତ୍ରଛାତ୍ରୀ ଏବଂ ପୁରୁଷ ଓ ମହିଳାମାନଙ୍କୁ ପୁରସ୍କୃତ କରାଯିବ । ଏହି ବୈଠକରେ ଅନୁଷ୍ଠାନର ସଭାପତି ତପନ କିରଣ ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ରାମ ଶଙ୍କର ଷଡଙ୍ଗୀ, ଅଜୟ କୁମାର ମଲ୍ଲିକ, ରବିନ୍ଦ୍ର ମହାରଣା, ସବିତା ତ୍ରିପାଠୀ, ତପସ୍ୱିନୀ ସାହୁ, ଆଇନ ପରାମର୍ଶଦାତା ଜି. ମହେଶ ପ୍ରମୁଖ ଉପସ୍ଥିତ ରହିଥିଲେ ।